ରାଜ୍ୟ

ଜଣାଅଜଣା ଓଡ଼ିଶା: ବିଶ୍ବସାହିତ୍ୟର ଗଙ୍ଗା ଓଡ଼ିଶାର ଭଗୀରଥ

ପ୍ରତିବର୍ଷ ଅକ୍ଟୋବର/ ନଭେମ୍ବର ମାସ ବେଳକୁ ନୋବେଲ୍ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା ହୁଏ। ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିବା ଲେଖକମାନଙ୍କର କୃତି ପଢ଼ିବା ପାଇଁ ସବୁରି ମନରେ ଥାଏ ପ୍ରବଳ ଉତ୍କଣ୍ଠା। ବିଶ୍ବସାହିତ୍ୟ-ଗଙ୍ଗାର ଏହି ଅନବଦ୍ୟ ରତ୍ନଗୁଡ଼ିକର ଓଡ଼ିଆ ଅନୁବାଦ କରି ତାହାକୁ ସାଧାରଣ ପାଠକଙ୍କ ପାଖରେ ପହଞ୍ଚାଇବା ଦିଗରେ ଓଡ଼ିଶାର ଯେଉଁ ପ୍ରକାଶକ ଭଗୀରଥ ଭୂମିକା ନେଇଥିଲେ, ସେ ହେଉଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର ଦାସ।

୧୯୪୮ ମସିହା ନଭେମ୍ବର ୪ ତାରିଖରେ ପ୍ରଖ୍ୟାତ କବି ଟି. ଏସ୍. ଏଲିଅଟ୍ ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିଲେ। ତାଙ୍କର ଯୁଗାନ୍ତକାରୀ କବିତା କୃତି ‘ୱେଷ୍ଟ୍ଲାଣ୍ଡ୍’ର ଓଡ଼ିଆ ଅନୁବାଦ ପ୍ରଫୁଲ୍ଲବାବୁ ପ୍ରକାଶ କରିଥିଲେ ୧୯୫୬ରେ। ବିଶ୍ୱାସ କରିବା କଷ୍ଟ, ମାତ୍ର ଏହି ଅନୁବାଦ ପୁସ୍ତକ ‘ପୋଡ଼ାଭୂଇଁ ଓ ଅନ୍ୟାନ୍ୟ କବିତା’ ପାଇଁ ସମ୍ମତିର ସବୁଜ ସଙ୍କେତ ଦେଇ ବିଶେଷ ଭୂମିକାଟିଏ ଲେଖିଥିଲେ ଟି. ଏସ୍. ଏଲିଅଟ୍ ନିଜେ, ଯାହାକି ସେତେବେଳେ ସାରା ଦେଶରେ ଚହଳ ପକାଇ ଥିଲା। କେବଳ ଏଲିଅଟ୍ କାହିଁକି, ଆହୁରି ଅନେକ ନୋବେଲ୍ ପୁରସ୍କାର ବିଜେତା ତଥା ବିଶ୍ବର ପ୍ରଥିତଯଶା ସାହିତ୍ୟିକଙ୍କର କାଳଜୟୀ କୃତିକୁ ଓଡ଼ିଆରେ ପ୍ରକାଶିତ କରାଇବାର ଏକ ନୂଆ ଧାରା ଆରମ୍ଭ କରିଥିଲେ ସେ। ତାଙ୍କ ବାପା ମୋହନଚରଣ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ମନମୋହନ ପ୍ରେସ ଓ ପୁସ୍ତକାଳୟର ପ୍ରକାଶନ ପରମ୍ପରାକୁ ସେ ଏକ ନୂଆ ମୋଡ଼ ଦେଇଥିଲେ।

