ରାଜ୍ୟ

ଓଡ଼ିଆ ମୂର୍ତ୍ତିରେ ରହୁନି ଉତ୍କଳୀୟ ଛାପ; ପାର୍ବଣ ଆସିଲେ ଖୋଜାପଡ଼ନ୍ତି ବାହାର କାରିଗର

ଭୁବନେଶ୍ୱର, ସସ୍ମିତା ମଲ୍ଲ/୪।୯: ମୂର୍ତ୍ତି ନିର୍ମାଣରେ ହଜିବାକୁ ବସିଲାଣି ଉତ୍କଳୀୟ ଛାପ । ଦିନକୁ ଦିନ ପରିବର୍ତ୍ତନ ହେଉଛି ମୂର୍ତ୍ତି ଗଠନର ଶୈଳୀ । ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ବାହାର ଢାଞ୍ଚାରେ ମୂର୍ତ୍ତି ତିଆରି କରୁଛନ୍ତି । ଉତ୍କଳୀୟ ଛାଞ୍ଚର ମୂର୍ତ୍ତି ଗଢ଼ିବାକୁ ଅମଙ୍ଗ ହେଉଛନ୍ତି । ଉତ୍କଳୀୟ ଶୈଳୀରେ ଆସନମୂର୍ତ୍ତି, ଦଣ୍ଡାୟମାନ ମୂର୍ତ୍ତି ଓ ନୃତ୍ୟମୂର୍ତ୍ତି ମଧ୍ୟରେ ଗଣେଶ ବିରାଜମାନ କରିବା ସହ ହାତରେ ଜପାମାଳ, ପରଶୁ, ଗଦା ଦନ୍ତ ଖଣ୍ଡ ପରି ଅନେକ ଜିନିଷ ଦେଖିବାକୁ ମିଳେ ।

ହେଲେ ଏବେ ଆମର ପ୍ରତିଟି ମୂର୍ତ୍ତି ମହାରାଷ୍ଟ୍ର ଶୈଳୀରେ କରାଯାଉଛି । ପାର୍ବଣ ଋତୁ ଆସିଲେ ଓଡ଼ିଶାର ସହର ଓ ଗାଁ ମାନଙ୍କରେ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ଗଣେଶ ପୂଜା, କାର୍ତ୍ତିକେଶ୍ୱରଙ୍କ ସମେତ ସରସ୍ୱତୀ ପୂଜା ବଡ଼ ଧୁମ୍ଧାମରେ ପାଳନ କରାଯାଏ । ଏଥିପାଇଁ ବିଶାଳକାୟ ମୂର୍ତ୍ତି ବି ତିଆରି କରାଯାଉଛି ।

ହେଲେ ସେଥିରେ ଆମ ଉତ୍କଳୀୟ ଶୈଳୀରେ ପୂଜା ପାଉଥିବା ଦେବଦେବୀଙ୍କ ଭଳି ମୂର୍ତ୍ତିର ନା ଆକୃତି ରହୁଛି ନା ଗଠନ ଶୈଳୀ । ଦୁର୍ଗା ମା’ଙ୍କ ଆଖି ପଶ୍ଚିମବଙ୍ଗ ଶୈଳୀରେ କରାଯାଉଥିବା ବେଳେ ଗଣେଶଙ୍କ ଶୈଳୀରେ ମହାରାଷ୍ଟ୍ର ଓ କୋଲକାତାର ଛାପ ବାଜୁଛି । ଆମ ମନ୍ଦିରମାନଙ୍କରେ ଗଣେଶ ମୂର୍ତ୍ତି ଗଣେଶ ପୂଜା ମୂର୍ତ୍ତିରେ ଦେଖିବାକୁ ମିଳୁନି । ଏଭଳି ମୂର୍ତ୍ତି ଗଠନ ଶୈଳୀକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ନିନ୍ଦା କରାଯାଉଛି । ସାଧାରଣତଃ ଦେଖିବାକୁ ମିଳେ ଓଡ଼ିଶାରେ ତିନି ଶ୍ରେଣୀର ଗଣେଶ ପ୍ରତିମା । ଆସନମୂର୍ତ୍ତି, ଦଣ୍ଡାୟମାନ ମୂର୍ତ୍ତି ଓ ନୃତ୍ୟମୂର୍ତ୍ତି । ଆସନମୂର୍ତ୍ତିରେ ଗଣେଶ ସିଂହଯୁକ୍ତ କାଠ ଆସନ ଉପରେ ବସିଥିବା ଦେଖିବାକୁ ମିଳିଥାଏ । ଗଣେଶଙ୍କ ଚର୍ତୁଭୁଜରେ ଜପମାଳା, ଚମ୍ପକପୁଷ୍ପ, କୁଠାର କିମ୍ବା ପରଶୁ ଏବଂ ଲଡୁକ ପାତ୍ର ଦେଖିବାକୁ ମିଳେ ।

