ରାଜ୍ୟ

ନିଜର ଲିଭର ଦାନ କରି ସ୍ୱାମୀଙ୍କ ଜୀବନ ବଞ୍ଚାଇଲେ ସ୍ତ୍ରୀ

ଟକ: ପତି ପତ୍ନୀ ସମ୍ପର୍କ ସବୁଠୁ ଉର୍ଦ୍ଧ୍ୱରେ । ଗୋଟିଏ ସ୍ତ୍ରୀ ନଜରରେ ସ୍ୱାମୀ ତା ପାଇଁ ଇଶ୍ୱର ସମାନ ହୋଇଥାଏ । ଆଉ ଦୁହିଁଙ୍କ ସମ୍ପର୍କରେ ପରସ୍ପର ପ୍ରତି ରହିଥାଏ ସ୍ନେହ ପ୍ରେମ ଆଉ ଭଲପାଇବା । ଯେଉଁ ଭଲପାଇବା ଏହି ସଂସାରରେ ପ୍ରତ୍ୟେକ ପରିବାରରେ ଦେଖାଯାଏ । ଦୁହିଁଙ୍କ ସମ୍ପର୍କ ସାତ ଜନ୍ମ ପାଇଁ ଯୋଡି ହୋଇ ରହିଁଥାଏ ।

ତେବେ ଜଣେ ଅନ୍ୟ ଜଣଙ୍କ ସୁଖ ଦୁଃଖର ସାଥି ହୋଇଥାଏ । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ଯେଉଁଠି ନିଜ ସ୍ୱାମୀଙ୍କୁ ନୂଆ ଜୀବନ ଦେଇଛନ୍ତି ଜଣେ ସ୍ତ୍ରୀ ।

ଏସସିବି ମେଡିକାଲରେ ଶେଷ ହୋଇଛି ଦ୍ୱିତୀୟ ଲିଭର ପ୍ରତିରୋପଣ । ମେଡିକାଲ ପକ୍ଷରୁ ଅପରେସନ ସଫଳ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମେଡିକାଲ ଅଧିକ୍ଷକ ଡ଼ଃ ଲୁସି ଦାସ । ତେବେ ନୟାଗଡର ମାନସ ମୁଦୁଲୀଙ୍କୁ ଲିଭର ଦେଇଛନ୍ତି ତାଙ୍କ ପତ୍ନୀ ଛବି ମୁଦୁଲି । ହାଇଦ୍ରାବାଦର ୪ ଜଣିଆ AIG ଟିମ୍ ଏବଂ ଏସସିବିର ବିଭିନ୍ନ ବିଭାଗ ଡାକ୍ତରଙ୍କ ଦ୍ୱାରା ହେଇଛି ଲିଭର ପ୍ରତିରୋପଣ । ଅପରେସନ ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଉଭୟ ଗତକାଲି ମେଡିକାଲ ଡିସଚାର୍ଜ ହୋଇଛନ୍ତି ।

କହିବାକୁ ଗଲେ ଦୀର୍ଘ ୯ଘଣ୍ଟା ଧରି ଜଟିଳ ଅପରେସନ ହୋଇଥିଲା । ବର୍ତ୍ତମାନ ଦୁଇଟି ସଫଳ ଯକୃତ ପ୍ରତିରୋପଣ ଏସସିବିରେ ସଫଳତାର ଶେଷ ହୋଇଥିଲାବେଳେ ଆଉ ଗୋଟିଏ ମାସ ମଧ୍ୟରେ ତୃତୀୟ ପ୍ରତିରୋପଣ କରାଯିବ ବୋଲି କହିଛନ୍ତି ମେଡିକାଲ କତ୍ତୃପକ୍ଷ । ତେବେ ନୟାଗଡ଼ ଅଞ୍ଚଳର ମାନସ ମୁଦୁଲିଙ୍କ ଗତ ୯ ସେପ୍ଟେମ୍ବର ମାସରେ ଏସସିବିରେ ଯକୃତ ପ୍ରତିରୋପଣ କରାଯାଇଥିଲା ଏବଂ ତାଙ୍କ ପତ୍ନୀ ଛବି ମୁଦୁଲିଙ୍କ ଶରୀରରୁ ୫୫ ପ୍ରତିଶତ ଯକୃତର ଅଂଶ କଢ଼ା ଯାଇ ମାନସଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ।

