ରାଜ୍ୟ

ଓଡ଼ିଶା ବାହାରେ ରାୟଗଡ଼ାର ‘ସୀତାଫଳ’

ରାୟଗଡ଼ା(ଶିବ ନାରାୟଣ ଗୌଡ): ରାୟଗଡ଼ା ଜିଲ୍ଳାର ପାହାଡ଼ିଆ ସୀତାଫଳ ଖାଇବା ପାଇଁ ସମସ୍ତଙ୍କ ରହିଛି ଦୁର୍ବଳତା। ଅଗଷ୍ଟ ମାସରୁ ଅକ୍ଟୋବର ତିନି ମାସ ଯାଏଁ ରାୟଗଡ଼ା ବଜାର ସମେତ ଜିଲ୍ଳାର ସୀମାନ୍ତ ଅଞ୍ଚଳରେ ‘ସୀତାଫଳ’ ପ୍ରଚୁର ପରିମାଣରେ ବିକ୍ରି ହୋଇଥାଏ। ସୀତାଫଳ ବିକି ରାୟଗଡ଼ା ଅଞ୍ଚଳର ଆଦିବାସୀ ମହିଳାମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି।

ସୀତାଫଳ କେବଳ ରାୟଗଡ଼ା ଜିଲ୍ଳାରେ ନୁହେଁ ଛତିଶଗଡ଼ର ରାୟପୁର, ଝାଡ଼ଖଣ୍ଡ, ଆନ୍ଧ୍ର, ତେଲେଙ୍ଗାନା ଭଳି ରାଜ୍ୟରେ ବିଭିନ୍ନ ବଜାରରେ ବିକ୍ରି ହେଉଛି।

ରାୟଗଡ଼ା ଜିଲ୍ଳା ସଦର ବ୍ଳକର ବାଇସିଙ୍ଗ, ଡାଙ୍ଗଲୋଡି, ପିପଲଗୁଡା, କାରୁବାଇ, କେରଡା, ଜେମାଦେଇପେଣ୍ଠ ଭଳି ଅନ୍ୟାନ୍ୟ ପଞ୍ଚାୟତଗୁଡିକର ଝରଡି, ବାଇସିଙ୍ଗ, ଝରବାଡି, ଅର୍ପଣା, ପାନବାଡି, ଡେଙ୍ଗାଯୋଡି, ଜନତା, ସାନ ଓ ବଡ ସିରଗୁ, ଶିକାଦୁଗ୍ରମ, କେରଡା, ଶେଷଖାଲ ଭଳି ଅନେକ ଗ୍ରାମର ଚାଷୀଙ୍କ ଜମିର ହିଡରେ ତଥା ବାଡିରେ ପ୍ରଚୁର ପରିମାଣରେ ସୀତାଫଳ ହେଉଛି। ସୀତାଫଳ କେବଳ ରାୟଗଡ଼ା ଜିଲ୍ଳାରେ ନୁହେଁ ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ସମେତ ବାହାର ରାଜ୍ୟରେ ମଧ୍ୟ ବିକ୍ରି ହେଉଛି। ଗଛରୁ ତୋଳିବା ପରେ ବସ୍ତା ବସ୍ତା ସୀତାଫଳକୁ ରାୟଗଡ଼ା ବଜାରକୁ ଆଣି ବିକ୍ରି କରିଥାନ୍ତି।

ବର୍ତ୍ତମାନ ଏକ ଝୁଡି ସୀତାଫଳକୁ ୨୫୦ରୁ ୩ଶହ ଟଙ୍କା ମଧ୍ୟରେ ଆଦିବାସୀ ମହିଳାମାନେ ରାୟଗଡ଼ା ବଜାରରେ ବିକ୍ରି କରୁଛନ୍ତି। ଯେଉଁ ସ୍ଥାନରେ ଲକ୍ଷ୍ମୀ ବସ୍‌ ସେବା ପହଞ୍ଚି ପାରୁଛି ସେଠାରୁ ମହିଳାମାନେ ସୀତାଫଳ ଆଣି ବଜାରରେ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। ଯେଉଁଠାରେ ଲକ୍ଷ୍ମୀବସ୍‌ ସେବା ଅପହଞ୍ଚ ଥିବା ଗାଁର ମହିଳାମାନେ ୮୦ରୁ ୧୦୦ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେଇ ଅଟୋରେ ସୀତାଫଳ ଆଣି ବିକ୍ରି କରନ୍ତି ବୋଲି ଉପରବମ୍ୱୁ ଗ୍ରାମର ସୀତାଫଳ ଚାଷୀମାନେ ପ୍ରକାଶ କରିଛନ୍ତି। ଅପରପକ୍ଷେ ବିନା ଟ୍ରେଡ୍‌ ଲାଇସେନ୍ସଧାରୀ ବ୍ୟବସାୟୀ ଆଦିବାସୀ ମହିଳାଙ୍କ ଠାରୁ କମ ମୂଲ୍ୟରେ ସୀତାଫଳକୁ କିଣି ବାହାରକୁ ରପ୍ତାନୀ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି।

ସୀତାଫଳ ଦିନେ ବା ଦୁଇ ଦିନରେ ନଷ୍ଟ ହୋଇ ଯାଉଥିବାରୁ ବିକ୍ରି ନ ହୋଇପାରିଲେ ସୀତାଫଳକୁ ନେଇ ବେଶ୍‌ କ୍ଷତି ସହୁଛନ୍ତି ବୋଲି ମହିଳା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ରାୟଗଡ଼ାର ଉକ୍ତ ଅଞ୍ଚଳରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ସୀତାଫଳ ବଜାରକୁ ଆସୁଛି। କିନ୍ତୁ ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ମଧ୍ୟ କୌଣସି ବ୍ୟବସ୍ଥା ଉପଲବ୍ଧ କରାଉ ନ ଥିବାରୁ ବାହାରରାଜ୍ୟରୁ ବେପାରୀମାନେ ଆସି କମ୍‌ ମୂଲ୍ୟରେ ଆଦିବାସୀ ଚାଷୀଙ୍କ ଠାରୁ ସୀତାଫଳ କିଣି ନେଇ ବହୁତ ମୁନାଫା କମାଉଛନ୍ତି। ରାୟଗଡ଼ାରେ ଏକ ଶୀତଳ ଭଣ୍ଡାରର ସ୍ଥାପନା ହେଲେ ସୀତାଫଳ ଚାଷୀ ଉପକୃତ ହୋଇପାରିଥାନ୍ତେ ବୋଲି ବ୍ୟବସାୟୀମାନେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button