IBN ଓଡ଼ିଶା ବ୍ୟୁରୋ

ରବି ଫସଲର ସହାୟକ ମୂଲ୍ୟ ବୃଦ୍ଧି: ଗହମ ୧୫୦ ଟଙ୍କା, ସୋରିଷ ୩୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି (ଏମ୍ଏସ୍ପି) ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରି ଦିଆଯାଇଛି।

ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବା ୬.୫୭ ପ୍ରତିଶତ ବୃଦ୍ଧି କରାଯାଇ ୨୪୨୫ ଟଙ୍କାରେ ରଖାଯାଇଛି। ସେହିଭଳି ବାର୍ଲି, ଚଣା, ମସୁର, ସୋରିଷ ଓ କୁସୁମର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୨.୪୧ ପ୍ରତିଶତରୁ ୭.୦୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ନିର୍ବାଚନ କମିସନ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରଦିନ ସିସିଇଏ ଏହି ନିଷ୍ପତ୍ତି ନେଇଛି। ସିସିଇଏର ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ରେଳ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସୋରିଷର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇ ୫୯୫୦ ଟଙ୍କା କରାଯାଇଛି। ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୧୦ ଟଙ୍କା ବୃଦ୍ଧି କରାଯାଇ ୫୬୫୦ ଟଙ୍କା କରାଯାଇଛି। ବାର୍ଲିର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଏହାର ମୂଲ୍ୟ ୧୯୮୦ ଟଙ୍କା ରହିଛି। କୁସୁମର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୧୪୦ ଟଙ୍କା ବୃଦ୍ଧି କରାଯାଇ ୫୯୪୦ ଟଙ୍କା ରଖାଯାଇଛି। ମସୁରର ଏମ୍ଏସ୍ପି ୨୭୫ ଟଙ୍କା ବୃଦ୍ଧି କରାଯାଇ ୬୭୦୦ ଟଙ୍କା କରାଯାଇଛି।

ବିଭିନ୍ନ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦ୍ବାରା କୃଷକମାନେ ସେମାନଙ୍କ ଫସଲ ବିକ୍ରି ବାବଦରେ ଅଧିକ ରାଶି ପାଇବେ। ଏଥିସହିତ ସେମାନେ ଏସବୁର ଚାଷ ପାଇଁ ଉତ୍ସାହିତ ହେବେ। ସୋରିଷ, ଚଣା ଓ ମସୁରର ଏମ୍ଏସ୍ପି ବୃଦ୍ଧି ଫଳରେ ଭାରତରେ ତୈଳବୀଜ ଏବଂ ଡାଲି ଯୋଗାଣ ସ୍ଥିତିରେ ଉନ୍ନତି ଆସିବ। ସୋରିଷ ମୁଖ୍ୟତଃ ରାଜସ୍ଥାନ, ହରିୟାଣା ଏବଂ ମଧ୍ୟପ୍ରଦେଶରେ ବହୁମାତ୍ରାରେ ଚାଷ ହୋଇଥାଏ। ଉଲ୍ଲେଖଯୋଗ୍ୟ, ଫସଲ ବୁଣାବୁଣି ଆରମ୍ଭ ପୂର୍ବରୁ ସିଏସିପି (କମିସନ ଫର୍ ଏଗ୍ରିକଲଚରାଲ କଷ୍ଟ୍ସ ଆଣ୍ଡ୍ ପ୍ରାଇସେସ୍) ୨୨ଟି ଫସଲର ଏମ୍ଏସ୍ପି ପାଇଁ ସୁପାରିସ କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button