ରାଜ୍ୟ

ମାଟି ତଳେ ସୁନା: ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ଲୋକେ – Ibnodisha

[ad_1]

କେନ୍ଦୁଝର: ଗାଁର ମାଟି ‌ତଳେ ରହିଛି ସୁନା। କିନ୍ତୁ ଏଠାକାର ଲୋକେ ଜୀବିକା ପାଇଁ ନିୟମିତ ସଂଘର୍ଷ କରୁଛନ୍ତି। ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଲୋକେ ପରପାଖରେ ମୂଲ ଲାଗୁଛନ୍ତି। କେନ୍ଦୁଝର ଜିଲ୍ଲାର ମାଟି ତଳେ ଲୁହାପଥର ଓ ମାଙ୍ଗାନିଜ ଗଚ୍ଛିତ ରହିଛି। କିଛିମାସ ତଳେ ଜିଲ୍ଲାରେ ସୁନାଖଣିର ସନ୍ଧାନ ମିଳିବା ପରେ ଏହାକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ଖଣିଶୂନ୍ୟ ତେଲ‌କୋଇ ଓ ଉପାନ୍ତ ବାଂଶପାଳ ବ୍ଲକ୍‌ରେ ସୁନାଖଣିର ସନ୍ଧାନ ମିଳିଥିବାରୁ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି। ସୁନାଖଣିର ସନ୍ଧାନ ମିଳିଥିବା ବାଂଶପାଳ ବ୍ଲକ୍‌ ତରମାକାନ୍ତ ପଞ୍ଚାୟତର ଗୋପପୁର ଗାଁ ଅନ୍ୟତମ। ଏହି ଗାଁରେ ବହୁ ପୁରୁଣା କାଳରୁ ସୁନା ମିଳୁଥିବା କଥା ରହିଛି। ଗାଁର ବୟସ୍କଙ୍କ କହିବା ଅନୁସାରେ, ଏହି ଗାଁର ଲୋକେ ପାଖ ଜଙ୍ଗଲରୁ ସୁନା ସଂଗ୍ରହ କରୁଥିଲେ। ଜଙ୍ଗଲରୁ ମାଟି ଖୋଳିବା ପରେ ତାକୁ ଧୋଇ ସେଥିରୁ ସୁନା ବାହାର କରୁଥିଲେ। ଏହାକୁ ସେମାନେ ସ୍ଥାନୀୟ ବଣିଆ ପାଖରେ ବିକ୍ରି କରି ଚଳୁଥିଲେ। କେହି କେହି ଏହି ସୁନାରୁ ଗହଣା ପ୍ରସ୍ତୁତ କରି ବ୍ୟବହାର କରୁଥିଲେ। ଗାଁ ପାଖ ଜଲପା ନାଳରୁ ପାଛିଆରେ ବାଲିଗରଡ଼ା ସଂଗ୍ରହ କରି ସେଥିରୁ ସୁନା ବାହାର କରୁଥିଲେ। ଗାଁପାଖ ଜଙ୍ଗଲରୁ ସୁନା ମିଳୁଥିବାରୁ ଗାଁ ଲୋକେ ଏହାକୁ ସୁନାଖଣି ଜଙ୍ଗଲ ବୋଲି କହିଥାନ୍ତି।

ପରବର୍ତ୍ତୀ ସମୟରେ ଗୋପପୁର ଗାଁର ଲୋକେ ଆଉ ଏହି ପାରମ୍ପରିକ ପଦ୍ଧତିରେ ସୁନା ‌ସଂଗ୍ରହ କଲେ ନାହିଁ। ୨୦୨୨ ମେ ମାସରେ ଗୋପପୁରରେ ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସର୍ଭେ କରାଯାଇଥିଲା। ଯାହା ଛଅମାସ ଧରି ଚାଲିଥିଲା। ବଡ଼କଥା ହେଲା, ସୁନାଖଣିର ସନ୍ଧାନ ମିଳିଥିବା ଏହି ଗାଁର ଭାଗ୍ୟ ଅଭାବ ଅନଟନରେ ଭର୍ତ୍ତି। ଏହି ଗାଁରେ ମୋଟ ୧୫୦ଟି ପରିବାର ବାସ କରୁଛନ୍ତି। ଏମାନେ ସମସ୍ତେ ଅତ୍ୟନ୍ତ ଗରିବ। ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିଛି ମୂଲ ଲାଗୁଛନ୍ତି। ଗାଁର କୌଣସି ମହିଳାଙ୍କ ପାଖରେ ସୁନା ଗହଣାଟିଏ ନାହିଁ। ତେବେ ସୁନାଖଣିର ସନ୍ଧାନ ମିଳିବା ପରେ ଗାଁ ଲୋକେ ଉତ୍ସାହିତ ଅଛନ୍ତି। ସେମାନଙ୍କ କହିବା ହେଲା, ସୁନାଖଣିରେ ଖନନ ଆରମ୍ଭ ହେଲେ ସେମାନଙ୍କୁ ଏଠାରେ ନିୟମିତ କାମ ମିଳି। ଯାହା ସେମାନଙ୍କ ଜୀବିକା ନିର୍ବାହରେ ସହାୟକ ହେବ। ସେହିପରି ଏହି ଗାଁ ପାଖରେ ବିଶାଳ ତରମାକାନ୍ତ ଚା ବଗିଚା ଥିଲା। ଏହା ବନ୍ଦ ହେବା ପରେ ଦୁର୍ଭାଗ୍ୟ ସତେ ଯେମିତି ଏହି ଗାଁକୁ ମାଡ଼ିବସିଛି। ଏ ସମ୍ପର୍କରେ ସମିତିସଭ୍ୟ ଅଜିତ କୁମାର ନାଏକ କହିଛନ୍ତି, ସୁନାଖଣିର ସନ୍ଧାନ ମିଳିବା ପରେ ଆମେ ଉତ୍ସାହିତ ଅଛୁ। ସରକାର ଯେତେଶୀଘ୍ର କାମ ଆରମ୍ଭ କରିବେ, ‌‌ଆମ ଗାଁ ପାଇଁ ସେତେ ଭଲ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button