IBN ଓଡ଼ିଶା ବ୍ୟୁରୋ

ଡାଏଟିଂରେ ଅଛି ବିଲେଇ, ଓଜନ ବଢିବା ଯୋଗୁଁ କରିପାରୁ ନାହିଁ ଚଲାବୁଲା

ନୂଆଦିଲ୍ଲୀ ୧୨।୦୯: ରୁଷ୍ରେ ଏକ ବିଲେଇ ଅତ୍ୟଧିକ ଓଜନ ଯୋଗୁ ଡାଏଟିଂରେ ଅଛି । କ୍ରୋଶିକ୍ ନାମକ ବିଲେଇର ଓଜନ ୧୭ କିଲୋ । ଏକ ପୋଷା ବିଲେଇର ଓଜନ ସାଧାରଣତଃ ୪-୫ କିଲୋ ମଧ୍ୟରେ ରହିଥାଏ । ତେବେ ଅତ୍ୟଧିକ ଖାଇବା ଅଭ୍ୟାସ ଯୋଗୁ କ୍ରୋଶିକ୍ର ଓଜନ ଗୋଟିଏ ମଣିଷ ପିଲା ଭଳି ହୋଇଛି । ସେଥିଯୋଗୁ ସେ ଭଲରେ ଚଲାବୁଲା କରିପାରୁନାହିଁ ।

ଏଭଳିସ୍ଥିତିରେ ଓଜନ କମାଇବା ଲାଗି ତାକୁ ଏକ ପୁନର୍ବାସ କେନ୍ଦ୍ରକୁ ନିଆଯାଉଛି । ସେଠାରେ ଖାଦ୍ୟ ବିଶେଷଜ୍ଞମାନେ ତାକୁ ସ୍ପେଶାଲ ଡାଏଟ୍ରେ ରଖିଛନ୍ତି ।

ରିପୋର୍ଟ ମୁତାବକ, ପଶ୍ଚିମ ରୁଷ୍ର ପର୍ମ ସହରସ୍ଥିତ ଏକ ହସ୍ପିଟାଲର ବେସ୍ମେଣ୍ଟରେ ବିଲେଇଟି ରହୁଛି । ତାର ପୂର୍ବତନ ମାଲିକ ତାକୁ ଆଣି ସେଇଠି ଛାଡ଼ି ଦେଇଯାଇଥିଲେ । ତା’ ପରଠାରୁ ହସ୍ପିଟାଲ କର୍ମଚାରୀମାନେ ତାକୁ ଖାଇବାକୁ ଦେଇ ବଞ୍ଚାଇଥିଲେ । ସେମାନଙ୍କ ନିକଟରୁ ଲଗାତର ପାଉଁରୁଟି, ସୁପ୍, ହ୍ୱିସ୍କି, ମାଂସ ଖାଇଖାଇ ବିଲେଇର ଓଜନ ଏତେ ବଢ଼ିଗଲା ଯେ ସେ ଚଲାବୁଲା କରିପାରିଲା ନାହିଁ । ଏହାପରେ ପଶୁ କଲ୍ୟାଣ ଲାଗି କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ତାକୁ ଉଦ୍ଧାର କରି ମାଟ୍ରୋସ୍କିନ୍ ପୁନର୍ବାସ କେନ୍ଦ୍ରକୁ ନେଲା । ସେଠାରେ ଏତେ ଅଧିକ ଓଜନ ଯୋଗୁ ତା’ ଶରୀରର ଅନ୍ୟ ଅଙ୍ଗ ଉପରେ କିଛି ପ୍ରଭାବ ପଡି଼ଛି କି ନାହିଁ ତାହା ଜାଣିବା ଲାଗି ଡାକ୍ତରମାନେ ଅଲ୍ଟ୍ରାସାଉଣ୍ଡ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅତ୍ୟଧିକ ଚର୍ବି ଯୋଗୁ ସେନ୍ସର ଠିକ୍ ଭାବେ କାମ କରିନଥିଲା ।

ଏ ସଂପର୍କରେ ପୁନର୍ବାସ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଅତି ବିରଳ ଘଟଣା । ବିଲେଇର ମାଲିକ ତାକୁ ଏତେ ଭଲ ପାଉଥିଲେ ଯେ ତାକୁ ଅତ୍ୟଧିକ ଖୁଆଇ ଗତିହୀନ କରିଦେଇଛନ୍ତି । ବର୍ତ୍ତମାନ ଆମ ସେଣ୍ଟରରେ ଫିଜିକାଲ୍ ଥେରାପି ସହିତ ତାର ଡାଏଟ୍କୁ କଡ଼ାକଡ଼ି ଜଗାଯିବ । ସୁସ୍ଥ ହେବା ଲାଗି ବିଲେଇକୁ ପ୍ରତି ସପ୍ତାହରେ ୭୦-୧୫୦ ଗ୍ରାମ ଓଜନ କମାଇବାକୁ ହେବ । ସପ୍ତାହେ ହେଲା କ୍ରୋଶିକ୍ ସେଠାକୁ ଯାଉଥିବାବେଳେ ଧୀରେ ଧୀରେ ଚାଲିବା ପାଇଁ ତାଲିମ ନେଉଛି । ପୁନର୍ବାସ କେନ୍ଦ୍ର ପକ୍ଷରୁ କ୍ରୋଶିକ୍ର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button