ମୋଟା ହୋଇଗଲେଣି ଫର୍ମ ବି ନାହିଁ, ମୁମ୍ବାଇ ରଣଜୀ ଦଳରୁ ବିଦା ହେଲେ ପୃଥ୍ଵୀ ସ
ମୁମ୍ବାଇ : ଦିନେ ସେ ଭାରତୀୟ କ୍ରିକେଟର ଭବିଷ୍ୟତ, ଧୁରନ୍ଧର ଓପ୍ନର ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ଦୃଶ୍ୟପଟକୁ ଆସିଥିଲେ । ହେଲେ ଏବେ ସେ କେଉଁଠି ଓ କେମିତି ଅଛନ୍ତି ସେକଥା ମଧ୍ୟ କ୍ରିକେଟ୍ ପ୍ରେମୀ ବି ପଚାରୁ ନାହାନ୍ତି । ଯେଉଁ ଖେଳାଳିଙ୍କ କଥା ଆମେ କହୁଛୁ ସେ ହେଉଛନ୍ତି ଓପନର ପୃଥ୍ଵୀ ସ । ଯାହାଙ୍କୁ ଦିନେ ସଚିନ ତେନ୍ଦୁଲକରଙ୍କ ବିକଳ୍ପ ଭାବେ ମନେ କରାଯାଉଥିଲା ।
ହେଲେ ଏବେ ସେ ଧୀରେ ଧୀରେ ନିଜର ସତ୍ତା ହରାଇବାକୁ ବସିଲେଣି ।
ପ୍ରଥମେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଚମକାଇ ଦେଇଥିବା ପୃଥ୍ଵୀ ସ ଆହତ ଏବଂ ବିଫଳତା କାରଣରୁ ଭାରତୀୟ କ୍ରିକେଟ୍ ଦଳରୁ ବାଦ୍ ପଡ଼ିଥିଲେ । ପରେ ଅତିରିକ୍ତ ଖେଳାଳି ଭାବେ ଦଳରେ ସାମିଲ ହୋଇଥିଲେ ମଧ୍ୟ ଅନ୍ୟ ପ୍ରତିଭାବାନ୍ ଓପନରଙ୍କ ଆଗରେ ଫିକା ପଡ଼ିଗଲେ । ଦଳରୁ ବାଦ୍ ପଡ଼ିବା ପରେ କେବଳ ଘରୋଇ କ୍ରିକେଟ୍ ଏବଂ ଇଂଲିଶ କାଉଣ୍ଟି କ୍ରିକେଟରେ ଖେଳୁଥିଲେ । ହେଲେ ବର୍ତ୍ତମାନ ତାଙ୍କୁ ରଣଜୀ ଦଳରୁ ବି ବିଦା ହେବାକୁ ପଡ଼ିଛି । କାହିଁକି ତାଙ୍କୁ ଦଳରୁ ବାହାର କରାଗଲା ସେକଥା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ବିଶୃଙ୍ଖଳିତ ଆଚରଣ ଏବଂ ଅଧିକ ମୋଟା ହୋଇଯିବା ଯୋଗୁଁ ତାଙ୍କୁ ମୁମ୍ବାଇ ରଣଜୀ ଦଳରୁ ବାଦ୍ ଦିଆଯାଇଛି ।
ଯଦିଓ ଏ ସମ୍ପର୍କରେ ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟ କୌଣସି କଥା ସ୍ପଷ୍ଟ କରି ନାହିଁ ତେବେ ବିଶୃଙ୍ଖଳିତ ଆଚରଣ ଏବଂ ଫିଟନେସ୍ କାରଣରୁ ତାଙ୍କୁ ନିଆଯାଇନଥିବା ସୂଚନା ମିଳିଛି । ଅତି ଗରିବ ପରିବାରରୁ ଆସିଥିବା ପୃଥ୍ଵୀ ସ ନିଜର ନିଷ୍ଠା, ପରିଶ୍ରମ ଓ ଦକ୍ଷତା ପାଇଁ ଖୁବ୍ ପ୍ରଶଂସିତ ହୋଇଥିଲେ । ତାଙ୍କର କ୍ୟାରିୟର ପାଇଁ ବାପା ନିଜର ସବୁ କିଛି ଛାଡ଼ି ତାଙ୍କୁ ଧରି ମୁମ୍ବାଇ ଚାଲି ଆସିଥିଲେ ।
ଲଗାତର ବଡ଼ ସ୍କୋର କରି ସମସ୍ତଙ୍କ ନଜରକୁ ଆସିବା ପରେ ୨୦୧୮ରେ ତାଙ୍କୁ ଟେଷ୍ଟ ଦଳରେ ସୁଯୋଗ ମିଳିଥିଲା । ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରାଜକୋଟ ଠାରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ପଡ଼ିଆ ବାହାରେ ନିଜର ବିବାଦୀୟ କାର୍ଯ୍ୟ ଯୋଗୁଁ ବେଶି ଚର୍ଚ୍ଚାକୁ ଆସିଲେ । ଏପଟେ ତାଙ୍କର ଯେଉଁ ବ୍ୟାଟରୁ ଏତେ ରନ୍ ବାହାରୁଥିଲା ପରେ ପରେ ଯେମିତି ନିରବି ଗଲା । ଚଳିତ ରଣଜୀ ସିଜିନରେ ପୃଥ୍ଵୀ ଦୁଇଟି ମ୍ୟାଚରେ ଯଥାକ୍ରମେ ୭, ୧୨ ଏବଂ ୧ ଓ ଅପରାଜିତ ୩୯ ରନ୍ କରିଥିଲେ ।
ତେଣୁ ନିଜ କ୍ରିକେଟ୍ କ୍ୟାରିୟରକୁ ସଜାଡ଼ି ପୁଣି ଦଳକୁ ଫେରିବା ପୃଥ୍ଵୀଙ୍କ ପାଇଁ ସହଜ ହେବ ନାହିଁ । କାରଣ ପ୍ରଥମରେ ନିଜକୁ ଶୃଙ୍ଖଳିତ କରିବାକୁ ପଡ଼ିବ । ତାପରେ ଫର୍ମକୁ ଫେରିବାକୁ ହେବ ।