ସବୁଠାରୁ ବଡ଼ ଓ ସଫଳ ଅଭିଯାନ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ସ୍ବଚ୍ଛତା ହି ସେବା’ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି। ଏହି ଅବସରରେ ମୋଦୀ ଆଜି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି, ଚଳିତ ଶତାବ୍ଦୀରେ ‘ସ୍ବଚ୍ଛ ଭାରତ ମିସନ୍’ ହେଉଛି ବିଶ୍ବର ସବୁଠାରୁ ବଡ଼ ଏବଂ ସବୁଠାରୁ ସଫଳ ଅଭିଯାନ।
ଏହାକୁ ଅନେକ ବର୍ଷ ପରେ ବି ଲୋକ ମନେ ରଖିବେ। ମୋଦୀ କହିଛନ୍ତି, ସ୍ବଚ୍ଛ ଭାରତ ମିସନ୍ ଲୋକଙ୍କର ଶକ୍ତିକୁ ସାର୍ବଜନୀନ ଅଂଶଗ୍ରହଣ ଏବଂ ସାର୍ବଜନୀନ ନେତୃତ୍ବ ଦ୍ବାରା ପ୍ରତିଫଳିତ କରିଛି। ମୋଦୀ କହିଛନ୍ତି, ଏବେଠାରୁ ୧ ହଜାର ବର୍ଷ ପରେ ଯେତେବେଳେ ଏକବିଂଶ ଶତାବ୍ଦୀର ଭାରତ ଉପରେ ଅଧ୍ୟୟନ ହେବ ସେ ସମୟରେ ବି ସ୍ବଚ୍ଛ ଭାରତ ଅଭିଯାନ ମନେ ରହିଥିବ। ଚଳିତ ଶତାବ୍ଦୀରେ ସ୍ବଚ୍ଛ ଭାରତ ମିସନ୍ ଏକ ପ୍ରଭାବଶାଳୀ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଲୋକଙ୍କ ନେତୃତ୍ବରେ କରାଯାଉଛି ଏବଂ ଦେଶବ୍ୟାପୀ ସବୁ ଅଂଚଳରେ ଲୋକମାନେ ଏଥିରେ ଯୋଗ ଦେଉଛନ୍ତି।
ମୋଦୀ କହିଛନ୍ତି, ସ୍ବଚ୍ଛ ଭାରତ ମିସନ୍ ହେଉଛି ଗତ ୧୦ ବର୍ଷ ମଧ୍ୟରେ କୋଟି କୋଟି ଭାରତୀୟଙ୍କର ଏକ ନିଃସ୍ବାର୍ଥ ପ୍ରତିବଦ୍ଧତାର ପ୍ରତୀକ। କୋଟି କୋଟି ଭାରତୀୟ ଏହାକୁ ଆପଣାଇଛନ୍ତି ଏବଂ ଏହାକୁ ସେମାନଙ୍କ ଜୀବନର ଏକ ଅଂଶରେ ପରିଣତ କରିଛନ୍ତି। ମୋଦୀ କହିଛନ୍ତି, ସ୍ବଚ୍ଛ ଭାରତ ମିସନ୍ ଯେତେ ସଫଳ ହେବ, ଆମ ଦେଶ ସେତେ ଅଧିକ ଚମକିବ। ମୋଦୀ ମଧ୍ୟ ସ୍ବଚ୍ଛତା ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।