IBN ଓଡ଼ିଶା ବ୍ୟୁରୋ

ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ: ୩୫୬ ମୃତ, ୧୨୦୦ ଆହତ

ଜେରୁଜେଲମ: ଲେବାନନ ଉପରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି । ଏଥିରେ ୩୫୬ ଜଣ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ପାଲେଷ୍ଟାଇନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ପୁଣି ଲେବାନନ ଉପରେ ଆକ୍ରମଣ କରି ଇସ୍ରାଏଲ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛି ।

ହିଜବୁଲ୍ଲା ଇସ୍ରାଏଲ ଉପରେ ରକେଟ ମାଡ଼ କରୁଥିବାରୁ ଏହାର ପ୍ରତିଶୋଧ ନେବାକୁ ଯାଇ ଲେବାନନ ଉପରେ ଇସ୍ରାଏଲ ବଡ଼ ଧରଣର ଆଖିବୁଜା ଆକ୍ରମଣ କରୁଛି ।

ଲେବାନନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ଅକଟୋବରରୁ ହିଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷର ଆଜି ଥିଲା ସବୁଠାରୁ ଭୟଙ୍କର ଦିନ । ଲେବାନନର ଦକ୍ଷିଣ ଏବଂ ପୂର୍ବାଞ୍ଚଳ ଉପରେ ଇସ୍ରାଏଲ ବୋମା ସହିତ କ୍ଷେପଣାସ୍ତ୍ର ମାଡ଼ କରିଛି । ଆଜି ସକାଳୁ ଦକ୍ଷିଣ ଲେବାନନର ସହର ଏବଂ ଗ୍ରାମାଞ୍ଚଳ ଉପରେ ଭୀଷଣ ଅକ୍ରମଣରେ ୩୫୬ ଜଣ ପ୍ରାଣ ହରାଇଛନ୍ତି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିଶୁ, ମହିଳା ଓ ଅନ୍ୟ ସାଧାରଣ ନାଗରିକ । ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରୁଥିବା କହୁଥିବା ବେଳେ ପ୍ରକୃତରେ ପ୍ରାଣ ହରାଉଛନ୍ତି ସାଧାରଣ ନାଗରିକ । ୨୦୦୬ ପରେ ପ୍ରଥମ ଥର ଲାଗି ଏତେ ବଡ଼ ଆକ୍ରମଣ ହୋଇଛି ଏବଂ ଗୋଟିଏ ଦିନରେ ଏତେ ଲୋକ ପ୍ରାଣ ହରାଇଛନ୍ତି ।

ଆକ୍ରମଣକୁ ଆହୁରି ତୀବ୍ର କରିବ ବୋଲି ଇସ୍ରାଏଲ ଧମକ ଦେବାପରେ ହଜାର ହଜାର ଲୋକ ଦକ୍ଷିଣାଞ୍ଚଳ ଛାଡ଼ି ରାଜଧାନୀ ବୈରୁଟ ମୁହାଁ ହୋଇଛନ୍ତି। ଫଳରେ ହାଇୱେରେ କାରର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ୨୦୦୬ରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା ବେଳେ କେବେହେଲେ ଗୋଟିଏ ଦିନରେ ଏତେ ଲୋକ ପ୍ରାଣ ହରାଇନଥିଲେ। ଲେବାନନ ସରକାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିଦେଇଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକୁ ବାସଚ୍ୟୁତ ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳୀ କରିବାକୁ କୁହାଯାଇଛି ।

ଇସ୍ରାଏଲ ପକ୍ଷରୁ କୁହାଯାଇଛି େଯ ହିବୁଲ୍ଲାର ସାମରିକ ଶକ୍ତିକୁ ଧ୍ବଂସ କରିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି । ଆଜି ୩୦୦ଟି ସ୍ଥାନ ଉପରେ ଆକ୍ରମଣ କରାଯାଇଛି । କିଛି କ୍ଷେପଣାସ୍ତ୍ର ଜନବସତି ଉପରେ ପଡ଼ିଥିବାର କୁହାଯାଉଛି । ତେବେ ସଂଗଠନର ସାମରିକ ଶକ୍ତିକୁ ଧ୍ବଂସ ନକରିବା ପର୍ଯ୍ୟନ୍ତ ସାମରିକ ଅଭିଯାନ ଜାରି ରହିବ ବୋଲି ଇସ୍ରାଏଲ ସେନାର ଜଣେ ମୁଖପାତ୍ର କହିଛନ୍ତି । ହିଜବୁଲ୍ଳା ଯେଉଁ ଯେଉଁ ସ୍ଥାନରେ ଏହାର ଅସ୍ତ୍ରଶସ୍ତ୍ର ଠୁଳ କରିଛି, ସେହି ସ୍ଥାନ ଛାଡ଼ି ଚାଲିଯିବା ଲାଗି ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି ଇସ୍ରାଏଲ । ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ଚଳାଇଥିବା ବେଳେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ରକେଟ ମାଡ଼ ତୀବ୍ର କରିଛି ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହ ହିଜବୁଲ୍ଲା ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ପେଜର, ମୋବାଇଲ, ୱାକିଟକି ଓ ରେଡିଓ ବିସ୍ଫୋରଣ ଯୋଗୁଁ ୩୯ ଜଣ ପ୍ରାଣ ହରାଇଥିଲେ । ଇସ୍ରାଏଲ ଏହି ବିସ୍ଫୋରଣ କରାଇଥିବା କୁହାଯାଉଛି । ଏହାପରେ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣକୁ ତୀବ୍ର କରିଥିଲା । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ପ୍ରତ୍ୟାକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଲେଣି ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି ।

ଗତବର୍ଷ ଅକଟୋବର ୭ ତାରିଖରେ ହମାସ ଆତଙ୍କବାଦୀ ଇସ୍ରାଏଲରେ ପଶି ୧୨୦୦ ଲୋକଙ୍କୁ ହତ୍ୟା କରିଥିବା ବେଳେ ୨୫୦ ଲୋକଙ୍କୁ ଅପହରଣ କରିନେଇଥିଲେ । ଏହାପରେ ହମାସକୁ ଧ୍ବଂସ କରିବାକୁ ଯାଇ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ ଚଳାଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୪୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ହମାସକୁ ସମର୍ଥନ କରି ହିଜବୁଲ୍ଲା ଇସ୍ରାଲ ଉପରେ ରକେଟ ମାଡ଼ କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button