ଟ୍ରେନ ଟିକେଟ ବାତିଲ କରିବା ଚକ୍କରରେ ୪ ଲକ୍ଷ ଟଙ୍କା ହରାଇଲେ ବରିଷ୍ଠ ନାଗରିକ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି | ତେବେ ଦୂର ଯାତ୍ରା ପାଇଁ ଅଧିକାଂଶ ଲୋକ ଅନଲାଇନରେ ଟ୍ରେନ ଟିକେଟ ବୁକିଂ କରିଥାନ୍ତି | କିନ୍ତୁ ବେଳେବେଳେ କୌଣସି କାରଣରୁ ଟ୍ରେନ ଟିକେଟ ବାତିଲ କରିବାକୁ ପଡିଥାଏ | ତେବେ ଟ୍ରେନ ଟିକେଟ ବାତିଲ ସମୟରେ ଯଦି ଟିକିଏ ଅସାବଧାନ ହେବେ, ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସଞ୍ଚିତ ଟଙ୍କାକୁ ସାଇବର ଲୁଟେରା ଲୁଟିନେଇପାରନ୍ତି | କେରଳର ଜଣେ ବ୍ୟକ୍ତିଙ୍କ ସହ ଏଭଳି ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ଉଦ୍ୟମ କରି କେରଳର ବାସିନ୍ଦା ୭୮ ବର୍ଷୀୟ ଏମ୍ ମହମ୍ମଦ ବଶିର ସାଇବର ଅପରାଧୀଙ୍କ ଶିକାର ହୋଇଥିଲେ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଅପରାଧୀମାନେ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଛନ୍ତି |
ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେଳେ ମହମ୍ମଦ ବଶିର ତାଙ୍କ ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କୁ ଏକ କଲ ଆସିଥିଲା ଯେଉଁଥିରେ ସାମ୍ନାରେ ଥିବା ବ୍ୟକ୍ତି ନିଜକୁ ରେଳ ଅଧିକାରୀ ଭାବେ ପରିଚୟ ଦେଇଥିଲେ | ସାଇବର ଠକ ନିଜକୁ ଜଣେ ରେଳ ଅଧିକାରୀ ପରିଚୟ ଦେଇ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ କଥା ହୋଇଥିଲେ। ଆଉ ଏହି କାରଣରୁ, ବଶିର ଅନୁଭବ କରିଥିଲେ ଯେ ଫୋନ କରିଥିବା ବ୍ୟକ୍ତି ଜଣକ ପ୍ରକୃତରେ ଜଣେ ରେଳ ଅଧିକାରୀ। ବଶିରଙ୍କୁ ସାଇବର ଠକ ଜାଲରେ ଫସାଇବା ପରେ, ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ। ମହମ୍ମଦ ବଶିର ରେଷ୍ଟ ଡେସ୍କ ନାମକ ଏକ ଆପ୍ ଡାଉନଲୋଡ୍ କରିଥିଲେ | ଯାହାପରେ ସାଇବର ଅପରାଧୀ ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଥିଲେ । ଏବେ ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି | ସାଇବର ଥାନାର ଅଧିକାରୀଙ୍କ କହିବାନୁସାରେ, ସାଇବର ଅପରାଧୀମାନେ ବଶିରଙ୍କ ଆକାଉଣ୍ଟରୁ ଚାରିଥର ଟଙ୍କା ଉଠାଇ ନେଇଥିଲେ। କୋଲକାତାରେ ଥିବା ତାଙ୍କ ଆକାଉଣ୍ଟରୁ ମୋଟ ୪ ଲକ୍ଷ ୦୫ ହଜାର ୯୧୯ ଟଙ୍କା ଉଠାଇନେଇଥିଲେ ।
[ad_2]