ବର୍ଷା ପାଇଁ ପୂଜା, ଗୋଳନ୍ଥରା ଗ୍ରାମବାସୀଙ୍କ ପକ୍ଷରୁ ଜଳସାଇଁ ଉତ୍ସବ ପାଳିତ

ଗୋପାଳପୁର: ଗୋଳନ୍ଥରା ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବର୍ଷ ଶ୍ରାବଣ ମାସରେ ଉତ୍ତମ ବର୍ଷା ପାଇଁ ଜଳସାଇଁ ଉତ୍ସବ ପାଳନ ହେଉଥିବା ବେଳେ ଚଳିତବର୍ଷ ଏହି ଉତ୍ସବ ବିଳମ୍ବରେ କାର୍ତ୍ତିକ ମାସରେ ଆୟୋଜିତ ହୋଇଥିଲା। ଏହି କ୍ରମରେ ଗୋଳନ୍ଥରା ସ୍ଥିତ ଇସାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା ପରେ ଅଞ୍ଚଳବାସୀ ଘଟେକେଶ୍ୱର ମନ୍ଦିର ପୀଠରେ ଇନ୍ଦ୍ର ପୂଜା, ବନସ୍ପତି ବା ବୃକ୍ଷପୂଜା ସହିତ ହୋମ ଯଜ୍ଞ ଅନୁଷ୍ଠିତ ହେବା ସହ ଗୋଳନ୍ଥରା ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ପରମ୍ପରା ଅନୁସାରେ ପୂଜାରୀ ମାନଙ୍କ ଦ୍ବାରା ୧ ହଜାର ୮ କଳସରେ ଜଳାଭିଷେକ, ବୃଷ୍ଟିହବନ ଏବଂ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।
୧୦୦୮ କଳସ ଜଳ ଦ୍ବାରା ଶିବଲିଙ୍ଗକୁ ଜଳମଗ୍ନ କରାଯାଇ ବୃଷଭ ମୂର୍ତ୍ତିକୁ ଦଉଡ଼ି ସାହାଯ୍ୟରେ ବନ୍ଧାଯାଇ ମନ୍ଦିର ପରିସରରେ ଛଡ଼ା ଯାଇଥିବା ମୁଖ୍ୟ ପଣ୍ଡିତ ଅଶୋକ କୁମାର ପାଢ଼ୀ ପ୍ରକାଶ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ପୂଜାରେ ସାମିଲ ହୋଇଥିଲେ। ଅଞ୍ଚଳରେ ଅନା ବୃଷ୍ଟି ଯୋଗୁଁଁ ଧାନ ଫସଲ ପ୍ରଭାବିତ ହୋଇ ନଷ୍ଟ ହେବାକୁ ଯାଉଥିବା ବେଳେ ପୃର୍ବ ସରକାରଙ୍କ ସମୟରେ ଉଦଘାଟିତ ହୋଇଥିବା ଘଟକେଶ୍ୱର ଜଳ ପ୍ରକଳ୍ପ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରକଳ୍ପରୁ ପାଣି କିପରି ଚାଷୀଙ୍କ ଜମିରେ ବ୍ୟବହାର ହେବ ଆଲୋଚନା କରିଥିଲେ।
ଏହା ସହ ପ୍ରକଳ୍ପରୁ ପାଣି କେନାଲ ମାଧ୍ୟମରେ ଛାଡିବାକୁ ନିର୍ଦ୍ଦେଶ ଦେବା ସହ ଉପସ୍ଥିତ ରହିଥିବା ଋଷିକୂଲ୍ୟା, ବାହୁଦା, ବଂଶଧାରା, ନାଗାବଳୀ ଅବବାହିକାର ଚିଫ୍ ଇଞ୍ଜିନିୟର ସଞ୍ଜୀବ କୁମାର ଦାସବର୍ମା, ଏସଡିଓ ରମାକାନ୍ତ ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା, ଓସିସି ମ୍ୟାନେଜର ଗୋବିନ୍ଦ ସାଠୁଆଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯଥେଷ୍ଟ ପାଣି ନାଳ ଦେଇ ଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମୟରେ ଗ୍ରାମର ପୁରୋହିତ ବୁଲୁ ଶତପଥି, କମିଟି ମାନଙ୍କ ମଧ୍ୟରେ ସଭାପତି ବିନୋଦ ଚନ୍ଦ୍ର ମିଶ୍ର, ସଂପାଦକ ଗୁଲାପ ଚନ୍ଦ୍ର ଜେନା, ରମାକାନ୍ତ ପ୍ରଧାନ, ନିଳେନ୍ଦ୍ର କୁମାର ଜେନା, ଟୁନା ଜେନା, ଭଗବାନ ବାଡ଼ତ୍ୟା, ଦୀପକ କୁମାର ଜେନା, ବିଜୟ ବରଡ, ନିରଞ୍ଜନ ବେହେରା, ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।