ରାଜ୍ୟ

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ସବୁଠି ତତ୍ପରତା – Ibnodisha

[ad_1]

ବ୍ରହ୍ମପୁର: ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ତିନିଦିନିଆ ଗଂଜାମ ଜିଲ୍ଲା ଗସ୍ତକୁ ସଫଳ କରିବା ପାଇଁ ବିଜେଡି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ସିଏମ୍‌ଓରୁ ୫-ଟି ସଚିବଙ୍କ ଉକ୍ତ ଗସ୍ତ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ସରକାରୀ ରହିଥିବା ବେଳେ ଏହାକୁ ସଫଳ କରିବା ପାଇଁ ଶାସକ ଦଳର ନେତାମାନେ ଜୋରଦାର୍‌ ଲାଗି ପଡିଛନ୍ତି। ଆସନ୍ତା ୨୫ରୁ ତିନିଦିନ ଧରି ୫-ଟି ସଚିବ ଗଂଜାମ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀରେ ୧୪ଟି କାର୍ଯ୍ୟକ୍ରମ କରିବେ। ସେଥିମଧ୍ୟରୁ ୧୨ଟି ନିର୍ବାଚନମଣ୍ଡଳୀରେ ୧୨ଟି ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବ୍ରହ୍ମପୁରରେ ଯୁବ ସମ୍ମିଳନୀ ଓ ପୁରୁଷୋତ୍ତମପୁର ଠାରେ ମିସନ୍‌ ଶକ୍ତି ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ସମ୍ମିଳନୀ ରହିଛି। ଏହି କାର୍ଯ୍ୟକ୍ରମରେ ଯେଭଳି ହଜାର ହଜାର ସଂଖ୍ୟାରେ ଲୋକେ ଆସି ନିଜ ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଅଭିଯୋଗ ଶୁଣାଣିରେ ଯୋଗଦେବେ ସେଥିନେଇ ଶାସକ ଦଳର ବରିଷ୍ଠ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଆଜି ଏଥିନେଇ ମାନସମନ୍ଥନ କରିଥିବା ଦେଖିବାକୁ ମିଳିଛି।

ଶନିବାର ଦିନ ସ୍ଥାନୀୟ ଷ୍ଟେସନ୍‌ ରୋଡ଼ ସ୍ଥିତ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ ଠାରେ ବିଜେଡିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ସାଂଗଠନିକ) ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଓ ବିଜେଡି ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଯୋଗଦେଇ ଜିଲ୍ଲାର ସମସ୍ତ ସାଂସଦ, ଦଳୀୟ ବିଧାୟକ ଓ ବିଭିନ୍ନ ନିର୍ବାଚନମଣ୍ଡଳୀର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୫ରୁ ୨୭ତାରିଖ ତିନିଦିନ ୫-ଟି ସଚିବ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଏଥିରେ ଯୁବ, ଛାତ୍ର, ମହିଳା, ଚାଷୀ, ଗରିବ ଲୋକମାନେ କିପରି ସାମିଲ ହୋଇ ସେମାନଙ୍କ ଅଭିଯୋଗ ଦାଖଲ କରିବେ ସେନେଇ ନେତାମାନଙ୍କୁ ଅବଗତ କରାଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରତି କାର୍ଯ୍ୟକ୍ରମରେ ଯେଭଳି ହଜାରହଜାର ସଂଖ୍ୟାରେ ଲୋକେ ଯୋଗଦେବେ ସେଥିନେଇ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ କିପରି ସଫଳ ହେବ ସେନେଇ ସାଧାରଣ ସଂପାଦକ ଶ୍ରୀ ଦାସ ଓ ରାଜ୍ୟସଭା ସାଂସଦ ଶ୍ରୀମଙ୍ଗରାଜ ଆଜି ଠାରୁ ଲଗାତର ଭାବେ କାର୍ଯ୍ୟକ୍ରମର ରୂପରେଖ ନେଇ ଆଲୋଚନା କରିବା ସହ ୨୨ତାରିଖ ଠାରୁ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ହେବାକୁ କାର୍ଯ୍ୟକ୍ରମର ସ୍ଥିତି ପରଖିବେ ବୋଲି ଜଣାପଡିଛି। ବିଶେଷ କରି ଏଥିରେ ଛାତ୍ର, ଯୁବ ଓ ମହିଳାଗୋଷ୍ଠୀ ଯେଭଳି ଅଧିକ ସାମିଲ ହେବେ ସେନେଇ ଗୁରୁତ୍ବ ଦିଆଯାଇଛି।

୫-ଟି ଉପକ୍ରମରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ରୂପାନ୍ତରୀକରଣ ହୋଇଥିବା ବେଳେ ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ରୂପାନ୍ତରୀକରଣ ପାଇଁ ବ୍ୟୟ ମଞ୍ଜୁର ହୋଇଛି। ଆଗାମୀ ଦିନରେ ଅନ୍ୟାନ୍ୟ ଧାର୍ମିକ ପୀଠ ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ କଲେଜ ଗୁଡିକର ରୂପାନ୍ତରୀକରଣ କାର୍ଯ୍ୟ ୫-ଟି ସଚିବଙ୍କ ଗସ୍ତ ପରେ ହୋଇପାରେ ବୋଲି ଅନୁମାନ କରାଯାଉଛି। ସାଧାରଣ ଲୋକଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ତଦାରଖ କରି ତ୍ବରିତ ସମାଧାନ କରିଥିବାରୁ ଗଞ୍ଜାମବାସୀଙ୍କ ସମସ୍ୟାର ସମାଧାନ ତ୍ବରିତ ପାଇପାରିବେ, ତେଣୁ ୧୨ଟି ନିର୍ବାଚନମଣ୍ତଳୀରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି ବୋଲି ସାଧାରଣ ସଂପାଦକ ଶ୍ରୀଦାସ କହିଥିଲେ। ବିଜେଡିର ବୈଠକ ପରେ ଜିଲ୍ଲା ପ୍ରାଶାସନିକ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଚାଲିଥିବା ମେଗା ପ୍ରକଳ୍ପ ଗୁଡିକର ସମୀକ୍ଷା ୫-ଟି ସଚିବ କରିବେ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ହସ୍ପିଟାଲ ଗୁଡିକର ରୂପରେଖ ବଦଳିଥିବା ବେଳେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଓ ସେବା ଯୋଗାଇବା ଉପରେ ମଧ୍ୟ ୫-ଟି ସଚିବ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

ବିଜେଡିର ପ୍ରସ୍ତୁତି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ. ଗୋପବନ୍ଧୁ ଦାସ, ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ, ଆସିକା ସା˚ସଦ ପ୍ରମିଳା ବିଷୋୟୀ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ତା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ମେୟର ସ˚ଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ସଭାନେତ୍ରୀ ଅଞ୍ଜଳି ସ୍ବାଇଁ, ଉପସଭାନେତ୍ରୀ ରାଜେଶ୍ବରୀ ଦୋରା, ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ତା, ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷ ଦୈତାରି ବେହେରା, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଲବ ପାତ୍ର, ଶ୍ରୀରୂପ ଦେଓ, ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ତା, ମହାନଗର ଯୁବ ବିଜେଡି ସଭାପତି ଅଜିତ୍ ପଣ୍ତା, ଛାତ୍ର ସଭାପତି ଶୋଭନ୍‌ ନାୟକ, ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁଙ୍କ ସମେତ ଜିଲ୍ଲା ତଥା ବ୍ରହ୍ମପୁରର ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button