ରାଜ୍ୟ

ଦିନତମାମ ବିଧାନସଭା ହୁଲସ୍ତୁଲ: ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼..’ ନାରାରେ କମ୍ପିଲା ଗୃହ – Ibnodisha

[ad_1]

ଭୁବନେଶ୍ବର: ବିଧାନସଭା ଆଜି ହୁଲସ୍ତୁଲ ହୋଇଛି। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳୁ ନଥିବା ପ୍ରତିବାଦରେ ବିଜେପି ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିଥିଲେ। ଦିନତମାମ ଗୃହ ମଧ୍ୟ ଭାଗରେ ନାରାବାଜି କରିବାରୁ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହର ପରିସ୍ଥିତି ସ୍ବାଭାବିକ ହୋଇପାରିନଥିଲା। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନକୁ ଦେଖାଇବା ସହ କାହିଁକି ତାହାକୁ ତାଲିକାଭୁକ୍ତ କରାଗଲା ନାହିଁ ବୋଲି ପଚାରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖି ଏକ ପ୍ରଶ୍ନର ଉତ୍ତର ରଖିବାକୁ ଅର୍ଥ ମନ୍ତ୍ରୀଙ୍କୁ ଡାକିଥିଲେ। ବିଜେପି ସଭ୍ୟମାନେ ଆରମ୍ଭ କରିଦେଇଥିଲେ ନାରାବାଜି… ‘ଗଣତନ୍ତ୍ରର ହତ୍ୟା କରିବା ବନ୍ଦ କର’, ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼, ମୁଖ୍ୟମନ୍ତ୍ରୀ ତୁମେ ଜବାବ ଦିଅ’। ଏହି ସମୟରେ ବିଜେଡି ସଭ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। କେନ୍ଦ୍ରୀୟ ଅବହେଳା ବିଶେଷ କରି ଜାତୀୟ ରାଜପଥ ନିର୍ମାଣରେ ଅବହେଳା କଥା କହି ବିଜେପି ସଭ୍ୟମାନଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ୍ ଦେଇଥିଲେ। ଫଳରେ ଗୃହର ପରିବେଶ ଅଶାନ୍ତ ହୋଇପଡ଼ିଥିଲା। ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ। କିନ୍ତୁ ବିଜେପି ସଭ୍ୟମାନେ ହୋହଲ୍ଲା କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ମୁଖ୍ୟମନ୍ତ୍ରୀ କହିସାରିଲା

ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିବା ପାଇଁ ଠିଆ ହେଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଲେ। ଶ୍ରୀ ମିଶ୍ର କହିବା ଆରମ୍ଭ କଲା ବେଳେ ଶାସକ ଦଳ ସଭ୍ୟମାନେ ଠିଆ ହୋଇ ହୋହଲ୍ଲା କଲେ। ତାହାରି ଭିତରେ ଶ୍ରୀ ମିଶ୍ର କହିଥିଲେ, ଜଣେ ସଚିବ ସରକାରୀ ପଇସାରେ ଜିଲ୍ଲା ଗସ୍ତ କରୁଛନ୍ତି। ସେହି ଗସ୍ତ ଖର୍ଚ୍ଚ ସମ୍ପର୍କରେ ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି। କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି। ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କଲେ ତାହାର ଉତ୍ତର ମିଳୁନି। କାହିଁକି ଉତ୍ତର ଦିଆଯିବନି, ତାହା ବି ବିଧାୟକଙ୍କୁ ଜଣାଯାଉ ନାହିଁ। ତେବେ ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ସରି ନଥିଲା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଯିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟରେ ଗଣତନ୍ତ୍ର ନାହିଁ। ବିଧି ବ୍ୟବସ୍ଥାରେ ଗୃହ ପରିଚାଳିତ ହେଉ ନାହିଁ। ଗୃହରେ ଅଚଳାବସ୍ଥା ଚାଲିଥିଲା ବେଳେ ଜବରଦସ୍ତି ଗୃହ ଚଳାଯାଉଛି। ମୁଖ୍ୟମନ୍ତ୍ରୀ କ’ଣ ପଢ଼ିଲେ ତାହା ଶୁଣାଗଲା ନାହିଁ। ଗୃହରେ ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନି। ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରାଯାଉନି। ମୁଖ୍ୟମନ୍ତ୍ରୀ ଗୁମାସ୍ତାଙ୍କ ଦ୍ବାରା ଶାସନ କରାଉଛନ୍ତି। ଗୁମାସ୍ତାଙ୍କ ସଭାକୁ ଲୋକ ଆଣିବା ପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଟଙ୍କା ଦେଇ ଲୋକ ଆଣୁଛନ୍ତି। ଏହା ଦୁର୍ଭାଗ୍ୟଜନକ ଘଟଣା।

ସଚିବଙ୍କ ଗସ୍ତ ଖର୍ଚ୍ଚକଥା ରାଜ୍ୟବାସୀ ଜାଣନ୍ତୁ: ଜୟନାରାୟଣ
‘ସଚିବ ବଡ଼ ନା ମନ୍ତ୍ରୀ ବଡ଼..’ ନାରାରେ କମ୍ପିଲା ଗୃହ
ମୁଖ୍ୟମନ୍ତ୍ରୀ ଗୁମାସ୍ତାଙ୍କ ଦ୍ବାରା ଶାସନ କରୁଛନ୍ତି: ନରସିଂହ
ଏନ୍‌ଏଚ୍‌ ପ୍ରସଙ୍ଗ ଉଠାଇ ପାଲଟା ଆକ୍ରମଣ କଲେ ଶାସକ ଦଳ

