ମହିଳା ଟି୨୦ ବିଶ୍ୱକପକୁ ମିଳିଲା ନୂଆ ଚାମ୍ପିଅନ, ସାଉଥ ଆଫ୍ରିକାର ସ୍ୱପ୍ନକୁ ଧୂଳିସାତ କଲା ନ୍ୟୁଜିଲାଣ୍ଡ
ମହିଳା ଟି୨୦ କ୍ରିକେଟରେ ୮ ବର୍ଷ ପରେ ନୂଆ ଚାମ୍ପିଅନ । ଗତ କିଛିବର୍ଷ ହେଲାଣି ଅଷ୍ଟ୍ରେଲିଆ ମହିଳା ଟିମ୍ଙ୍କ ରାଜୁତି ଶେଷ କରି ନ୍ୟୁଜିଲାଣ୍ଡ ପ୍ରଥମ ଥର ଟି୨୦ ବିଶ୍ୱକପ ଟାଇଟଲ ଜିତିଛି । ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ଟ୍ରଫି ହାତେଇଛି ନ୍ୟୁଜିଲାଣ୍ଡ । ଫଳରେ ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି ।
ନ୍ୟୁଜିଲାଣ୍ଡକୁ ଟ୍ରଫି ସହିତ ୨୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି । ସେହିପରି ରନର୍ସ ଅପ ଟିମ ସାଉଥ ଆଫ୍ରିକାକୁ ୧୦ କୋଟି ଟଙ୍କା ପୁରସ୍କାର ମିଳିଛି ।
ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଫଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୩୨ ରନରେ ପଛରେ ରହିଯାଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ୯ ୱିକେଟ ହରାଇ ୧୨୬ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ସୁଜି ବେଟନ୍ସ ୩୨ ରନ, ଆମେଲି କେର, ୪୩ ଓ ବ୍ରୋକେ ହାଲିଡେ ୩୮ ରନ୍ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ନୋଙ୍କୁଲୁଲେକୋ ମାଲବା ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୫୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ଭଲ ପ୍ରଦର୍ଶନ କରିଥିଲା । ଦଳ ୫୧ ରନରେ ପ୍ରଥମ ୱିକେଟ ହରାଇଥିଲା । ନ୍ୟୁଜିଲାଣ୍ଡ ତରଫରୁ ରୋଜେମାରି ମେର ଓ ଆମେରି କେର ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।