ରାଜନୀତି

‘ନୂଆ କଶ୍ମୀର’ ରଣନୀତି କାମଦେଲାନି: ସହଯୋଗୀ ଦଳ ମଧ୍ୟ ବିଫଳ ହେଲେ

ନୂଆଦିଲ୍ଲୀ: ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ୯୦ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ ଜମ୍ମୁ ଅଞ୍ଚଳରେ ବିଜେପି ଅଧିକ ଆସନ ଜିତିଥିଲେ ବି ୨୦୧୪ ତୁଳନାରେ କମ୍। କିନ୍ତୁ ୨୦୧୪ ପରି କଶ୍ମୀର ଉପତ୍ୟକାରେ ଏହା ଗୋଟିଏ ବି ଆସନ ପାଇପାରି ନାହିଁ।

୨୦୧୪ ବିଧାନସଭା ନିର୍ବାଚନରେ ଜମ୍ମୁରେ ବିଜେପି ସମସ୍ତ ୨୫ଟି ଆସନରେ ବିଜୟୀ ହୋଇଥିଲା। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ନେଇ ନୂଆ କଶ୍ମୀର ପ୍ରତିଶ୍ରୁତି ଦେଇଥିବା ବିଜେପିକୁ କାହିଁକି ନିର୍ବାଚନୀ ଫାଇଦା ମିଳିଲା ନାହିଁ?

୩୭୦ ପ୍ରସଙ୍ଗକୁ ଠିକ୍ ଭାବେ ବୁଝାଇବାରେ ବିଫଳ ହେଲା କି?
୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର କେବଳ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ କରି ନ ଥିଲେ ବରଂ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ଏସବୁ କରିବା ପରେ ଜମ୍ମୁ-କଶ୍ମୀରରେ ଅନେକ ମାସ ଧରି ଅନେକ କଟକଣା ବଳବତ୍ତର ରହିଥିଲା। ସ୍ଥିତି ସ୍ୱାଭାବିକ ହେବା ପରେ ମୋଦୀ ସରକାର ବିକାଶ, ରୋଜଗାର ଓ ନିରାପତ୍ତା ନାଁରେ ‘ନୂଆ କଶ୍ମୀର’ର ପ୍ରତିଶ୍ରୁତି ଦେଇଥିଲେ। ତେବେ ଧାରା ୩୭୦ ଉଚ୍ଛେଦ ଦ୍ବାରା ଲୋକଙ୍କର ଯେଉଁ କ୍ଷତି ହେଲା ତା’ର ଭରଣା ପାଇଁ ପ୍ରୟାସ ଖୁବ୍ କମ୍ ଥିଲା। ଅନ୍ୟପକ୍ଷରେ ଫାରୁକ୍ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ଓ ମେହବୁବା ମୁଫତିଙ୍କ ପିଡିପି ଧାରା ୩୭୦କୁ ‘କଶ୍ମୀରର ପରିଚୟ’ ସହ ଯୋଡ଼ିଛନ୍ତି। ଏହି ପଦକ୍ଷେପକୁ କଶ୍ମୀରବିରୋଧୀ ବୋଲି ବର୍ଣ୍ଣନା କରାଯାଇଥିଲା। ଏବେ ବି କେବଳ କଶ୍ମୀର ନୁହେଁ ଜମ୍ମୁର ଏକ ବିଶାଳ ଜନସଂଖ୍ୟା ମଧ୍ୟ ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି।

ବିଚ୍ଛିନ୍ନତାବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ମହଙ୍ଗା ପଡ଼ିଲା କି?
ବିଜେପିର ‘ନୂଆ କଶ୍ମୀର’ରେ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ପଥରମାଡ଼ ବିରୋଧରେ ସରକାର ନେଇଥିବା ପଦକ୍ଷେପକୁ ଲୋକେ ସ୍ୱାଗତ କରିଛନ୍ତି। କିନ୍ତୁ ମତପ୍ରକାଶର ସ୍ୱାଧୀନତାକୁ ଦମନ କରାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଫଳରେ କଶ୍ମୀର ଉପତ୍ୟକାରେ ବିଜେପି ଆଶାନୁରୂପ ଫଳ ପାଇପାରିନାହିଁ। କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ପରେ ଅସନ୍ତୋଷ ଦୂର କରିବା ପାଇଁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ସରକାର କଶ୍ମୀରରେ ପୁଞ୍ଜିନିବେଶ ଆଣିବେ ଯାହା ନିଯୁକ୍ତି ସୃଷ୍ଟି କରିବ ବୋଲି କୁହାଯାଇଥିଲା। ତେବେ ଏହି ପ୍ରତିଶ୍ରୁତି ଉପରେ ବିଶେଷ କାମ ହୋଇ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିଯାଇଥିଲା।

ସହଯୋଗୀ ଦଳ ମଧ୍ୟ ବିଫଳ ହେଲେ
ନିର୍ବାଚନୀ ଫାଇଦା ପାଇଁ ବିଜେପି ଅଲତାଫ ବୁଖାରୀଙ୍କ ନିଜ ଦଳ ଏବଂ ସଜାଦ ଲୋନଙ୍କ ପିପୁଲ୍ସ କନଫରେନ୍ସ ଭଳି ଦଳ ସହ ମେଣ୍ଟ କରି ନ୍ୟାସନାଲ କନଫରେନ୍ସ ଓ ପିଡିପିର ଆଧିପତ୍ୟ ହ୍ରାସ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହି ଦଳ ସହ ଗଠବନ୍ଧନ ବିଜେପି ପାଇଁ ଲାଭଦାୟକ ହୋଇପାରିଲା ନାହିଁ।

୨୦୧୪ରେ ଫଳାଫଳ କ’ଣ ଥିଲା?
ଶେଷ ଥର ପାଇଁ ୨୦୧୪ରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଠାରେ ୮୭ଟି ଆସନରୁ ପିଡିପି ୨୮ଟି, ବିଜେପି ୨୫ଟି, ନ୍ୟାସନାଲ କନଫରେନ୍ସ ୧୫ଟି ଏବଂ କଂଗ୍ରେସ ୧୨ଟି ଆସନରେ ବିଜୟୀ ହୋଇଥିଲେ। ବିଜେପି ଏବଂ ପିଡିପି ମିଳିତ ଭାବେ ସରକାର ଗଠନ କରିଥିଲେ ଏବଂ ମୁଫତି ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୬ ଜାନୁଆରିରେ ମୁଫତି ମହମ୍ମଦ ସୟିଦଙ୍କ ମୃତ୍ୟୁ ହୋଇଥିଲା। ପାଖାପାଖି ୪ ମାସ ଧରି ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button