ରାଜ୍ୟ

ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ; ମା’, ମାର ମାଟି ଏବଂ ମା’ର ଭାଷାକୁ ଭଲ ପାଅ: ରାଷ୍ଟ୍ରପତି – Ibnodisha

[ad_1]

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ଭାବରେ ମୁଁ ନିଜକୁ ଗୌରବାନ୍ୱୀତ ମନେ କରୁଛି । ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ କେବଳ ଭାରତରେ ନୁହଁନ୍ତି ପୃଥିବୀର ବିଭିନ୍ନ ସ୍ଥାନରେ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ନିଜ ପାଇଁ ଏବଂ ଏହି ବିଶ୍ୱବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ, ଜ୍ଞାନପୀଠ ପୁରସ୍କାର ବିଜେତା ଡ.ପ୍ରତିଭା ରାୟ, ସିଏଜି ଗିରିଶଚନ୍ଦ୍ର ମୁର୍ମୁ, କେନ୍ଦ୍ରସରକାରଙ୍କ ପରମାଣୁ ବିଭାଗ ସଚିବ ଅଜିତ କୁମାର ମହାନ୍ତି, ଶାନ୍ତିସ୍ୱରୁପ ଭଟ୍ଟନାଗର ପୁରସ୍କାର ବିଜେତା ବେଦାଙ୍ଗ ଦାସ ମହାନ୍ତି ପ୍ରମୁଖ ବିଶ୍ୱବିଦ୍ୟାଳୟର ଗୌରବ ବହନ କରୁଥିବା ଛାତ୍ରଛାତ୍ରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରକାଶ କରିଛନ୍ତି ।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ରଖି କହିଛନ୍ତି ଯେ ମା’, ମାର ମାଟି ଏବଂ ମା’ର ଭାଷାକୁ ସବୁବେଳେ ଭଲ ପାଅ । ମା’ ଆମକୁ ଜନ୍ମ ଦେଇଛି, ଲାଳନ ପାଳନ କରିଛି ଏବଂ ଏ ପୃଥିବୀ ସହିତ ପରିଚିତ କରାଇଛି, ମା’ ଠାରୁ ବଳି ବଡ଼ ଆଉ କେହି ସଂସାରରେ ନାହିଁ । ପୁଣି ମାତୃଭୂମି ମଧ୍ୟ ଆମକୁ ଲାଳନ ପାଳନ କରୁଛି । ଆମ ଦେଶର ମାଟି, ପାଣି ଓ ପବନ ବିନା ଆମର ଜୀନନ କାହିଁ । ମା’ ଓ ମାଟି ପରି ମାତୃଭାଷା ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ । ମା’ ଶିଶୁର ପ୍ରଥମ ଶିଖିକା ଏବଂ ଶିଶୁଟି ମା’ର ଭାଷାରେ ପୃଥିବୀ ଚିହ୍ନେ । ତେଣୁ ମାତୃଭାଷାରେ ଶିକ୍ଷାଲାଭ କଲେ ଛାତ୍ରଛାତ୍ରୀମାନଙ୍କ ସ୍ୱାଭାବିକ ବିକାଶ ଘଟିବ । ଆଉ ଯେତେ ଭାଷା ପାରୁଛ ଶିଖ, ହେଲେ ନିଜ ମାତୃଭାଷା ମହତ ରଖ । ସ୍କୁଲ ଶିକ୍ଷା, ବୈଷୟିକ ଶିକ୍ଷା ଏପରିକି ଉଚ୍ଚ ଶିକ୍ଷା ମଧ୍ୟ ମାତୃଭାଷାରେ ଶିକ୍ଷାଦାନ ଦିଆଯିବା ଆବଶ୍ୟକ । ମାତୃଭାଷାରେ ଶିକ୍ଷା ଲାଭ କଲେ ପିଲାମାନେ ନିଜ ସଂସ୍କୃତି ସହିତ ଜଡ଼ିତ ହୋଇ ରହିବେ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଉପଲକ୍ଷେ କହିଥିଲେ ଯେ ଆଜି ଦିନଟି ତୁମମାନଙ୍କ ପାଇଁ ସ୍ମରଣୀୟ ଦିନ ହୋଇରହିବ । ତୁମେମାନେ ଆଜି ଡିଗ୍ରୀ ଲାଭ କରିଛ । ତୁମମାନଙ୍କ ପଛରେ ତୁମର ନିଷ୍ଠା ଓ ପରିଶ୍ରମ ନିଶ୍ଚୟ ରହିଛି, ତା’ ସହିତ ତୁମର ପିତାମାତା, ଅଭିଭାବକ ଓ ଅଧ୍ୟାପକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଏଥିପାଇଁ ତୁମମାନଙ୍କୁ ଆଶୀର୍ବାଦ ଦେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି କହିଛନ୍ତି ଯେ ଦୀକ୍ଷାନ୍ତ ସମାରୋହ ଦିନ ବିଦ୍ୟାର୍ଥୀଙ୍କ ପାଇଁ ମହତ୍ୱପୂର୍ଣ୍ଣ ଦିନ ହୋଇଥାଏ । ଆଜି ଉପାଧି ପାଇବା ପରେ ଆପଣମାନେ ସମସ୍ତେ ନିଜ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତ ହୋଇ ନିଜ କାମ ପ୍ରତି ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ । ଉପାଧିପ୍ରାପ୍ତ ବିଦ୍ୟାର୍ଥୀଙ୍କ ଦାୟିତ୍ୱ ହେଉଛି ନିଜ ଆଚରଣରେ ଏଭଳି ପରିବର୍ତ୍ତନ ଆଣନ୍ତୁ, ଯଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥାଇ ସେଠାରେ ନିଜର ବିଶ୍ୱବିଦ୍ୟାଳୟର ନାମ ଗୌରବାନ୍ୱୀତ କରିପାରିବେ । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର ମଞ୍ଜି ପୋତା ଯାଇଥିଲା । ଷାଠିଏ ଦଶକର ପ୍ରାରମ୍ଭରେ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି କେବଳ ଓଡ଼ିଶା ନୁହେଁ ଭାରତ ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ଏବଂ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । କୁଳସଚିବ ଡ.କାହ୍ନୁଚରଣ ଧୀର ଦୀକ୍ଷାନ୍ତ ସମାରୋହ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ.ପ୍ରମୋଦ କୁମାର ମିଶ୍ର, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଈଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ତଥା ଡିଲିଟ ଉପାଧି ପ୍ରଦାନ କରାଯାଇଥିଲା । ୧୯୭୨ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଡକ୍ଟର ମିଶ୍ରଙ୍କର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟର ପ୍ରଶାସନିକ ଅଭିଜ୍ଞତା ରହିଛି । ସେ ଗୁଜରାଟ ସରକାର ଏବଂ ଭାରତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଡକ୍ଟର ମିଶ୍ରଙ୍କର ପ୍ରଶାସନିକ ସେବା ବ୍ୟତୀତ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ବିଶେଷ ଖ୍ୟାତି ରହିଛି । ସେହିପରି ଏହି ସମାବର୍ତ୍ତନ ଉତ୍ସବରେ ୧୬୬ଜଣଙ୍କୁ ପିଏଚଡି ଡିଗ୍ରୀ ଏବଂ ୯୫ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ଏହାସହିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ମିଶାଇ ୧୦୬ ଜଣଙ୍କୁ ପୁରସ୍କାର ଓ ଅର୍ଥରାଶୀ ପ୍ରଦାନ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button