ଦଳୀୟ ସଙ୍କେତ ବିବାଦ: ପୁତୁରା ଅଜିତଙ୍କ ବିରୋଧରେ ପୁଣି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଶରଦ ପାୱାର

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ ପାୱାରଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ‘ଘଡ଼ି’ ଚିହ୍ନ ବ୍ୟବହାର କରିବାରୁ ରୋକିବା ପାଇଁ ଦଳର ପ୍ରତିଷ୍ଠାତା ଶରଦ ପାୱାର ସୁପ୍ରିମକୋର୍ଟରେ ଏକ ନୂତନ ପିଟିସନ୍ ଦାଖଲ କରିଛନ୍ତି। ଶରଦ ପାୱାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଅଜିତ ପାୱାର ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ନୂତନ ନିର୍ବାଚନ ଚିହ୍ନ ନିମନ୍ତେ ଆବେଦନ କରିବା ଉଚିତ୍ ।
ନିର୍ବାଚନ ପ୍ରକ୍ରିୟା ସମୟରେ ନିରପେକ୍ଷତା ଓ ସ୍ପଷ୍ଟତା ବଜାୟ ରଖିବା ଉପରେ ଏହି ଆବେଦନରେ ଗୁରୁତ୍ବାରୋପ କରାଯାଇଛି। ନିର୍ବାଚନ କମିସନଙ୍କ ଦ୍ବାରା ଅସ୍ଥାୟୀ ଭାବେ ‘ତୁରା ବଜାଉଥିବା ଲୋକ’ ଚିହ୍ନ ପାଇଥିବା ଶରଦ ପାୱାର ଏନ୍ସିପି ଏବଂ ଘଡ଼ି ଚିହ୍ନ ମଧ୍ୟରେ ତାଙ୍କର ୨୫ ବର୍ଷର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଅଜିତ ପାୱାରଙ୍କୁ ଏହି ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେବା ଭୋଟରଙ୍କୁ ବିଭ୍ରାନ୍ତ କରିପାରେ ଏବଂ ନିର୍ବାଚନର ନିରପେକ୍ଷତାକୁ ବ୍ୟାହତ କରିପାରେ ବୋଲି ଆବେଦନରେ ଦର୍ଶାଯାଇଛି। ନିକଟରେ ସଂସଦୀୟ ନିର୍ବାଚନ ସମୟରେ ଦେଖାଯାଇଥିବା ଭୋଟର ଦ୍ୱନ୍ଦ୍ୱକୁ ମଧ୍ୟ ଏହି ପିଟିସନରେ ଦର୍ଶାଯାଇଛି। ନିର୍ବାଚନ ମଣ୍ଡଳୀଗୁଡ଼ିକର ଆକାର ଛୋଟ ଥିବାରୁ ଆଗାମୀ ବିଧାନସଭା ନିର୍ବାଚନରେ ଏହି ଦ୍ବନ୍ଦ୍ବ ଆହୁରି ବ୍ୟାପକ ହୋଇପାରେ। ନିରପେକ୍ଷ ପ୍ରତିଦ୍ୱନ୍ଦ୍ୱିତା ସୁନିଶ୍ଚିତ କରିବା ପାଇଁ ଏବଂ ଭୋଟରଙ୍କ ଦ୍ୱନ୍ଦ୍ୱରୁ ଫାଇଦା ଉଠାଇବାକୁ ରୋକିବା ପାଇଁ ଅଜିତ ପାୱାରଙ୍କୁ ଏକ ଭିନ୍ନ ଚିହ୍ନ ଚୟନ କରିବାକୁ ପଡ଼ିବ ବୋଲି ଆବେଦନରେ ଦର୍ଶାଯାଇଛି।




