ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର: ଟଙ୍କା ଅଣ୍ଟୁନିର ଆଳ ଦେଖାଇ ବନ୍ଧ୍ୟାକରଣ ଧିମା – Ibnodisha
[ad_1]
କୁକୁର, ମାଙ୍କଡ଼ କାମୁଡ଼ାରେ ପ୍ରତିଦିନ ୩୦ରୁ ଅଧିକ ଶିକାର ହେଉଛନ୍ତି. ଘରେ ପଶି କାମୁଡ଼ିଲା କୁକୁର, ବାହାରେ ରହିଲେ ପରିବାରବର୍ଗ
ପୁରୀ: ଘାରିଲାଣି କୁକୁର ଆତଙ୍କ। ସହରରେ କୁକୁରଙ୍କ ଦୌରାତ୍ମ୍ୟ ସୀମା ଲଂଘିଲାଣି। କେତେବେଳେ ବାଇକ୍ଆରେହୀ ତ କେତେବେଳେ ସ୍କୁଲ ପିଲା ବୁଲାକୁକୁରଙ୍କ ଶିକାର ହେଉଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଏହି ବୁଲାକୁକୁର ଏବେ ଘରେ ପଶି ଲୋକଙ୍କୁ ଆକ୍ରମଣ କଲେଣି। ଆଜି କୁକୁର ଆକ୍ରମଣରେ ଏକ ପରିବାରର ଦୁଇଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରିବାରର ମହିଳା ସଦସ୍ୟା ଭୟରେ ସାରା ଦିନ ଘର ବାହାରେ ବିତାଇଛନ୍ତି। ପ୍ରାଣୀ ଚିକିତ୍ସାଳୟର ସଦସ୍ୟମାନେ ଆସି କୁକୁରକୁ କାବୁ କରିବା ପରେ ମହିଳା ଜଣକ ନିଜ ଘରକୁ ଯାଇଛନ୍ତି। କୁକୁର କାମୁଡ଼ାର ଏଭଳି ଏକ ଭୟଭୀତ ଘଟଣା ଆଜି ୩୧ ନମ୍ବର ୱାର୍ଡ ଅଧୀନ ଭୂଦାନ ନଗରରେ ଦେଖିବାକୁ ମିଳିଛି।
ପୁରୀ ସହର ମଧ୍ୟରେ ପ୍ରତି ମାସରେ ୮୦ କୁକୁରଙ୍କର ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ପ୍ରଶାସନିକ ଅବହେଳା ଯୋଗୁ ଏହି ଟାର୍ଗେଟ ପୂର୍ଣ୍ଣ ହୋଇ ପାରୁନାହିଁ। ଫଳରେ କୁକୁରଙ୍କ ସଂଖ୍ୟା ବହୁ ମାତ୍ରାରେ ପୁରୀ ସହରେ ବଢ଼ି ଯାଇଛି। ଏଣେ କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ମିଳୁଥିବା ଅର୍ଥରାଶି ପର୍ଯ୍ୟାପ୍ତ ହେଉନଥିବାରୁ ଏହି କାର୍ଯ୍ୟ ଧିମେଇ ଯାଇଛି। ବନ୍ଧ୍ୟାକରଣ ପାଇଁ ଆସୁଥିବା କୁକୁରମାନଙ୍କୁ ସପ୍ତାହେ ପର୍ଯ୍ୟନ୍ତ ଖାଦ୍ୟ ବାବଦରେ ମିଳୁଛି ମାତ୍ର ୬୦ ଟଙ୍କା। ଅପରେସନ ପୂର୍ବରୁ ଖାଦ୍ୟ ଦିଆଯାଉନଥିବାରୁ ୫ ଦିନ ପାଇଁ ମିଳୁଛି ମୋଟ୍ ଏତିକି ଅର୍ଥରାଶି। ବନ୍ଧ୍ୟାକରଣ ପାଇଁ ମିଳୁଥିବା ଅର୍ଥ ରାଶି ବର୍ଷ ବର୍ଷ ହେଲା ବଦଳି ନାହିଁ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୦୬ ମସିହାରେ ଏହି ଦର ନିର୍ଦ୍ଧାରଣ କରାଯାଇଥିବା ବେଳେ ଏବେ ବି ସେଇ ସୀମିତ ଅର୍ଥରାଶି ଯୋଗାଇ ଦେଉଛି ପୌରପାଳିକା। ଫଳରେ ସହରର ଗଳିକନ୍ଦିରେ ମାଳମାଳ କୁକୁର ବୁଲୁଥିଲେ ମଧ୍ୟ ବନ୍ଧ୍ୟାକରଣ ହୋଇ ପାରୁନାହିଁ।
