ରାଜ୍ୟ

ପୁଣି ପର୍ଯ୍ୟଟକଙ୍କୁ ମତୁଆଲା କରିବ କୋଣାର୍କ ମେରାଇନ ରୋଡ

ପୁରୀ: ପୁଣି ଥରେ ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍ । ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ବିଳାସପୂର୍ଣ୍ଣ ଟେଣ୍ଟରେ ପଞ୍ଚତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ।

ଏଥିସହିତ ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍‌ ଏବଂ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମତୁଆଲା ହେବେ ପର୍ଯ୍ୟଟକ। ଯାହାକି ୩ ମାସ ପର୍ଯ୍ୟନ୍ତ ଚାଲୁରହିବା ବେଳେ ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ଟେଣ୍ଟରେ ରାତ୍ରିଯାପନ କରିବା ସହ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇପାରିବେ ପର୍ଯ୍ୟଟକ।

ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଇକୋ ରିଟ୍ରିଟ୍‌ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ବସିସାରିଛି । ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଇ-ଫ୍ୟାକ୍ଟରର ମିଳିତ ସହଯୋଗରେ ପର୍ଯ୍ୟଟକଙ୍କ ପାଇଁ ଏଭଳି ଏକ ନିଆରା ଭେଟି ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପଳ କହିଛନ୍ତି। ଏଥିସହିତ ପୂର୍ବ ବର୍ଷର ଅଭିଜ୍ଞତା ଆଧାରରେ ଏଥରର ଇକୋ ରିଟ୍ରିଟ୍‌କୁ ଆହୁରି ପର୍ଯ୍ୟଟକ ଅନୁକୂଳ କରିବା ସହ ପର୍ଯ୍ୟଟକମାନେ କିପରି ସୁଖଦ ଅନୁଭବ ଲାଭ କରି ଫେରିବେ ଏଥି ସେନେଇ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଷ ଦେଇଛନ୍ତି ଜିଲ୍ଳାପାଳ ।ଏଥିପାଇଁ ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ କରାଯିବ। ଉକ୍ତ ଅଞ୍ଚଳକୁ ଆକର୍ଷଣୀୟ କରିବା ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ୨୪ ଘଣ୍ଟିଆ ଲାଇଫଗାର୍ଡ ବ୍ୟବସ୍ଥା ସହ ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବ।

ଡିସେମ୍ବର ୧ ତାରିଖରୁ ଏନେଇ ପ୍ରସ୍ତୁତି ଆରମ୍ଭ ହେବ। ଭିତ୍ତିଭୂମି କାର୍ଯ୍ୟ ସହ ବିଭିନ୍ନ ବିଭାଗ ଏନେଇ ସେବା ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ କରିବେ। ତେବେ ବେଳାଭୂମିରେ ପର୍ଯ୍ୟଟକମାନେ ନିଆରା ଅନୁଭବ ନେବାକୁ ଚାହୁଁଥିବା ବେଳେ ଇକୋ ରିଟ୍ରିଟ ସେମାନଙ୍କୁ ଏକ ସେହିଭଳି ଅନୁକୂଳ ପରିବେଶ ଭେଟି ଦେଉଥିବାରୁ ଦିନକୁ ଦିନ ଏହାର ଚାହିଦା ବୃଦ୍ଧି ପାଉଛି। ଏନେଇ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍‌ରେ ଓଡ଼ିଶା ଇକୋ ରିଟ୍ରିଟ୍‌ ସାଇଟ୍‌କୁ ଯାଇ ପର୍ଯ୍ୟଟକମାନେ ବୁକିଂ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button