ପ୍ରଫୁଲ୍ଲଙ୍କ ବାପା ମୋହନ ଦାସଙ୍କ ଜୀବନ ଥିଲା ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ମାସିକ ମାତ୍ର ଦୁଇଟଙ୍କା ଦରମାରେ କଟକର ପେଟ୍ରିଅଟ୍ ପ୍ରେସ୍ରୁ କମ୍ପୋଜିଟର୍ ଭାବେ ଜୀବନ ଆରମ୍ଭ କରି ସେ କଲିକତା ଯାଇ କାମ କରିଥିଲେ। କିନ୍ତୁ ସେଇଠି ନିଜ ଅସାଧାରଣ ଉଦ୍ଯୋଗ ବଳରେ ସେ ପ୍ରକାଶନ ବ୍ୟବସାୟର ସମସ୍ତ କୌଶଳ ଓ କାଇଦା ଆୟତ୍ତ କରି ନିଜର ପ୍ରକାଶନ ସଂସ୍ଥା ଆରମ୍ଭ କଲେ। କମ୍ ମୂଲ୍ୟର ପୁରାଣ, ଧର୍ମଗ୍ରନ୍ଥ ଓ ଜନପ୍ରିୟ ପୁସ୍ତକ ପ୍ରକାଶନ କରି ସେ ଏତେ ପଇସା ରୋଜଗାର କଲେ ଯେ ମାତ୍ର କେଇଟା ବର୍ଷ ପରେ କଟକ ଫେରିଆସି ୬୦ ହଜାର ଟଙ୍କାରେ ସମୁଦାୟ ପେଟ୍ରିଅଟ୍ ପ୍ରେସ୍କୁ କିଣି ତାହାର ମାଲିକ ହୋଇଯାଇଥିଲେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ମନମୋହନ ପ୍ରେସ୍ ଓ ପୁସ୍ତକାଳୟର ଶାଖା କଟକ ଓ କଲିକତା ଉଭୟ ସହରରେ କାମ କରୁଥିଲା ଏବଂ ସେ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ତିନୋଟି ଭାଷାରେ ପୁସ୍ତକ ପ୍ରକାଶ କରୁଥିଲେ।

