ରାଜ୍ୟ

ରାଜ୍ୟରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି: କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଟେନିସ୍‌ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ।

ଏଥିସହିତ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ତୃଣମୂଳ ସ୍ତରରେ କ୍ରୀଡାପ୍ରତିଭାମାନଙ୍କୁ ଚୟନ କରି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତବ୍ୟକ୍ତ କରିଥିଲେ।

ରାଜ୍ୟରେ ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବା, ବ୍ଲକସ୍ତରରେ କ୍ରୀଡ଼ାକେନ୍ଦ୍ରର ନିର୍ମାଣ ଏବଂ କ୍ରୀଡା ନର୍ସରୀ ପ୍ରତିଷ୍ଠା ମାଧ୍ୟମରେ ବିଭିନ୍ନ ଯୁବପ୍ରତିଭାମାନଙ୍କୁ ଚୟନ କରାଯାଇ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତ କରାଯାଇପାରିଲେ କ୍ରୀଡ଼ାର ବିକାଶ ହୋଇପାରିବ । ଏଥିସହ ବିଦ୍ୟାଳୟ, ଆନ୍ତଃବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଜିଲ୍ଲା, ରାଜ୍ୟ ସ୍ତରରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ କ୍ରୀଡାବିତ୍‌ ମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଶିକ୍ଷାକ୍ଷେତ୍ରରେ କ୍ରୀଡାକୁ ଏକ ନିୟମିତ ପାଠ୍ୟକ୍ରମ ରୂପେ ଅନ୍ତର୍ଭୁକ୍ତ କରାଯାଇପାରିଲେ ଯୁବ କ୍ରୀଡାବିତ୍‌ ଏବଂ ସେମାନଙ୍କର ଅଭିଭାବକ ମାନଙ୍କର କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରିବ। ଏଥିସହ ବିଦ୍ୟାଳୟ ମାନଙ୍କରେ ଶାରୀରିକ ଶିକ୍ଷା ପ୍ରଦାନ, ଯୋଗଶିକ୍ଷା ପ୍ରଦାନ, ଏକ କ୍ରୀଡା କୈନ୍ଦ୍ରିକ ବାତାବରଣର ବିକାଶ ହେବା, ଆଞ୍ଚଳିକ କ୍ରୀଡାର ବିକାଶ ହେବା ନିତାନ୍ତ ଆବଶ୍ୟକ । ଏଥିସହିତ ମନ୍ତ୍ରୀ ଶ୍ରୀ ସୂରଜ କ୍ରୀଡ଼ା ପର୍ଯ୍ୟଟନ, କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ଅର୍ଥ ନିବେଶ ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ।

କ୍ରୀଡା ଓ କ୍ରୀଡାବିତ୍ ମାନଙ୍କର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ତେଣୁ ଓଡ଼ିଶାର କ୍ରୀଡାବିତ୍‌ମାନେ ଯେପରି ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିପାରିବେ ସେ ଦିଗରେ କାର୍ଯ୍ୟ କରାଯିବ। ଏଥିସହିତ ପାରା ଆଥଲିଟ୍‌ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସଶକ୍ତ କରାଯିବ ବୋଲି ମନ୍ତ୍ରୀକ ହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button