ରାଜ୍ୟ

ଓଡ଼ିଶା-୫୦ର ତୃତୀୟ ସଂସ୍କରଣ; ସ୍ବାବଲମ୍ବନ, ସ୍ବାଭିମାନ ବିନା ସମାଜ ଆଗେଇବା କଷ୍ଟ: ଧର୍ମେନ୍ଦ୍ର – Ibnodisha

[ad_1]

ଭୁବନେଶ୍ବର: ଆମ ରାଜ୍ୟରେ ମହିଳାମାନଙ୍କ ପ୍ରତି ସମ୍ମାନ ଆଦି ଅନନ୍ତ କାଳରୁ ରହିଆସିଛି। ଦେଶବ୍ୟାପୀ ମହିଳାମାନଙ୍କ ନିଜସ୍ବ ପରିଚୟ ରହିଛି। ହେଲେ ଆମ ରାଜ୍ୟ ଟିକେ ନିଆରା। ଏଠି ହେଉଥିବା ମାର୍ଗଶୀର ଗୁରୁବାର ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ। ଏହା କେବଳ ଏକ ପୂଜା ନୁହେଁ, ଏକ ସ୍ବଚ୍ଛତାର ସଂସ୍କାର। ମହାପ୍ରସାଦ, ମହାଲକ୍ଷ୍ମୀ ଆମ ଲୋକ ସଂସ୍କୃତିରେ ବହୁ ପୁରୁଣା ଦିନରୁ ରହିଆସିଛନ୍ତି। ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ। ନିଜେ ସ୍ବାବଲମ୍ବୀ ହେଲେ ସ୍ବାଭିମାନ ବଢ଼ିବ। ସ୍ବାବଲମ୍ବନ ଓ ସ୍ବାଭିମାନ ବିନା ସମାଜ କଦାପି ଆଗକୁ ଯାଇପାରିବ ନାହିଁ। ସମାଜକୁ ଏକ ଦିଗ୍‌ଦର୍ଶନ ଦେବା ପ୍ରବୁଦ୍ଧ ଲୋକଙ୍କ ଦାୟିତ୍ବ। ‘ସମ୍ବାଦ’ କୌଣସି ସରକାରୀ ସଂସ୍ଥା ନ ହେଲେ ମଧ୍ୟ ଏଭଳି ଏକ ଦାୟିତ୍ବ ନେଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ‘ସମ୍ବାଦ-ଆମ ଓଡ଼ିଶା’ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ‘ଓଡ଼ିଶା-୫୦’ର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ରାଜ୍ୟର ଅବସ୍ଥା ଏବେ ଭଲ ନାହିଁ। ରାଜ୍ୟର ଜନସଂଖ୍ୟାର ୫୦ଭାଗ ମଧ୍ୟରୁ ଏକ ବଡ଼ ଭାଗ ରକ୍ତହୀନତା, ଅପପୁଷ୍ଟିର ଶିକାର। ରାଜ୍ୟରେ ସମ୍ବଳ, ବୁଦ୍ଧିମତାର ଅଭାବ ନାହିଁ। ତେଣୁ ପୋଷଣକୁ ବଢ଼ାଇବା ସହିତ ରକ୍ତହୀନତା ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବର ସୁବିଧା ରହିଛି। କିନ୍ତୁ ଆଜି ବି ଖବରକାଗଜ ଓଲଟାଇଲେ ଗର୍ଭବତୀଟିଏ ଭାରରେ ବୁହା ହୋଇ ଯାଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଏହା ଏକ ଚିନ୍ତାଜନକ ବିଷୟ। ମାତ୍ର କେବଳ ସରକାର ଏହାର ଦାୟିତ୍ବ ନେଲେ ଏହା ସଫଳ ହେଉନାହିଁ। ଏଥିପାଇଁ ସମସ୍ତଙ୍କୁ ଦାୟିତ୍ବ ନେବାକୁ ପଡ଼ିବ। ୧୯୩୬ ମସିହାରେ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟଭାବେ ପ୍ରତିଷ୍ଠା ହୋଇଥିଲା। ଆଉ ୧୩ବର୍ଷ ପରେ ଏହାକୁ ଶହେ ବର୍ଷ ପୂରିବ।