ବଡ଼ପୁଅ ପ୍ରଫୁଲ୍ଲ, ବାପା ଥାଉ ଥାଉ ତାଙ୍କ ପ୍ରକାଶନ ବ୍ୟବସାୟର ଦାୟିତ୍ବ ନେଇଥିଲେ। ମାତ୍ର ସେଥିରେ ଏକ ନୂଆ ଦୃଷ୍ଟିକୋଣ ଯୋଡ଼ି ଦେଇଥିଲେ ସେ। ବାପାଙ୍କର ଜନପ୍ରିୟ ପୁସ୍ତକ ପ୍ରକାଶନଠାରୁ ପାଦେ ଆଗେଇ ଯାଇ ସେ ଆରମ୍ଭ କଲେ କାଳଜୟୀ ସାହିତ୍ୟିକୃତି ପ୍ରକାଶନ। ଏଥିପାଇଁ ସେ ବିଶ୍ବବିଖ୍ୟାତ ସାହିତ୍ୟିକୃତି ବିଶେଷକରି ନୋବେଲ୍ ପୁରସ୍କାର ବିଜେତାମାନଙ୍କ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଇ ପ୍ରକାଶ କରିବାକୁ ଆରମ୍ଭ କଲେ। ଏହି କ୍ରମରେ ୧୯୫୬ ଶ୍ରୀଗୁଣ୍ଡିଚା ତିଥିରେ ପ୍ରକାଶିତ ହୋଇଥିଲା ଟି. ଏସ୍. ଏଲିଅଟ୍ଙ୍କ ୱେଷ୍ଟ୍ଲାଣ୍ଡ୍ କବିତା ପୁସ୍ତକର ଓଡ଼ିଆ ଅନୁବାଦ ‘ପୋଡ଼ାଭୂଇଁ ଓ ଅନ୍ୟାନ୍ୟ କବିତା’। ଏହାର ଅନୁବାଦକ ଜ୍ଞାନୀନ୍ଦ୍ର ବର୍ମା ଓ ପ୍ରଚ୍ଛଦ ଶିଳ୍ପୀ ଥିଲେ ବିଭୂତିଭୂଷଣ କାନୁନ୍ଗୋ।
ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଲା, ସେ ସମୟର ପ୍ରାୟ ଅଧିକାଂଶ ବିଶ୍ବବିଖ୍ୟାତ ଲେଖକଙ୍କ ସହିତ ପ୍ରଫୁଲ୍ଲବାବୁଙ୍କର ଚିଠିପତ୍ର ଆଦାନପ୍ରଦାନ ଥିଲା। ସେମାନଙ୍କ ଭିତରୁ ଅନେକଙ୍କଠାରୁ ମୁଖବନ୍ଧ ଲେଖାଇ ଆଣୁଥିଲେ ସେ। ଜ୍ଞାନୀନ୍ଦ୍ର ଅନୁବାଦ କରିଥିବା ‘ଏଜରା ପାଉଣ୍ଡ୍ କବିତା’ ପୁସ୍ତକ ପାଇଁ ମଧ୍ୟ ଏଲିଅଟ୍ ମୁଖବନ୍ଧ ଲେଖିଥିଲେ। ଏଲିଅଟ୍ଙ୍କ କବିତା ପୁସ୍ତକର ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଅନୁବାଦ କରାଇ ତିନୋଟି ଭାଷାରେ ପ୍ରକାଶ କରାଇବାରେ ପ୍ରଫୁଲ୍ଲ ଥିଲେ ସମଗ୍ର ଏସିଆ ମହାଦେଶର ସର୍ବପ୍ରଥମ ପ୍ରକାଶକ। ଏହାବ୍ୟତୀତ ପ୍ରଫୁଲ୍ଲ ନିଜେ ଥିଲେ ଜଣେ ଉଚ୍ଚକୋଟୀର ଅନୁବାଦକ। ତାଙ୍କ ମା’ଙ୍କ ନାମ ଥିଲା ସୁଭଦ୍ରା ଏବଂ ସେ ‘ସୁଭଦ୍ରା-ନନ୍ଦନ’ ଛଦ୍ମନାମରେ ବହୁ ପୁସ୍ତକ ଅନୁବାଦ କରିଛନ୍ତି। ସେ ମଧ୍ୟରୁ ହରମାନ୍ ହେସ୍ଙ୍କ ‘ସିଦ୍ଧାର୍ଥ’, ପର୍ଲ ଏସ୍. ବକ୍ଙ୍କ ‘ଗୁଡ୍ ଆର୍ଥ’, ହେମିଙ୍ଗ୍ୱେଙ୍କ ‘ଓଲ୍ଡ୍ ମ୍ୟାନ୍ ଆଣ୍ଡ୍ ଦ ସି’ ଆଦି ଉଲ୍ଲେଖନୀୟ।
ସେ ଖ୍ୟାତନାମା ଓଡ଼ିଆ ଲେଖକ କାହ୍ନୁଚରଣ ଓ ଗୋପୀନାଥ ମହାନ୍ତିଙ୍କର ଅନେକ ଉପନ୍ୟାସ ଛାପିଛନ୍ତି। କାହ୍ନୁଚରଣଙ୍କ ଜନପ୍ରିୟ ଉପନ୍ୟାସ ସବୁ ପ୍ରକାଶିତ ହୋଇ ଆସୁଥିଲା ବାପା ମୋହନଙ୍କ ସମୟରୁ। ମାତ୍ର ସେ ଯୋଡ଼ିଲେ ଗୋପୀନାଥଙ୍କୁ। ତାଙ୍କ ଦୃଷ୍ଟିରେ ଜନପ୍ରିୟ ପୁସ୍ତକ ଭଳି ବିଶେଷ ଲାଭଜନକ ନ ହେଲେ ବି ଉଚ୍ଚ ସାହିତ୍ୟିକ ମାନର ପୁସ୍ତକ ପ୍ରକାଶନ ମଧ୍ୟ ଜରୁରି। ଏନେଇ ବାପାଙ୍କ ସହ ତାଙ୍କର ମନୋମାଳିନ୍ୟ ହୋଇଛି। ନୋବେଲ୍ ସାହିତ୍ୟ ପ୍ରକାଶନରେ ସେ ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି। ମାତ୍ର ସେ ଥିଲେ ନଛୋଡ଼ବନ୍ଦା। ନିଜ ବିଶ୍ବାସରେ ଅଟଳ ଜଣେ ସ୍ବାଭିମାନୀ ମଣିଷ।

ସାରା ଜୀବନ ଅବିବାହିତ ରହି ଯାଇଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର। ବାପାଙ୍କ ମୃତ୍ୟୁ ପରେ ସେ ମନମୋହନ ପ୍ରେସ୍ ଛାଡ଼ି ପ୍ରଫୁଲ୍ଲ ପ୍ରେସ୍ ଆରମ୍ଭ କରିଛନ୍ତି। ବ୍ୟବସାୟରେ କ୍ଷତି ଯୋଗୁଁ ଦେବାଳିଆ ସ୍ଥିତିରେ ମଧ୍ୟ ପହଞ୍ଚିଛନ୍ତି। ତଥାପି ପ୍ରେସ୍ ବନ୍ଦ ହୋଇଯିବା ପର୍ଯ୍ୟନ୍ତ ସେ ହିତୈଷୀମାନଙ୍କ ପ୍ରୋତ୍ସାହନ ଓ ସହାୟତାରେ ନୋବେଲ୍ ସାହିତ୍ୟ ପ୍ରକାଶନ ଅବ୍ୟାହତ ରଖିଛନ୍ତି। ମୃତ୍ୟୁର କିଛିବର୍ଷ ପୂର୍ବରୁ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସହ ଏକ ସାକ୍ଷାତ୍କାରରେ ସେ କହିଛନ୍ତି, ‘‘ଦୁର୍ଦ୍ଦିନରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ହିଁ ମୋ ପାଖରେ ଛିଡ଼ା ହୋଇଛନ୍ତି। ସେ ଓଡ଼ିଶା ସାହିତ୍ୟ ଏକାଡେମିରୁ ପ୍ରାପ୍ତ ପୁରସ୍କାରର ସମସ୍ତ ଟଙ୍କା ମୋତେ ପ୍ରଦାନ କରିଥିଲେ।’’ ସେ ମନେପକାଇଛନ୍ତି କଟକରେ ତାଙ୍କ ପ୍ରେସ୍ ଦେଖିବାକୁ ଆସିଥିବା ଅନେକ ପ୍ରସିଦ୍ଧ ସାହିତ୍ୟିକଙ୍କୁ। ‘‘ବିଷୁବମିଳନକୁ ଅତିଥି ହୋଇ ଆସିଥିବା ନାମଧାରୀ ସିଂହ ‘ଦିନକର’, ଅମ୍ରିତା ପ୍ରୀତମ୍ ଓ ମହାଦେବୀ ବର୍ମା ଆମ ପ୍ରେସକୁ ଆସି ବିଶ୍ବସାହିତ୍ୟ ପ୍ରକାଶନ ଦେଖି ମୁଗ୍ଧ ଚକିତ ହୋଇଥିଲେ।’’ ଶେଷଜୀବନ ପର୍ଯ୍ୟନ୍ତ ତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା କବି ଶୈଳଜ ରବି କହନ୍ତି- ‘‘ସେ ତାଙ୍କ ଘରର କିଛି ଅଂଶ ଦାନ କରିଦେଇଥିଲେ ଚାନ୍ଦିନୀଚୌକସ୍ଥିତ ଜଗନ୍ନାଥ ମନ୍ଦିରକୁ। ସେଇ ମନ୍ଦିରରୁ ପ୍ରତିଦିନ ପ୍ରସାଦ ଆସୁଥିଲା ତାଙ୍କ ପାଇଁ। ସୁଦୃଶ୍ୟ ମୁଦ୍ରଣ ପରିପାଟୀ ଓ ସୁନ୍ଦର ବନ୍ଧେଇରେ ପ୍ରକାଶିତ ତାଙ୍କର ଅନବଦ୍ୟ ପୁସ୍ତକଗୁଡ଼ିକ ପରି ସେ ଥିଲେ ଜଣେ ଅଭିଜାତ ରୁଚି ସଂପନ୍ନ ଦମ୍ଭିଲା ମଣିଷ। ଓଡ଼ିଶାର ତତ୍କାଳୀନ ପାଠକଗୋଷ୍ଠୀକୁ ବିଶ୍ବସାହିତ୍ୟ ସହ ପରିଚିତ କରାଇ ସେ ଯେଉଁ ଐତିହାସିକ କାର୍ଯ୍ୟ କରିଯାଇଛନ୍ତି, ତାହାର ତୁଳନା ନାହିଁ।’’

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button