ସୂଚନାଯୋଗ୍ୟ ଯେ ଆଜି ଭୂଦାନନଗରର ବିକାଶ ସାହୁ ଓ ତାଙ୍କ ଦାଦା ହିମାଂଶୁ ଶେଖର ସାହୁ କୁକୁର କାମୁଡ଼ାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ତେବେ କୁକୁରଟି ଘର ଅଗଣାରେ ଶୋଇ ରହିଥିବାରୁ ଆହତ ଦୁଇ ବ୍ୟକ୍ତି ନିଜ ଘରକୁ ନଫେରି ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ବିକାଶଙ୍କ ମା’ ସରୋଜିନୀ ସାହୁ ଡରରେ ଘର ବାହାରେ ପ୍ରାୟ ୪ ଘଣ୍ଟା ବିତାଇଥିଲେ। ସରୋଜିନୀଙ୍କ କହିବା ମୁତାବକ, କୁକରଟି ଆଜି ହଠାତ୍ ଏକ ବିଲେଇକୁ ଆକ୍ରମଣ କରିବାରୁ ବିକାଶ କୁକୁରଟିକୁ ଅଟକାଇଥିଲେ। ଏହି ରାଗରେ କୁକୁରଟି ବିକାଶଙ୍କୁ କାମୁଡ଼ି ଦେଇଥିଲା। ପରେ ସେଠାରେ ଥିବା ବିକାଶଙ୍କ ଦାଦାଙ୍କୁ ବି କାମୁଡ଼ି ଦେଇଥିଲା। ଆଉ ଏକ ବୁଲା କୁକୁରକୁ ମଧ୍ୟ ଆକ୍ରମଣ କରିଥିଲା। କୁକୁରର ଏଭଳି ହିଂସ୍ର ଆଚରଣ ଦେଖି ସରୋଜିନୀ ଡରରେ ଘର ବାହାରକୁ ଚାଲି ଯାଇଥିଲେ। କିନ୍ତୁ କୁକୁର ଘର ଅଗଣାରୁ ବାହାରକୁ ଆସିନଥିଲା। ସରୋଜିନୀ ନିଜେ ଭେଟେରିନାରି କାର୍ଯ୍ୟାଳୟ ଯାଇ ସେଠାରେ ଅନୁରୋଧ କରିବା ପରେ ଅପରାହ୍ଣରେ ଏକ ଟିମ୍ ଆସି ଉକ୍ତ କୁକୁରକୁ ଭେଟେରିନାରିକୁ ଆଣିଥିଲେ।
କୁକୁର କାମୁଡ଼ାର ହିଂସ୍ରାତ୍ମକ ଚିତ୍ର କେବଳ ଉଦାହରଣ ମାତ୍ର। ପ୍ରତ୍ୟେକ ଦିନ କୁକୁରମାନଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି ବାସିନ୍ଦାମାନେ। ସନ୍ଧ୍ୟା ହେବା ପରେ ଦଳବଳ ହୋଇ ବାଇକ୍୍କୁ ଗୋଡ଼ାଉଛନ୍ତି। ଫଳରେ ଅନେକ ବିକଳରେ ଗୋଡ଼ ଟେକି ଗାଡ଼ିର ବେଗ ବଢ଼ାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ବିଶେଷକରି ସଂଜ ନଇଁବା ପରେ କୁକୁରମାନେ ବେଶି ହିଂସ୍ର ହେଉଛନ୍ତି। ବାଟରେ ବାଇକ୍ ନେଇ ଯାତାୟାତ କରୁଥିବା ଲୋକଙ୍କୁ ପିଚ୍ଛା କରୁଛନ୍ତି। କେହି ବାଡ଼େଇବାକୁ ଉଦ୍ୟମ କଲେ କାମୁଡ଼ାର ଶିକାର ହେଉଛନ୍ତି। ପ୍ରତିଦିନ ୩୦ରୁ ଅଧିକ ବ୍ୟକ୍ତି କୁକୁର ଓ ମାଙ୍କଡ଼ କାମୁଡ଼ାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
[ad_2]