IBN ଓଡ଼ିଶା ବ୍ୟୁରୋ

ଘାସ ଭିତରେ ଲୁଚିଯାଇଛି ନଦୀ

ଗଡ଼ପୋଷ: ୨୦ ଅଗଷ୍ଟ ୨୦୦୭ ଦିନ ପ୍ରବଳ ବର୍ଷା ଯୋଗୁଁ ଲହରଙ୍ଗା ନଦୀରେ ବନ୍ୟା ହୋଇଥିଲା। ଏହି ବନ୍ୟାର ଭୟାବହତା ଏତେ ଥିଲା ଯେ ବ୍ୟସ୍ତବହୁଳ ଦକ୍ଷିଣ-ପୂର୍ବ ରେଳପଥକୁ ୧୫ ଦିନ ପାଇଁ ଅଚଳ କରି ଦେଇଥିଲା। ବ୍ୟାପକ ମାତ୍ରାରେ ଫସଲ ନଷ୍ଟ ହେବା ସହ ଅନେକ ଘର ଭାଙ୍ଗି ଯାଇଥିଲା। ହେଲେ ଏବେ ଏହି ନଦୀ ନିଜର ସୁରକ୍ଷା ପାଇଁ ସଂଘର୍ଷ କରୁଛି।

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ କିନନଗା ପଞ୍ଚାୟତରୁ ଲହରଙ୍ଗା ନଦୀର ଉତ୍ପତ୍ତି ହୋଇଥିବା ବେଳେ ଏହା ଗଡ଼ପୋଷ, ପିଣ୍ଡାପଥର, କୁଟାରିମାଲ, ବାଉଁଶଲଗା ପଞ୍ଚାୟତ ଦେଇ ପ୍ରବାହିତ ହୋଇ ଶେଷରେ ସଫେଇ ନଦୀରେ ମିଶିଛି। ତେବେ ଏହି ନଦୀ ଏକ ପ୍ରକାର ବିଲୁପ୍ତ ହେବା ଆଡ଼କୁ ଗତି କରୁଛି। ୨୦୦୭ ମସିହା ପରେ ଏହି ନଦୀରେ ଆଉ ସେଭଳି ବନ୍ୟା ସୃଷ୍ଟି ହୋଇନାହିଁ। ନଦୀଗର୍ଭରେ ପାଣି ପରିବର୍ତ୍ତେ ରହିଛି କେବଳ ଘାସ। ଏହି ଘାସ ଦିନକୁ ଦିନ ନଦୀଶଯ୍ୟାକୁ ଗିଳିବାରେ ଲାଗିଛି। ଅନେକ ସ୍ଥାନରେ ଗାଧୁଆ ତୁଠ ପାଇଁ ଘାସ ସଫା କରାଯିବା ସତ୍ତ୍ୱେ କିଛିଦିନରେ ପୁଣି ମାଡ଼ିଯାଉଛି। ଏହା ବ୍ୟତୀତ ନଦୀକୂଳରୁ ବାଲି କୁଆଡ଼େ ଉଭେଇ ଗଲାଣି। ପୋଖରୀରେ ଫୁଟୁଥିବା କଇଁଫୁଲ ଏବେ ନଦୀରେ ହେଲାଣି। ଦେଖିବାକୁ ଗଲେ ଏହି ନଦୀ ମରିବାକୁ ବସିଛି। ଅଞ୍ଚଳବାସୀଙ୍କ ପାଇଁ ଏହି ନଦୀ ବରଦାନ ସଦୃଶ ଥିଲା। ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଏହି ନଦୀରେ ପାଣି ଦେଖାଯାଉନି। ଯେଉଁଆଡ଼େ ଦେଖିଲେ କେବଳ ଘାସ ହିଁ ଦେଖାଯାଉଛି।

ଆଗାମୀ ଦିନରେ ଏହି ଘାସ ଯୋଗୁଁ ନଦୀର ଦିଗ ପରିବର୍ତ୍ତନ ହୋଇପାରେ। ଯଦି, ଘାସ ଏମିତି ମାଡ଼ି ଚାଲିବ, ତେବେ ଆଉ କିଛିବର୍ଷ ପରେ ଏହି ନଦୀ ଇତିହାସ ପାଲଟିଯିବ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ନଦୀକୁ ରକ୍ଷା କରିବାର ଏକମାତ୍ର ବିକଳ୍ପ ଜଳସେଚନ ପ୍ରକଳ୍ପ। ସରକାର ତୁରନ୍ତ ଏକ ବୃହତ୍ ଜଳସେଚନ ପ୍ରକଳ୍ପ କରି ନଦୀ ଓ ଚାଷୀଙ୍କ ଫସଲକୁ ରକ୍ଷା କରିବା ପାଇଁ ଦାବି ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button