ଓଡିଆ ଲୋକ ସାହିତ୍ୟର ଏକ ଅଭିନ୍ନ ଅଙ୍ଗ “ହଳିଆ ଗୀତ”, ଯାହା ଚାଷୀଙ୍କ ମନର ମହୋଷଧି ଟିଏ

ଭଞ୍ଜନଗର : “ହଳିଆ ଗୀତ” । ଓଡିଆ ଲୋକ ସାହିତ୍ୟର, ଏକ ଅଭିନ୍ନ ଅଙ୍ଗ । ନା’ ଏହାର ରଚୟିତା କିଏ, ନା’ ଏହାର ସ୍ୱର ସଂଯୋଜନା କାହା ଦ୍ୱାରା ହୋଇଛି, ତାହା ଏଯାଏଁ ଅସ୍ପଷ୍ଟ ରହିଛି । ତେବେ କେହି କେହି କୁହନ୍ତି, ଏହା ଭୋକିଲା ଚାଷୀର ଆହତ ମୂର୍ଚ୍ଚନା ଟିଏ । ଆଉ କିଏ କୁହନ୍ତି, ଚାଷକାର୍ଯ୍ୟ ସମୟରେ ଉତ୍ସାହ ଭରିଦେବା ପାଇଁ, ମନର ମହୋଷଧି ଟିଏ ।
କେବଳ ପୁରୁଷ ମାନେ ଜମିରେ ହଳ କରିବା ସମୟରେ ଏହା ବୋଲିଥାନ୍ତି ତା’ନୁହେଁ, ବରଂ ମହିଳା ମାନେ ମଧ୍ୟ ଧାନ ରୋଇବା ସମୟରେ ଏହାକୁ ଗାଇଥାନ୍ତି ।
ମଝିରେ ମଝିରେ ମହିଳା ଚାଷୀଙ୍କ ହୁଳହୁଳି, ଏହି “ହଳିଆ” ଏବଂ “ଧାନରୁଆ” ଗୀତକୁ ଅଧିକ ମାତ୍ରାରେ ରସାଣିତ କରିଥାଏ । ଗଂଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ, ଧାନ ଚାଷ ସମୟରେ, ଏହି ଗୀତ ଶୁଣିବାକୁ ମିଳିଥାଏ । ବିଶେଷ କରି ଗଂଜାମର ପ୍ରସିଦ୍ଧ ଚୈତ୍ର ପର୍ବ କୁହାଯାଉଥିବା, ଦଣ୍ଡଯାତ୍ରାରେ ଏହି ଗୀତର ବ୍ୟବହାର ଦେଖିବାକୁ ମିଳିଥାଏ । ପ୍ରକୃତି – ପରିବେଶ, ଥଟ୍ଟା – ପରିହାସ, ପ୍ରେମ – ବିରହ, ପୁରାଣ ଓ ବାସ୍ତବ ଜୀବନର ପ୍ରତିଛବି, ଶୁଣିବାକୁ ମିଳିଥାଏ ଏହି ଗୀତରେ ।
ଏହାସହ “ଢଗ-ଢମାଳି” ରେ ଯତିପାତ ଲଗାଇ, ବେସୁରା କଣ୍ଠରେ ବୋଲାଯାଉଥିବା ଏହି ଗୀତର, ନିଆରା ଆକର୍ଷଣ ଅନୁଭବ ହୋଇଥାଏ । ଅବଶ୍ୟ ବର୍ତମାନ ସମୟରେ ଏହି “ହଳିଆ ଗୀତ” ଆଉ ପ୍ରାୟତଃ ଶୁଣିବାକୁ ମିଳୁନି, ଚାଷ କ୍ଷେତରେ । ଅନେକଙ୍କ ପାଖରେ ସମୟ ନାହିଁ, ଗାଇବାକୁ କିମ୍ବା ଶୁଣିବାକୁ । ତଥାପି ଏବେବି ବଞ୍ଚି ରହିଛି, ଆମ ଗ୍ରାମୀଣ ଚଳଣିର ଏହି ପାରମ୍ପାରିକ ଲୋକଗୀତ, “ହଳିଆ ଗୀତ” ।