ସେହିପରି ଆସନ୍ତା ୨୪ବର୍ଷ ପରେ ସ୍ବାଧୀନତାର ୧୦୦ବର୍ଷ ପୂରଣ ହେବ। ଏହି ସମୟରେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳ୍ପନା କରିଛନ୍ତି। ଘରର ଶିଶୁ ସୁସ୍ଥ ହେଲେ ଆଗାମୀ ଦିନରେ ଶିଶୁଟି ଓଡ଼ିଶା ଓ ଦେଶ ପରିବର୍ତ୍ତନ କରିବାର ଦାୟିତ୍ବ ନେବ। ରାଜ୍ୟର ମାତୃଶକ୍ତି ଏକ ବଡ଼ ସ୍ଥାନକୁ ଯିବାର ସବୁ ଲକ୍ଷଣ ଦେଖିବାକୁ ମିଳିଲାଣି। ମାତ୍ର ରାଜ୍ୟର ବର୍ତମାନ ଓ ଭବିଷ୍ୟତକୁ ସୁସ୍ଥ ଓ ସୁରକ୍ଷିତ କରିବା ପାଇଁ ତା’ର ସ୍ବାସ୍ଥ୍ୟ ଓ ପୋଷଣ ପାଇଁ ଦାୟିତ୍ବ ନେବା ଦରକାର। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦେଶରେ ୬ଲକ୍ଷ ଗାଁ ରହିଛି। ଆସନ୍ତା ୨ବର୍ଷ ଭିତରେ ଓଡ଼ିଶାର ୫୦ହଜାର ସହିତ ଦେଶର ସବୁ ଗାଁରେ ଅପ୍‌ଟିକାଲ ଫାଇବର ବିଛାଯିବ। ଅପ୍‌ଟିକାଲ ଫାଇବର ମାଧ୍ୟମରେ ଏବେ ୪-ଜି ଆସିଛି। ଆଗକୁ ୫-ଜି ଓ ପରେ ୬-ଜି ସୁବିଧା ମିଳିବ। ଓଡ଼ିଶାର ମା’ମାନେ ବିଶ୍ବର ଆବଶ୍ୟକତାକୁ କିଭଳି ପୂରଣ କରିପାରିବେ ସେଥିପାଇଁ ସ୍ବପ୍ନ ଦେଖିବା ଦରକାର। ସେବା କ୍ଷେତ୍ରରେ ମାସିକ ୩୦ହଜାର ଟଙ୍କା ରୋଜଗାର କରିବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି। ଆମେରିକାର ସ୍ବୟଂଚାଳିତ ଟ୍ରାଫିକ୍‌ ସିଗ୍‌ନାଲ କିଭଳି କାର୍ଯ୍ୟ କରିବ ତାହାର କମାଣ୍ଡ ସେଣ୍ଟରରେ ଭୁବନେଶ୍ବରର କିଛି ଲୋକ କାମ କରୁଛନ୍ତି। ମହିଳାମାନେ ନିଜର ରୋଷେଇ ପ୍ରଣାଳୀ କିମ୍ବା ଦକ୍ଷତାକୁ ଡିଜିଟାଲ ପ୍ଲାଟଫର୍ମରେ ଉପଯୋଗ କରନ୍ତୁ। ଏହାଦ୍ବାରା ସମାଜ, ରାଜ୍ୟ ଓ ଦେଶ ଲାଭବାନ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସଭାପତିତ୍ବ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଭିନ୍ନ କାରଣରୁ ମହିଳାମାନେ ପଛରେ ଅଛନ୍ତି। ମହିଳାମାନଙ୍କୁ ଆଗେଇବାକୁ ହେଲେ ପଢ଼ିବା ସହିତ ରୋଜଗାରକ୍ଷମ ହେବାକୁ ପଡ଼ିବ। ମହିଳାଙ୍କ ସୁରକ୍ଷାର ଏକମାତ୍ର ଚାବିକାଠି ହେଲା ଶିକ୍ଷା ଓ ରୋଜଗାର। ସେମାନଙ୍କୁ ଶିକ୍ଷିତ କରିବା ପାଇଁ ସରକାର ଦାୟିତ୍ବ ନେଇଥିବା ବେଳେ ରୋଜଗାର ପାଇଁ ବିଭିନ୍ନ ଯୋଜନା ଅଛି। କେବଳ ମହିଳାମାନଙ୍କୁ ସଚେତନ କରିବା କାମ ହେଉଛି ‘ଓଡ଼ିଶା-୫୦’ର। କେଉଁ କାମ କଲେ ସେମାନେ ରୋଜଗାରକ୍ଷମ ହୋଇପାରିବେ, କେଉଁଠାରେ ବିନା ସୁଧରେ ଋଣ ମିଳୁଛି, ଟଙ୍କାକୁ କେଉଁଭଳି ଭାବେ ବ୍ୟବହାର କରିହେବ ଓ ଉତ୍ପାଦର ମାର୍କେଟିଂ ଇତ୍ୟାଦି ସଂପର୍କରେ ସେମାନଙ୍କୁ ସଚେତନ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଝିଅମାନେ ପୁଅମାନଙ୍କ ତୁଳନାରେ କମ୍ ମିଛ କୁହନ୍ତି। ରାଜ୍ୟବ୍ୟାପୀ ଯେଉଁ ମହିଳା ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁରସ୍କୃତ କରାଯାଇଛି ସେମାନେ ହେଉଛନ୍ତି ‘ସମ୍ବାଦ’ର ଜଣେ ଜଣେ ପ୍ରତିନିଧି। ନିଜ ଅଞ୍ଚଳରେ ଯଦି କୌଣସି ଅନ୍ୟାୟ ହେଉଥିବା ନଜରକୁ ଆସୁଛି ତାହାଲେ ଏହି ମହିଳାମାନଙ୍କ କଥାକୁ ବିଶ୍ବାସକୁ ନେଇ ଅନ୍ୟାୟ ବିରୋଧରେ ସଂଗ୍ରାମ କରାଯିବ। ଫଳରେ ‘ସମ୍ବାଦ’ ସତ କଥା କହେ ଓ ଲେଖିଥାଏ ବୋଲି ଯେଉଁ ସଂକଳ୍ପ ନେଇଛି ତାହା ସଂପୂର୍ଣ୍ଣ ହେବ। ଏହାସହ ‘ମଦମୁକ୍ତ ଓଡ଼ିଶା’ ଗଠନ ପାଇଁ ଆମ ଓଡ଼ିଶା ସଂକଳ୍ପ ନେଇଛି। ସରକାରଙ୍କ ରାଜସ୍ବ କମିବାର ଭୟ ଥିବାରୁ ଏହାକୁ ସରକାର ସମର୍ଥନ କରିବେ ନାହିଁ। ମାତ୍ର ନିଜ ଘରେ କୌଣସି ବ୍ୟକ୍ତି ମଦ ପିଉଥିଲେ ତାଙ୍କୁ ଘର ଭିତରେ ପ୍ରବେଶ ନ କରା‌ଇବା ପାଇଁ ନେତୃତ୍ବ ମହିଳାମାନେ ନିଅନ୍ତୁ। ଏଥିପାଇଁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଦିନ ଏକ କାର୍ଯ୍ୟକ୍ରମର ଯୋଜନା କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ, ମହିଳାମାନେ ଛତୁ ଚାଷଠାରୁ ଆରମ୍ଭ କରି ଧୂପକାଠି, ବଡ଼ି ପାମ୍ପଡ଼ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ନିଜେ ଶିଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶିଖାଉଛନ୍ତି। ଏହା ସମାଜ ପାଇଁ ଏକ ବଡ଼ ଅବଦାନ। ଉତ୍ପାଦର ମାର୍କେଟିଂ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯେଉଁ ଯୋଜନା ରହିଛି ତାହାର କିଭଳି ଲାଭ ଉଠାଇପାରିବେ ‌ସେ ସଂପର୍କରେ ଆମ ପକ୍ଷରୁ ତାଲିମ୍ ଦିଆଯାଉଛି। ଏବେ ଯେତିକି ଦିନ ତାଲିମ୍ ଦିଆଯାଉଛି ତାହା ଯଥେଷ୍ଟ ନୁହେଁ, ଆଗକୁ ଆହୁରି ଅଧିକ ଦିନ ତାଲିମ୍‌ କାର୍ଯ୍ୟକ୍ରମ କରାଯିବାର ଅବଶ୍ୟକତା ରହିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଥିଲେ, ସମାନ ସୁବିଧା ସୁଯୋଗ, ଶିକ୍ଷା ମିଳିପାରିଲେ ମହିଳାମାନେ ଯେ କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ କମ୍ ନୁହନ୍ତି ବୋଲି ପ୍ରମାଣିତ ହୋଇସାରିଛି। ତଥାପି କୌଣସି ଏକ ଅଭାବ ପାଇଁ ସମସ୍ତେ ମହିଳା ସଶକ୍ତୀକରଣ କଥା କହିବା ପାଇଁ ବାଧ୍ୟ ହେଉଛନ୍ତି। ମହିଳାଙ୍କ ନିକଟରେ ସାହସ, ଶକ୍ତି ରହିଥିଲେ ‌ହେଁ ଆତ୍ମବିଶ୍ବାସର ଅଭାବ ରହିଛି। ନିଜ ଉପରେ ବିଶ୍ବାସ କଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ। ନିଜକୁ କେବେ ଛୋଟ ଭାବନ୍ତୁ ନାହିଁ। ସ୍ବପ୍ନ ବଡ଼ ଦେଖିବା ଦରକାର। ଆ‌ଉ ଏହି ସ୍ବପ୍ନକୁ କିଭଳି ସାକାର କରିହେବ ସେ ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଉଦ୍ୟୋଗୀ ମହିଳାମାନେ ନିଜ ବ୍ୟବସାୟର ପ୍ରତି କ୍ଷେତ୍ରରେ ନିଜକୁ ସାମିଲ କରନ୍ତୁ। ଏହାସହ ନିଜ ସଫଳତାର ସୂତ୍ର ଅନ୍ୟମାନଙ୍କ ସହ ବାଣ୍ଟିବା ଲାଗି ଶ୍ରୀମତୀ ପଟ୍ଟନାୟକ ଆହ୍ବାନ କରିଥିଲେ।

ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାର ୩ଜଣ ଲେଖାଏ ସମୁଦାୟ ୯୦ଜଣଙ୍କୁ ‘ସାରଦା ସୀମା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିରେ ତ୍ରିରଙ୍ଗା ପତାକା, ଶାଢ଼ୀ ଓ ନଗଦ ଟଙ୍କା ପ୍ରଦାନ କରାଯାଇଥିଲା। ଏହାସହ ଏକ କଫିଟେବୁଲ ବୁକ୍‌ର ଉନ୍ମୋଚନ କରାଯାଇଥିଲା। ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button