ଗଣେଶଙ୍କ ମୁଖ୍ୟ ଦୁଇ ହାତ ତଳକୁ ଅନ୍ୟ ଦୁଇ ହାତ ଉପରକୁ ଥିବା ପ୍ରତିମୂର୍ତ୍ତି ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ପଶ୍ଚିମେଶ୍ୱର, ମାର୍କଣ୍ଡେଶ୍ୱର, ମେଘେଶ୍ୱର ମନ୍ଦିରରେ ଦେଖାଯାଏ । ସେମିତି ନୃତ୍ୟମୂର୍ତ୍ତିରେ ଗଣେଶ ବିଶ୍ୱପଦ୍ମ ଉପରେ କିମ୍ବା ମୂଷିକ ବାହନ ଉପରେ ନୃତ୍ୟ କରୁଥିବା ଦେଖାଯାଏ । ଗଣେଶ ପଞ୍ଚମୁଖ, ଦଶଭୁଜ, ଶକ୍ତିଗଣପତି, ଲକ୍ଷ୍ମୀଗଣପତି ମୂର୍ତ୍ତି ଦେଖିବାକୁ ମିଳେ । ଗଣେଶ ହାତରେ ଚକ୍ର, ଶର, ତ୍ରିଶୂଳ, ଦନ୍ତ ଖଣ୍ଡ, ଗଦା, ଅଙ୍କୁଶ, ପୁଷ୍ପ, ଚକ୍ର, ଧାନକେଣ୍ଡା, ନାଗ ଫାଶ, ଆଖୁ ଭଳି ଜନିଷ ଧାରଣ କରିଥାନ୍ତି । ବହୁ ଗଣେଶ ମୂର୍ତ୍ତି ପଦ୍ମ ଉପରେ ବସିଥିବା ଦେଖାଯାଇଥାଏ । ହେଲେ ଏବେ କାରିଗରଙ୍କ ହାତରେ ତିଆରି ହେଉଥିବା ଗଣେଶ ମୂର୍ତ୍ତିରେ ଆମ ଉତ୍କଳୀୟ ପରମ୍ପରାର ତାଳମେଳ ରହୁନି । ଆମ ମୂର୍ତ୍ତି ମହାରାଷ୍ଟ୍ର ଢଞ୍ଚାରେ ହେଉଛି । ଶିବଙ୍କ ଶରୀର କିନ୍ତୁ ମସ୍ତକ ଗଣେଶଙ୍କର, ଦୋଳିରେ ଗଣେଶ ଝୁଲଛନ୍ତି, ଦୁଇ ୩ଟି ଘୋଡ଼ା ମଝିରେ ଗଣେଶ, ରଥ ଉପରେ ଗଣେଶ ତାଙ୍କ ଉପରେ ସାଇବାବା…ମନଇଚ୍ଛା ଯେଉଁଭଳି ଥିମ୍ ମନକୁ ଆସିଲା କିମ୍ବା ସୋସିଆଲ ମିଡିଆରେ ଭାଇରାଲ ହେଲା ସେଇ ଭଳି ଭାବେ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରାଗଲା ।

