ରାଜ୍ୟ

ଡ୍ରାଗନ୍‌ ଫ୍ରୁଟ ଚାଷ କରି ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବଲାଙ୍ଗିରର ଲକ୍ଷ୍ମଣ ଦଣ୍ଡସେନା

ଲାଙ୍ଗିର(ଅଭିଳାଶ ହୋତା): କିଛି ବର୍ଷ ପୂର୍ବରୁ ପାଖରେ ଥିବା କମ୍‌ ପରିମାଣ ଜମିରେ ପାରମ୍ପରିକ ଧାନ ଓ ପରିବା ଚାଷ କରି ଅଭାବ ଅନାଟନରେ ଚଳୁଥିଲେ। କିନ୍ତୁ ଡ୍ରାଗନ୍‌ ଫ୍ରୁଟ ଚାଷ କରି ଦୁଇ ବର୍ଷ ମଧ୍ୟରେ ନିଜର ଆର୍ଥିକ ପରିସ୍ଥିତିକୁ ସୁଦୃଢ଼ କରିବା ସହ ଆତ୍ମନର୍ଭର ହୋଇପାରିଛନ୍ତି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ ନାଇକେନପାଲି ଗାଁର ଚାଷୀ ଲକ୍ଷ୍ମଣ ଦଣ୍ଡସେନା ।

ବର୍ତ୍ତମାନ ସମୟରେ ଡ୍ର୍‌ାଗନ ଫ୍ରୁଟର ଭଲ ଚାହିଦା ରହିଛି। ସ୍ୱାସ୍ଥ୍ୟ ପାଇଁ ଏହି ଫଳର ଅନେକ ଉପାଦେୟତା ଗୁଣ ରହିଛି। ଯାହାଫଳରେ ଏହାର ଦର ମଧ୍ୟ ବଜାରରେ ଅଧିକ ରହିଛି। କିଛି ବର୍ଷ ପୂର୍ବରୁ ଏହି ଚାଷ କରିବା ପାଇଁ କେହି ରାଜି ହେଉନଥିଲେ। ଏବେ ବି ବଲାଙ୍ଗିର ଜିଲ୍ଲାରେ ଅଧିକ ପରିମାଣର ଚାଷ ହେଉନାହିଁ ସତ କିନ୍ତୁ ଯେଉଁ କମ ପରିମାଣ ଜମିରେ ଚାଷ କରାଯାଉଛି ସେଥିରେ ଚାଷୀଙ୍କୁ ଭଲ ଲାଭ ମିଳୁଛି। ଏହି ଚାଷ କରି ଦୁଇ ବର୍ଷ ଭିତରେ ଭଲ ଲାଭ ପାଇଥିବା ଜଣେ ଚାଷୀ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ ନାଇକେନପାଲି ଗାଁର ଲକ୍ଷ୍ମଣ ଦଣ୍ଡସେନା।

