ବଦଳିବ ପୁଣେ ଏୟାରପୋର୍ଟର ନାଁ, ସନ୍ଥ ତୁକାରାମଙ୍କ ନାମରେ ପରିଚୟ ପାଇବ

ବଦଳିବ ପୁଣେ ଏୟାରପୋର୍ଟର ନାମ । ମହାରାଷ୍ଟ୍ର ସରକାର ସୋମବାର ପୁଣେ ବିମାନବନ୍ଦରର ନାମକୁ ‘ଜଗଦଗୁରୁ ସନ୍ଥ ତୁକାରାମ ମହାରାଜ ଏୟାରପୋର୍ଟ’ ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଏବଂ ବର୍ତ୍ତମାନ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ।
ବେସାମରିକ ବିମାନ ଚଳାଚଳ ଏବଂ ସହଯୋଗ ରାଜ୍ୟ ମନ୍ତ୍ରୀ ମୁରଲୀଧର ମୋହୋଲେ ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରି କହିଛନ୍ତି ଯେ ପୁଣେ ଅନ୍ତର୍ଜାତୀୟ ବିମାନବନ୍ଦର ଯେଉଁଠି ରହିଛି, ସେହି ସ୍ଥାନରେ ଲୋହେଗାଓଁରେ ଜଗଦଗୁରୁ ସନ୍ଥ ତୁକାରାମ ଜନ୍ମଗ୍ରହଣ କରିଥିଲେ । ତୁକାରାମ ମହାରାଜ ନିଜର ପିଲାଦିନ ଲୋହେଗାଓଁରେ ବିତାଇଥିଲେ । ତେଣୁ ଲୋହେଗାଓଁ ଓ ତୁକାରାମ ମହାରାଜଙ୍କ ମଧ୍ୟରେ ଏକ ଗଭୀର ସମ୍ବନ୍ଧ ରହିଛି ।
ଏବେ ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । କେନ୍ଦ୍ର କ୍ୟାବିନେଟ ଖୁବ୍ ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ମନ୍ତ୍ରୀ କହିଛନ୍ତି ।