IBN ଓଡ଼ିଶା ବ୍ୟୁରୋ

ପରିବେଶବିତ ସୋନମ ୱାଙ୍ଗଚୁକ୍ ଅଟକ: ଦିଲ୍ଲୀ ପୋଲିସ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ପ୍ରଖ୍ୟାତ ପରିବେଶବିତ ସୋନମ ୱାଙ୍ଗଚୁକ୍ ଅଟକ। ସୋନମ ୱାଙ୍ଗଚୁକ୍ ପରିବେଶ ଓ ସାମ୍ବିଧାନିକ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରିଥିବା ଶତାଧିକ ଲଦାଖବାସୀଙ୍କୁ ଅଟକ ରଖିଛି ପୋଲିସ। ଦିଲ୍ଲୀ ପୋଲିସ ସିଂଘୁ ସୀମାରେ ୱାଙ୍ଗଚୁକ ଏବଂ ତାଙ୍କର ଶହ ଶହ ସମର୍ଥକଙ୍କୁ ଅଟକ ରଖିଛି। ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି।

ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ପ୍ରତି ସରକାରଙ୍କ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି। ସେ ଆହୁରି ସମାଲୋଚନା କରି କହିଛନ୍ତି,’ ସୋନମ ୱାଙ୍ଗଚୁକ୍ ଓ ଲଦାଖବାସୀଙ୍କୁ ଅଟକ ରଖିବା ଗ୍ରହଣୀୟ ନୁହେଁ। ଲଦାଖର ଭବିଷ୍ୟତ ପାଇଁ ଠିଆ ହୋଇଥିବା ବୟସ୍କମାନଙ୍କୁ ଦିଲ୍ଲୀ ସୀମାରେ କାହିଁକି ଅଟକାଯାଉଛି ? ଲଦାଖର ସ୍ୱର ଶୁଣିବା ଦରକାର।’

ସୂଚନା ଥାଉକି ସୋମବାର ବିଳମ୍ବିତ ରାତିରେ ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ତାଙ୍କ ୧୫୦ ସମର୍ଥକଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ଏହାର ଜବାବରେ ୱାଙ୍ଗଚୁକ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଖବର ସେୟାର କରିଛନ୍ତି। ତେବେ ଅଟକ ଥିବା ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କ ବହୁ ବୟସ୍କ ପୁରୁଷ ଓ ମହିଳା ଏବଂ କିଛି ଡଜନ ସେନାର ଯବାନ ରହିଛନ୍ତି। ଆଗକୁ କ’ଣ ହେବ ଆମେ ଜାଣିନାହୁଁ ବୋଲି ୱାଙ୍ଗଚୁକ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଲଦାଖର ନେତୃତ୍ୱଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ସରକାରଙ୍କୁ ଅନୁରୋଧ କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ପହିଲାରେ ବରିଷ୍ଠ ଏବଂ ବୟସ୍କ ନାଗରିକଙ୍କ ସମେତ ପଦଯାତ୍ରାକାରୀମାନେ ଲେହରୁ ପଦଯାତ୍ରା ଆରମ୍ଭ କରିଥିଲେ। ଲଦାଖର ଦୁର୍ବଳ ପରିବେଶ ଏବଂ ଏହାର ଆଦିବାସୀ ସମ୍ପ୍ରଦାୟକୁ ସୁରକ୍ଷା ଦେବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଲେହରେ ନଅ ଦିନିଆ ଅନଶନ ପରେ ୱାଙ୍ଗଚୁକ ଏହିପରି ପଦଯାତ୍ରା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button