ଲକ୍ଷ୍ମଣଙ୍କ ଅଳ୍ପ ପରିମାଣର ଜମି ରହିଛି। ପ୍ରାୟ ଅଧ ଏକର ଜମିରେ ସେ ଧାନ ଚାଷ କରୁଥିବା ବେଳେ ଘର ବାରିପଟେ ଥିବା ୨୫ ଡିସମିଲ ଜମିରେ ପରିବା ଚାଷ କରୁଥିଲେ। ଏଥିରେ ବିଶେଷ କିଛି ଲାଭ ମିଳୁନଥିବା ବେଳେ ଡ୍ରାଗନ୍‌ ଫ୍ରୁଟ୍‌ ଚାଷ ବିଷୟରେ ଶୁଣି ୨୦୨୧ ମସିହାରେ ଏହି ଚାଷ କରିବା ପାଇଁ ମନସ୍ଥ କଲେ। ପ୍ରଥମେ ପରୀକ୍ଷାମୂଳକ ଭାବେ ୨୦୨୧ ନଭେମ୍ବର ମାସରେ କଳାହାଣ୍ଡିରୁ କିଛି ଚାରା ଆଣି ଲଗାଇ ଥିଲେ। ଏହା ପରେ ପୁଣି ୨୦୨୨ ମାର୍ଚ୍ଚ ମାସରେ ହରିଆନାରୁ କିଛି ଚାରା ଆଣି ଲଗାଇଥିଲେ। ବର୍ତ୍ତମାନ ତାଙ୍କର ୨୫ ଡିସମିଲ ଜମିରେ ପ୍ରାୟ ସାତ ଶହ ଡ୍ରାଗନ୍‌ ଫ୍ରୁଟ୍‌ ଗଛ ରହିଛି। ବର୍ଷେ ଗଛର ଯତ୍ନ ନେବା ପରେ ୨୦୨୩ ମେ ମାସରେ ଡ୍ରାଗନ୍‌ ଫ୍ରୁନ୍‌ ଅମଳ ହୋଇଥିଲା। ଏହି ଚାଷ କରିବା ପାଇଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରଥମ ବର୍ଷରେ ହିଁ ପ୍ରାୟ ୬ କ୍ୱିଣ୍ଟାଲ ଡ୍ରାଗନ୍‌ ଫ୍ରୁଟ ଅମଳ କରିଥିଲେ। କେଜି ପ୍ରତି ଦୁଇ ଶହ ଟଙ୍କାରେ ବିକ୍ରୀ କରି ପ୍ରଥମ ବର୍ଷରେ ହିଁ ସେ ଖର୍ଚ୍ଚ କରିଥିବା ଟଙ୍କା ଭରଣା ହୋଇପାରିଥିଲା। ଚଳିତ ବର୍ଷ ଦ୍ୱିତୀୟ ବର୍ଷରେ ଅଧିକ ପରିମାଣର ଡ୍ରାଗନ୍‌ ଫ୍ରୁଟ ଅମଳ ହୋଇଥିବା ସେ କହିଛନ୍ତି। ଗତ ମେ ମାସରୁ ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧୦ କ୍ୱିଣ୍ଟାଲ ବିକ୍ରୀ କରିଥିବା ବେଳେ ଆଉ ୧୦ କ୍ୱିଣ୍ଟାଲ ଅମଳ ହେବ ବୋଲି ଆଶା କରିଛନ୍ତି। ମାତ୍ର ଦୁଇ ବର୍ଷରେ ସେ ଖର୍ଚ୍ଚ ଟଙ୍କା ବାହାର କରିବା ସହ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲାଭ ପାଇସାରିଥିବା ପ୍ରକାଶ କରିଛନ୍ତି। ତାଙ୍କ ଜମିରେ ହୋଇଥିବା ଟ୍ରାଗନ ଫ୍ରୁଟ ସେ ଝାରସୁଗୁଡା, ନବରଙ୍ଗପୁରକୁ ପଠାଇବା ସହ ଆଖପାଖ ଜିଲ୍ଲାରୁ ବେପରୀ ଆସି କିଣି ନେଉଛନ୍ତି। ଜିଲ୍ଲାରେ ହାତଗଣତି କିଛି ଚାଷୀ ଡ୍ରାଗନ ଫ୍ରୁଟ ଚାଷ କରୁଥିବା ବେଳେ ଲକ୍ଷ୍ମଣ ନିଜ ପାଖରେ ଥିବା କମ ଜମିରେ ଚାଷ କରି ଭଲ ଆୟ କରି ଉଦାହରଣ ସାଜିଛନ୍ତି। ଏହି ଚାଷ ଦ୍ୱାରା ନିଜ ପରିବାରର ଆର୍ଥିକ ପରିସ୍ଥିତିକୁ ସୁଦୃଢ଼ କରିବା ସହ ଆତ୍ମନର୍ଭର ହୋଇପାରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button