ରାଜ୍ୟ

ଜଳପଥରେ ଯୋଡିହେବ ତାଳଚେର-ପାରାଦୀପ

ଭୁବନେଶ୍ବର: ଜଳପଥରେ ଯୋଡି ହେବ ତାଳଚେର ଏବଂ ପାରାଦୀପ ଓ ଧାମରା ବନ୍ଦର । ଜାତୀୟ ଜଳପଥ-୫ ଏହି ଦୁଇ ବନ୍ଦର ପାରାଦୀପ ଓ ଧାମରା ସହିତ ତାଳଚେରକୁ ସଂଯୋଗ କରିବ । ଇନଲ୍ୟାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ (ଆଇଡବ୍ଲୁଏଆଇ) ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଖଣିଜ ପରିବହନ ପାଇଁ ଏହି ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛି ।

ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଦୀର୍ଘସ୍ଥାୟୀ ଅର୍ନ୍ତଦେଶୀୟ ଜଳପଥର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଏହି ସୂଚନା ଦେଇଛନ୍ତି । ଏନେଇ ସଚିବ କହିଛନ୍ତି, ଏହି ପ୍ରକଳ୍ପର ବିସ୍ତୃତ ମାଷ୍ଟରପ୍ଲାନ ଆଇଆଇଟି ମାଡ୍ରାସ, ଆଇଡବ୍ଲୁଏଆଇ ଏବଂ ରାଜ୍ୟ ସରକାର ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ।

ତେବେ କହିରଖୁଛୁ, ଦେଶରେ ହେବାକୁ ଥିବା ୬ଟି ଅର୍ନ୍ତଦେଶୀୟ ଜଳପଥ ମଧ୍ୟରୁ ଜାତୀୟ ଜଳପଥ-୫ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମୋଟ ୬୨୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଜାତୀୟ ଜଳପଥର ୫୩୨ କିଲୋମିଟର ଓଡ଼ିଶା ଦେଇଯିବ । ବାକି ୯୧ କିଲୋମିଟର ପଶ୍ଟିମବଙ୍ଗରେ ରହିବ। ପ୍ରଥମ ପର୍ଯ୍ୟାୟରେ ଏହା ତାଳଚେରରୁ ମଙ୍ଗଳାଯୋଡ଼ି ହୋଇ ଧାମରା ବନ୍ଦରକୁ ସଂଯୋଗ କରିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଧାମରାରୁ ପଶ୍ଚିମବଙ୍ଗର ହଳଦିଆ ବନ୍ଦରକୁ ସଂଯୋଗ କରିବ। ତେବେ ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନ କରୁଥିବା ଓଡ଼ିଶା ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଥିଲା ବେଳେ ବିଭିନ୍ନ ଶିଳ୍ପ ପାଇଁ କଞ୍ଚାମାଲ ପରିବହନ ନିମନ୍ତେ ଏହି ଜାତୀୟ ଜଳପଥ ଏକ ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି କୁହାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button