ଏହାକୁ ନେଇ କିଛି ବୁଦ୍ଧିଜୀବୀ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଅଭିଯୋଗ ବ୍ୟକ୍ତ କରିବା ଛଳରେ କହିଥିଲେ, ଓଡ଼ିଶାର ପ୍ରତ୍ୟେକ କୋଣ, ଅନୁକୋଣରେ ପୁରାତନ ମନ୍ଦିରର ଗଣେଶ ବିଗ୍ରହକୁ ଭଲରେ ତର୍ଜମା କରି ସେଇ ଭଳି ମୂର୍ତ୍ତି ଗଢ଼ାଯାଇ ତାକୁ ମଣ୍ଡପରେ ପ୍ରତିଷ୍ଠା କରାଯାଇ ପୂଜା କରାଯାଇ ପାରିବ । ଆମ ରାଜ୍ୟରେ ପୂଜା ହେବା ମୂର୍ତ୍ତି ନକଲ କିମ୍ବା ଅନ୍ୟ ରାଜ୍ୟ ଶୈଳୀରେ କରାଯିବା ନେଇ ନିନ୍ଦା ମଧ୍ୟ କରଛନ୍ତି । ପ୍ରତ୍ନତତ୍ତ୍ୱବିତ୍ ଦୀପକ କୁମାର ନାୟକଙ୍କ କହିବାନୁସାରେ ଏକାମ୍ରରେ ଖୋଜିଲେ ଉତ୍କଳୀୟ ଶୈଳୀରେ ଏମିତି ଗଣେଶ ମୂର୍ତ୍ତି ମିଳିବ ତାହାକୁ ଦେଖି ଘଡିଏ ଅଟକିଯିବାକୁ ମନ ହେବ । କିନ୍ତୁ ଆଧୁନିକତାକୁ ଏତେ ମାତ୍ରାରେ ଗ୍ରହଣ କରାଯାଉଛି ଯେ ଆମେ ଆମ ଦେବଦେବୀଙ୍କ ଅସଲ ଶୈଳୀକୁ ଭୁଲିଯାଉଛେ । ଏହି ମୂର୍ତ୍ତି ଗୁଡ଼ିକ ମଧ୍ୟ ଆମ ରାଜ୍ୟର କାରିଗର ତିଆରି କରୁନାହାନ୍ତି । ପଶ୍ଚିମବଙ୍ଗରୁ କାରିଗର ଆସୁଛନ୍ତି ।

ଓଡ଼ିଶା ସମେତ ଭୁବନେଶ୍ୱରରେ ବଡ଼ ବଡ଼ ପୂଜା ଅୟୋଜକମାନେ ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଏହି କାରିଗରଙ୍କୁ ନେଇ ଆସନ୍ତି । ଏଇଠି ରହି ଦିନକୁ ୧୫୦୦ଟଙ୍କାରୁ ଅଧିକ ମଜୁରି ନେଇ ଗଢ଼ନ୍ତି ତାଙ୍କ ଶୈଳୀର ମୂର୍ତ୍ତି । ବହୁ ପୂଜା ମଣ୍ଡପ କର୍ମକର୍ତ୍ତା କୁହନ୍ତି, ଆମ ଓଡ଼ିଆ କାରିଗର ସେମିତି ମୂର୍ତ୍ତି କରିପାରୁନାହାନ୍ତି । ମୂର୍ତ୍ତି ଚିକ୍କଣ ହେଉନି । ଆକର୍ଷଣୀୟ ଦେଖାଯାଉନି । ଏମିତି ଅନେକ କଥା କହି ଓଡ଼ିଆ କାରିଗରଙ୍କ ପେଟରେ ଲାତ ମାରନ୍ତି । କିନ୍ତୁ ଏହି ମୂର୍ତ୍ତି ତିଆରି ପାଇଁ ରାସାୟନିକ ରଙ୍ଗ, ମାଟି ସହ ପ୍ଲାଷ୍ଟର ଅଫ ପାରିସ୍ ମିଶାଯାଏ । ଯାହାକୁ ବିସର୍ଜନ କଲେ ଜଳ ପ୍ରଦୂଷଣ ହେବା ଥୟ । କିନ୍ତୁ ଓଡ଼ିଶାର ମୂର୍ତ୍ତି କାରିଗର ମାଟିରେ କାମ କରନ୍ତି । ବିସର୍ଜନ ବେଳେ ମଧ୍ୟ ସମସ୍ୟା ହୁଏନା କାରଣ ଏଥିରେ ଥାଏ ନଡ଼ା, କୁଟା ଏବଂ ପ୍ରାକୃତିକ ରଙ୍ଗ । ଯାହା ପ୍ରଦୂଷଣ କରୁନଥିଲା । ଓଡ଼ିଆ କାରିଗରଙ୍କ ପେଟକୁ ମାରି ଆମେ ଏବେ ବାହାର ମୂର୍ତ୍ତି କାରିଗରଙ୍କୁ ଧନୀ କରିବାରେ ଲାଗିପଡ଼ିଛୁ ବୋଲି ମତପ୍ରକାଶ ପାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button