IBN ଓଡ଼ିଶା ବ୍ୟୁରୋ

ସେୟାର ବଜାରକୁ ଚୀନ୍ ଚିନ୍ତା: ୬ ଦିନରେ ସେନ୍‌ସେକ୍ସ ଖସିଲା ୪,୮୦୦ ପଏଣ୍ଟ୍‌

ମୁମ୍ବାଇ: ଅର୍ଥନୀତିର ଗତି ତ୍ବରାନ୍ବିତ କରିବା ଲାଗି ଚୀନ୍ ସରକାର ପ୍ରୋତ୍ସାହନ ଘୋଷଣା କରିବା ପରଠାରୁ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ଭାରତୀୟ ଷ୍ଟକ୍ ବଜାରରୁ ପ୍ରତ୍ୟାହାର କରି ଚୀନ୍ ମୁହାଁ ହୋଇଛନ୍ତି। ଏହାର ପ୍ରଭାବରେ ଲଗାତାର ଷଷ୍ଠ କାରବାର ଦିନରେ ବମ୍ବେ ଷ୍ଟକ୍ ବଜାରର ସେନ୍ସେକ୍ସ ହ୍ରାସ ପାଉଛି। ସୋମବାର ସେନ୍ସେକ୍ସ ୬୩୮ ପଏଣ୍ଟ ହ୍ରାସ ପାଇ ୮୧୦୫୦ ପଏଣ୍ଟରେ ବନ୍ଦ ହୋଇଛି।

ଗତ ଛଅ ଦିନ ଭିତରେ ସେନ୍ସେକ୍ସ ୪୮୦୦ ପଏଣ୍ଟ ତଳକୁ ଖସିଆସିଲାଣି। ଗତ ସପ୍ତାହରେ ଏହା ୮୫ ହଜାର ପଏଣ୍ଟ ଉପରେ ଥିଲା।

ସୋମବାର ସେନ୍ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୮.୬୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଗତ ଛଅ ଦିନ ଭିତରେ ଏହି କ୍ଷତି ୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ଆଜି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୧୮ ପଏଣ୍ଟ ହ୍ରାସ ପାଇ ୨୪,୭୯୫ ପଏଣ୍ଟରେ ବନ୍ଦ ହୋଇଛି। ଯେଉଁ ତିନିଟି କମ୍ପାନିର ସେୟାରକୁ ନେଇ ସେନ୍ସେକ୍ସ ଗଠନ ହୋଇଛି ସେଥିରୁ କେବଳ ଆଇଟିସି, ଭାରତୀ ଏୟାରଟେଲ୍, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଇନ୍ଫୋସିସ୍ ଓ ଟିସିଏସ୍ ସେୟାର ମୂଲ୍ୟ ବଢ଼ିଛି। ଅନ୍ୟ ୨୫ଟି କମ୍ପାନି ସେୟାର ମୂଲ୍ୟ ହ୍ରାସ ପାଇଛି। ଆଦାନି ପୋର୍ଟସ୍, ଏନ୍ଟିପିସି, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପାୱାର ଗ୍ରିଡ୍ ଓ ଆକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି।

ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ପାଣ୍ଠି ପ୍ରତ୍ୟାହାର ଜାରି ରଖିଛନ୍ତି। ଚୀନ୍ ଏହାର ପ୍ରୋତ୍ସାହନ ଘୋଷଣା କରିବା ପରଠାରୁ ବିଦେଶୀ ନିବେଶକମାନେ ୩୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି। ସେମାନେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ସେହି ପାଣ୍ଠିକୁ ନେଇ ଚୀନ୍ ଷ୍ଟକ୍ ବଜାରରେ ନିବେଶ କରୁଛନ୍ତି। ଷ୍ଟକ୍ ବଜାରରେ ଘଟୁଥିବା ହ୍ରାସ ଲାଗି କେବଳ ଚୀନ୍ ଦାୟୀ ନୁହେଁ। ମଧ୍ୟପ୍ରାଚ୍ୟରେ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ମଧ୍ୟ ଅନ୍ୟତମ ପ୍ରମୁଖ କାରଣ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଓ ସୁନା ମହଙ୍ଗା ହେବାରେ ଲାଗିଛି। ଯୁଦ୍ଧ ପାଇଁ ଯେଉଁ କ୍ଷେତ୍ରଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ରହିଛି, ନିବେଶକମାନେ ସେହି କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ବିକ୍ରି କରୁଛନ୍ତି। ସେଥିପାଇଁ ମଧ୍ୟ ସେନ୍ସେକ୍ସ ଓ ନିଫ୍ଟିରେ ହ୍ରାସ ଘଟୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button