ରାଜ୍ୟ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ – ଓଡ଼ିଶା ପାଇଁ ରଣନୀତି ସମ୍ପର୍କିତ ସ୍ୱତନ୍ତ୍ର କର୍ମଶାଳା

ଭୁବନେଶ୍ଵର : ଓଡ଼ିଶା ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ – ଓଡ଼ିଶା ପାଇଁ ରଣନୀତି ସମ୍ପର୍କିତ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଓ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ଚେଞ୍ଜର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଯାଇଛି ।

ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ, ଶିକ୍ଷାବିତ୍‍, ନୀତି-ନିର୍ମାତା, ଉଦ୍ୟୋଗୀ, ଅନୁସନ୍ଧାନକାରୀ ତଥା ଅନ୍ତର୍ଜାତୀୟ ସଂଗଠନର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ସୁଶୀଲ କୁମାର ଲୋହାନୀ, ଉଷା ପାଢୀ, ଶୋଭା ଶର୍ମା, ସଞ୍ଜୟ ସିଂହ, ଏନବିଏସ ରାଜପୁତ, ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଓକାକର ସିଇଓ ପ୍ରଦୀପ କୁମାର ରାଉତ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ପ୍ରତିନିଧି କବିତା ଭାଟିଆ ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

ଓଡ଼ିଶାର ଏଆଇ ଇକୋସିଷ୍ଟମର ବିକାଶ ପାଇଁ ଓଡ଼ିଶା ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପର ଏକ ଅଂଶବିଶେଷ ହେଉଛି ଏହି କର୍ମଶାଳା। ଏହି କର୍ମଶାଳାର ବିଚାରବିମର୍ଶ ଓଡ଼ିଶାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର କ୍ରମ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ରାଜ୍ୟକୁ ଭାରତର ଏଆଇ ମିଶନର ଲକ୍ଷ୍ୟ ସହିତ ଯୋଡ଼ିବାର ସମୁଚିତ ମାଧ୍ୟମ ହେବ ।

ଏହି କର୍ମଶାଳାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ, ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ ଚେଞ୍ଜ, ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ, ଇଣ୍ଟରନ୍ୟାସନାଲ ଇନୋଭେସନ୍ କର୍ପସ, ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ-ବର୍କଲେ, ସମଗ୍ରା, ଅପୂର୍ବ.ଏଆଇ, ପିପୁଲ+ଏଆଇ ଏବଂ ୱାଧୱାନୀ ଫାଉଣ୍ଡେସନର ପ୍ରତିନିଧିମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ।

ଭାରତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମିଶନ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ରଣନୈତିକ ପଦକ୍ଷେପ, ଏଆଇ ଇକୋସିଷ୍ଟମ ବିକାଶ ପାଇଁ ଡିଜିଟାଲ ଭିତ୍ତିଭୂମିର ଆବଶ୍ୟକତା, ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର, ଏଆଇ ପାଇଁ ଦକ୍ଷତା ବିକାଶ ଆଦି ବିଷୟବସ୍ତୁ ଉପରେ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ।

ବୈଷୟିକ ଉପସ୍ଥାପନା ପରେ ଏକ ପ୍ୟାନେଲ ଆଲୋଚନା କରଯାଇଥିଲା । ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ଆଇଆଇଟି, ଏନଆଇଟି ରାଉରକେଲା, ଆଇଆଇଆଇଟି ଭୁବନେଶ୍ୱର, ଭିଏସ୍ଏସ୍ୟୁଟି, ଓଟିଆର ଏବଂ ବିପିୟୁଟିର ବରିଷ୍ଠ ଶିକ୍ଷାବିତ୍, ଆକ୍ସେଞ୍ଚର, ଟିସିଏସ୍, ଆଇବିଏମ୍, ଇନଫୋସିସ୍, କଗ୍ନିଜେଣ୍ଟ୍‍ ସମେତ ଅନ୍ୟ ବରିଷ୍ଠ ବୈଷୟିକ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସୂଚନା ଯୋଗ୍ୟ ଯେ, ଏକ କ୍ଷିପ୍ର ପ୍ରଗତିଶୀଳ ବୈଷୟିକ ଡୋମେନ ଭାବରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜି ସମସ୍ତ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଚାଲିଛି | ଭାରତ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଅନ୍ୟତମ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିଛନ୍ତି ଏବଂ ଇଣ୍ଡିଆ ମିଶନ ଅଧୀନରେ ୧୦,୦୦୦ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରିଛନ୍ତି। ଏହି ମିଶନ୍ ଗବେଷଣା, ନବସୃଜନ ଏବଂ ଶିଳ୍ପଗୁଡିକରେ ଏଆଇ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ଉପରେ କେନ୍ଦ୍ରୀଭୂତ। ଓଡିଶା ସରକାର କେନ୍ଦ୍ର ସରକାରଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ସମୁଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଓଡିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୟୋଗରେ ଏକ ପ୍ରମୁଖ ରାଜ୍ୟ ଭାବେ ନିଜକୁ ପ୍ରତିପାଦିତ କରିବାରେ ସକ୍ଷମ ହେବ ବୋଲି ବରିଷ୍ଠ ବୈଷୟିକ ଅଧିକାରୀ ମାନେ ମତପୋଷଣ କରିଛନ୍ତି।

ସର୍ବଶେଷରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ବରିଷ୍ଠ ଅଧିକାରୀ ଅମୋଗ ବହୁଗୁଣା କର୍ମଶାଳାର ସଫଳ ଆୟୋଜନ ପାଇଁ ଓଡ଼ିଶା ସରକାର, ସମସ୍ତ ଅଂଶଗ୍ରହଣକାରୀ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button