IBN ଓଡ଼ିଶା ବ୍ୟୁରୋ

ନିରବ ଘାତକ ‘ଲିପ୍ଟୋସ୍ପିରୋସିସ୍‌’

ଏକ ନିରବ ଘାତକ ଭାବେ ଅଭିହିତ ‘ଲିପ୍ଟୋସ୍ପିରୋସିସ୍’ ରୋଗ ହେଉଛି ଜୀବଜନ୍ତୁଙ୍କ ଦେହରୁ ମନୁଷ୍ୟ ଶରୀରକୁ ବ୍ୟାପୁଥିବା ଏକ ପ୍ରକାର ସଂକ୍ରମଣ। ‘ଲିପ୍ଟୋସ୍ପିରା’ ନାମକ ବୀଜାଣୁ ଦ୍ବାରା ସଂକ୍ରମିତ ଏହି ରୋଗ ସାଧାରଣତଃ ବନ୍ୟା ବା ଦୁର୍ବଳ ପରିମଳ ସ୍ଥିତିରେ ଉପୁଜିଥାଏ। ଏହା ମୁଖ୍ୟତଃ ସଂକ୍ରମିତ ହୋଇଥିବା ମୂଷା, କୁକୁର, ଗୋରୁଗାଈ ବା ଅନ୍ୟ ବନ୍ୟପ୍ରାଣୀଙ୍କର ମୂତ୍ର ଦ୍ବାରା ପ୍ରଦୂଷିତ ଜଳ, ମାଟି ବା ଖାଦ୍ୟ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଶରେ ଆସିବା ଦ୍ବାରା ବ୍ୟାପିଥାଏ।

ଆମ ଦେଶରେ ବର୍ଷାଦିନେ ବନ୍ୟାଜଳରେ ଏହି ବୀଜାଣୁ ମିଶି ସଂକ୍ରମଣର ଆଶଙ୍କା ବଢ଼ାଇଥାଏ। ବିଶେଷ କରି ବନ୍ୟାପରେ ଜମି ରହିଥିବା ଜଳରେ ଏହି ବୀଜାଣୁଗୁଡ଼ିକର ବଂଶବୃଦ୍ଧି ହୋଇଥାଏ।

ସହରର ବସ୍ତି ଅଞ୍ଚଳ, ଗ୍ରାମାଞ୍ଚଳର କୃଷିକ୍ଷେତ୍ର ଓ ବନ୍ୟା ପ୍ରଭାବିତ ଇଲାକାଗୁଡ଼ିକରେ ଦୁର୍ବଳ ପରିମଳ ଯୋଗୁଁ ଏହାର ସଂକ୍ରମଣ ଆଶଙ୍କା ଅଧିକ। ଏହାର ଲକ୍ଷଣ ସହ ଡେଙ୍ଗୁ, ମ୍ୟାଲେରିଆ ଓ ଇନ୍ଫ୍ଳୁଏଞ୍ଜାର ସାମଞ୍ଜସ୍ୟ ରହିଥିବାରୁ ଆଗୁଆ ଏହାକୁ ଚିହ୍ନଟ କରିବା କଷ୍ଟକର। ତେବେ ପ୍ରାଥମିକ ଲକ୍ଷଣ ସ୍ବରୂପ ଜ୍ବର, ମୁଣ୍ଡବିନ୍ଧା, ମାଂସପେଶୀ ପୀଡ଼ା ଆଦି ଦୁଇ ଦିନରୁ ଦୁଇ ସପ୍ତାହ ଯାଏ ରହିଥାଏ। ଏହାର ଉପଯୁକ୍ତ ଚିକିତ୍ସା ନକରାଇଲେ ବୃକ୍କ, ଯକୃତ ଆଦିରେ କ୍ଷତି ପହଞ୍ଚିବା ସହ ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେଇଥାଏ। ଡକ୍ସିସାଇକ୍ଳିନ୍ ଓ ପେନ୍ସିଲିନ୍ ପରି ଆଣ୍ଟିବାୟୋଟିକ୍ର ସଅଳ ଉପଯୋଗ ଏହି ରୋଗକୁ ଆଗକୁ ବଢ଼ିବାକୁ ଦେଇନଥାଏ। ତେବେ ବଢ଼ିପାଣି ସଂସ୍ପର୍ଶରେ ବେଶୀ ନ ଆସିବା, ଫୁଟା ପାଣି ପିଇବା ଓ ଗୃହପାଳିତ ପଶୁପକ୍ଷୀଙ୍କର ଟିକାକରଣ କରିବା ଆଦି ପ୍ରତିଷେଧକ ବ୍ୟବସ୍ଥା ଆପଣେଇଲେ ‘ଲିପ୍ଟୋସ୍ପିରୋସିସ୍’ ଠାରୁ ଦୂରେଇ ରହିବା ସମ୍ଭବ।

Related Articles

Leave a Reply

Your email address will not be published. Required fields are marked *

Back to top button