ଉଭୟ ଶାସକ ଓ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହ ଚାଲିବା ସମ୍ଭବ ନଥିଲା। ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ୪ଟାରେ ସମାନ ସ୍ଥିତି ଲାଗି ରହିଥିବାରୁ ବାଚସ୍ପତି ଗୃହକୁ ଅଧ ଘଣ୍ଟା ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ଚାଲିଥିବାରୁ ତିନିଟି ପର୍ଯ୍ୟାୟରେ ୫ଟା ୨୧ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଗଲା। ବୈଠକରେ କୌଣସି ନିଷ୍କର୍ଷ ନ ବାହାରିବାରୁ ପୁଣି ଗୃହରେ ବିଜେପି ସଭ୍ୟମାନେ ହୋହଲ୍ଲା ଜାରି ରଖିଲେ। ତାହାରି ଭିତରେ ବିଭିନ୍ନ ବିଲ୍ ଉପସ୍ଥାପନ କରାଯାଇଥିଲା। ୬ଟାରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ସୂଚନାଯୋଗ୍ୟ ଯେ ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ସାଧାରଣ ପ୍ରଶାସନ ବିଭାଗ ଉଦ୍ଦେଶ୍ୟରେ ଦେଇଥିବା ଲିଖିତ ପ୍ରଶ୍ନ ଥିଲା, ରାଜ୍ୟରେ ବହୁଳ ଭାବେ ପ୍ରଚାରିତ ୫-ଟି ନାମରେ ଏକ ନୂଆ ବିଭାଗ ଖୋଲିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକ କିମ୍ବା ମନ୍ତ୍ରିମଣ୍ଡଳ ବୈଠକରେ ହୋଇଥିବା ପ୍ରୋସିଡିଂର ନକଲ ଏବଂ ୫-ଟି ବିଭାଗ ଖୋଲିବା ଓ ୫-ଟି ସଚିବ ଭାବେ ନିଯୁକ୍ତ ହୋଇଥିବା ସଚିବଙ୍କ ନିଯୁକ୍ତି ପତ୍ରର ଗେଜେଟ୍ ନୋଟିଫିକେସନ୍‌ର ନକଲ ଗୃହରେ ଉପସ୍ଥାପନ କରିବେ କି? ୨୦୨୩-୨୪ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ସରକାରଙ୍କ ଦ୍ବାରା ୫-ଟି ସଚିବଙ୍କ ଆଡ୍‌ଭାନ୍ସ ଟୁର୍ ପ୍ରୋଗ୍ରାମର ଅନୁମୋଦିତ ପତ୍ର ଓ ଗସ୍ତ ଶେଷରେ ୫-ଟି ସଚିବ ଦେଇଥିବା ଗସ୍ତ ବିବରଣୀର ନକଲ ସହ ସରକାରୀ ରାଜକୋଷରୁ ହେଲିକପ୍ଟର, ବିମାନ ଓ ସଭାସମିତି ଆୟୋଜନ ପାଇଁ ହୋଇଥିବା ଖର୍ଚ୍ଚର ପରିମାଣ କେତେ? ଆଉ ଏକ ପ୍ରଶ୍ନ ଥିଲା, ବିଜେଡି ସରକାର ଶାସନ ଭାର ଗ୍ରହଣ କଲା ଦିନ ଠାରୁ କ୍ୟାବିନେଟ୍ ଓ ମନ୍ତ୍ରିମଣ୍ଡଳ ବୈଠକରେ ଗୃହୀତ ହୋଇଥିବା ସମସ୍ତ ପ୍ରୋସିଡିଂର ନକଲ ରାଜ୍ୟ ସରକାରଙ୍କ ୱେବ୍ ପୋର୍ଟାଲ୍‌ରେ ସ୍ଥାନିତ ନକରିବାର କାରଣ କ’ଣ? ଏହି ସମସ୍ତ ପ୍ରୋସିଡିଂକୁ ଗୃହରେ ଉପସ୍ଥାପନ କରିବା ସହ ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ପବ୍ଲିକ୍ ଡୋମେନ୍‌ରେ ଉପସ୍ଥାପନ କରିବେ କି?

ଏହି ଦୁଇଟି ପ୍ରଶ୍ନର ଉତ୍ତର ଆଜି ଦିଆଯିବା କଥା। କିନ୍ତୁ ଏହାକୁ ତାଲିକାଭୁକ୍ତ କରାଯାଇନଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ମହାଲିଙ୍ଗ ବାଚସ୍ପତିଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଏହି ପ୍ରଶ୍ନକୁ ତାଲିକାଭୁକ୍ତ କରାଯାଇ ନାହିଁ। ବିଧାନସଭାର ନିୟମ ଅନୁଯାୟୀ କୌଣସି ପ୍ରଶ୍ନକୁ ଅଗ୍ରାହ୍ୟ କରାଗଲେ ତାହାର କାରଣ ସମ୍ପର୍କରେ ୫ ଦିନ ଭିତରେ ବିଧାୟକଙ୍କୁ ଜଣାଇବା କଥା। କିନ୍ତୁ ବିଧାନସଭା ସଚିବ ଏହା ଜଣାଇ ନାହାନ୍ତି। ବାଚସ୍ପତି ଏ ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button