ରାଜ୍ୟ

ଆଇଗିଣିଆ ଦଧିବାମନଦେବ ଦୁର୍ଗାପୂଜା କମିଟି: ତୋରଣରେ ଝଲସିବ ଜିରାଙ୍ଗ ମନ୍ଦିର,୪୦ କିଲୋ ରୁପା ଅଳଙ୍କାର ପିନ୍ଧିବେ ମା’

ଭୁବନେଶ୍ୱର,୨୬/୦୯: ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ କିଏ କେଉଁ ପ୍ରକାର ତୋରଣ କରିବେ ଚାଲିଛି ପ୍ରତିଯୋଗିତା। ଏଥିରୁ ବାଦ୍ପଡ଼ିନି ଆଇଗିଣିଆସ୍ଥିତ ଦଧିବାମନଦେବ ଦୁର୍ଗାପୂଜା କମିଟି । ଚଳିତ ବର୍ଷ ଏହି ପୂଜା କମିଟି ୩୫ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ଏଠାରେ ଶୋଭାପାଇବ ଗଜପତି ଜିଲ୍ଲାର ଜିରାଙ୍ଗ ମନ୍ଦିର ଭଳି ତୋରଣ, ଯାହାର ଉଚ୍ଚତା ରହିବ ୮୦ ଫୁଟ।

ଏଥିପାଇଁ କୋଲକାତାର ୩୦ ଜଣ କାରିଗର କାମରେ ଲାଗିଛନ୍ତି । ତା’ସାଙ୍ଗକୁ ମା’ ଦଶଭୁଜା ୪୦ କିଲୋ ରୁପା ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ମା’ଙ୍କ ମୂର୍ତ୍ତିର ଉଚ୍ଚତା ରହିବ ୧୫ଫୁଟ । ମୂର୍ତ୍ତି ଗଢ଼ିବା ପାଇଁ ବାରଙ୍ଗର ୭ ଜଣ କାରିଗର ନିୟୋଜିତ ହୋଇଛନ୍ତି ।

ବିଧି ଅନୁସାରେ ଷଷ୍ଠୀରୁ ପୂଜା ଆରମ୍ଭ ହେବ । ମା’ଦୁର୍ଗାଙ୍କ ପାଖରେ ବିଭିନ୍ନ ପ୍ରକାର ଭୋଗ ଲାଗିବା ସହିତ ଭକ୍ତଙ୍କ ପ୍ରସାଦ ସେବନ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯିବ । ଦଶହରା ଦିନ ୪ରୁ ୫ ହଜାର ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ହେବ । ସପ୍ତମୀରେ ପାଲା, ଅଷ୍ଟମୀରେ ଭଜନ ସମାରୋହ, ନବମୀ ଓ ଦଶମୀରେ ମେଲୋଡ଼ି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୫୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ଭସାଣି ସମୟରେ ନୂଆପଲ୍ଲୀର ଅନ୍ୟାନ୍ୟ ମେଢ଼ ସହିତ ଏହି ମେଢ଼ ସାମିଲ ହୋଇ ବେଶ୍ ଜାକଜମକରେ ଭସାଣି ଯାତ୍ରା କରାଯିବ । ପୂଜା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button