ଏହି ଯକୃତ ପ୍ରତିରୋପଣ ମେଡିକାଲରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ କରାଯାଇଥିଲା । ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲର ନିର୍ଦ୍ଦେଶକ ତଥା ମୁଖ୍ୟ ଡ଼ଃ ପି.ବାଲାଚନ୍ଦ୍ରନ ମେନନ, ଉପସଭାପତି ଡା. ସନ୍ତୋଷ କୁମାର ସାହୁଙ୍କ ସମେତ ୪ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି । ପ୍ରଥମେ ଦାତାଙ୍କୁ ଡିସଚାର୍ଜ କରାଯାଇଥିଲା ଏବଂ ଗତକାଲି ଗ୍ରହିତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ମେଡିକାଲର ଅତିରିକ୍ତ ଅଧିକ୍ଷକ ଡ଼ଃ ମନୋଜ ପଟ୍ଟନାୟକଙ୍କ ମତରେ ପ୍ରତିରୋପଣ ପରର ପ୍ରଥମ ତିନି ଦିନ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥାଏ ଏବଂ ଉଭୟ ଏଆଇଜି ଓ ଏସସିବିର ଡାକ୍ତରଙ୍କ ସହଯୋଗରେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରାଯାଇଛି । ଗ୍ରହିତା ତୃତୀୟ ଦିନରେ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ ଏବଂ ସାତ ଦିନରେ ଚାଲିବା ଆରମ୍ଭ କରିଥିଲେ । ତାଙ୍କର ସାମାନ୍ୟ ସଂକ୍ରମଣ ରହିଥିଲା ଏବଂ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ସଂକ୍ରମଣ ଦୂର ହୋଇଛି । ଡିସଚାର୍ଜ ହେବାର ପ୍ରଥମ ସପ୍ତାହରେ ତିନି ଦିନକୁ ଥରେ, ପରେ ପ୍ରତ୍ୟକ ସପ୍ତାହରେ, ପରେ ମାସକୁ ଓ ଏହାପରେ ଛଅ ମାସକୁ ଥରେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଡକାଯିବା ନେଇ ଡାକ୍ତର କହିଛନ୍ତି ।

ଏପଟେ ଯକୃତ ସଫଳ ପ୍ରତିରୋପଣ ହେବା ପରେ ମାନସ କହିଛନ୍ତି, ମୁଁ ଯୋଉ ଭୁଲ କରିଛି ଅନ୍ୟମାନେ ସେ ଭୁଲ ନ କରନ୍ତୁ । ଅତ୍ୟଧିକ ମଦ୍ୟପାନ ଲାଗି ମୋ ଲିଭର ନଷ୍ଟ ହୋଇଗଲା । ମୋ ପତ୍ନୀ ଆଜି ମୋତେ ତାର ଲିଭର ଦେଇ ଜୀବନ ଦାନ ଦେଇଛି । ଯକୃତ ପ୍ରତିରୋପଣରେ ନୂଆ ଜୀବନ ପାଇଛି । ମୋ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିବା ସମସ୍ତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଜଣାଇଥିଲେ ମାନସ । ବର୍ତ୍ତମାନ ଦୁଇଟି ସଫଳ ଯକୃତ ପ୍ରତିରୋପଣ ଏସସିବିରେ ସଫଳତାର ସହ ଶେଷ ହୋଇଥିବାବେଳେ ଆଉ ଗୋଟିଏ ମାସ ମଧ୍ୟରେ ତୃତୀୟ ପ୍ରତିରୋପଣ କରାଯିବ ବୋଲି କହିଛନ୍ତି ମେଡିକାଲ କତ୍ତୃପକ୍ଷ । ଏପଟେ ସୂଚନା ଥାଉକି, ଘରୋଇ ମେଡିକାଲ୍ ଭାବେ କିମସ୍ ରେ ମଧ୍ୟ ସଫଳତାର ସହ ଏକାଧୀକ ଲିଭର ପ୍ରତିରୋପଣ କରାଯାଇଛି । ଅନେକ ରୋଗୀ ଏଠାକୁ ଆସି ଉନ୍ନତ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button