IBN ଓଡ଼ିଶା ବ୍ୟୁରୋ

ବିମାନକୁ ବୋମାରେ ଉଡ଼ାଇବାକୁ ଧମକ, ମଝି ଆକାଶରେ ଡାଇଭର୍ଟ

ନୂଆଦିଲ୍ଲୀ,୧୯/୧୦: ପୁଣି ବିମାନକୁ ବୋମା ଧମକ । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାଉଥିବା ଭିସ୍ତାରାର ବିମାନ ୟୁକେ-୧୭କୁ ବୋମା ମାଡ଼ ଧମକ ମିଳିଛି। ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଥିଲା । ବିମାନକୁ ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରାଯାଇଥିଲା ଯେଉଁଠାରେ ସୁରକ୍ଷା ଅଧିକାରୀମାନେ ଅଢ଼େଇ ଘଣ୍ଟା ଯାଞ୍ଚ କରିବା ପରେ କୌଣସି ସନ୍ଦେହଜନକ ଜିନିଷ ପାଇନଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବୋମା ଧମକ ପାଇବା ପରେ ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ବିମାନଟିକୁ ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରିବା ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ । ଫ୍ରାଙ୍କଫର୍ଟର ସୁରକ୍ଷା ଅଧିକାରୀମାନେ ବିମାନକୁ ଯାଞ୍ଚ କରିଥିଲେ, ଯେଉଁଥିରେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା । ତେବେ ଗତ ୬ ଦିନ ମଧ୍ୟରେ ଭାରତୀୟ ବିମାନରେ ବୋମା ଧମକ ମିଳିବାର ଏହା ହେଉଛି ୨୨ତମ ଘଟଣା । ଯାହା ପରେ କ୍ରମାଗତ ଧମକ ଭିତରେ କେନ୍ଦ୍ର ସରକାର ଅକ୍ଟୋବର ୧୬ତାରିଖରେ ବିମାନରେ ଏୟାର ମାର୍ଶାଲଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାବ୍ୟତୀତ ଗୃହ ମନ୍ତ୍ରଣାଳୟ ବିମାନ ଚଳାଚଳ ମନ୍ତ୍ରଣାଳୟଠାରୁ ମଧ୍ୟ ରିପୋର୍ଟ ମାଗିଛି । ସେହିପରି ଅକ୍ଟୋବର ୧୬ରେ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ନେଇ ସଂସଦୀୟ କମିଟିକୁ ଜବାବ ଦେଇଥିଲା । ମନ୍ତ୍ରଣାଳୟ କହିଛି ଯେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଏଭଳି ଅନେକ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button