ଟ୍ରେଲର ଚାଲିଛି.ଫିଲ୍ମ କେବେ?
ଭୁବନେଶ୍ବର: ପୂର୍ବ ସରକାରକୁ ତେରେଛା ବାଣ। ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତିକୁ ଜିରୋ ଟଲରାନ୍ସ। ବିଜେପି ସରକାରକୁ ଆସିବା ପରେ ବନ୍ଧା ହେଲେଣି ୬ ମୁଖ୍ୟଯନ୍ତ୍ରୀ । ତେବେ ଏହା କେବଳ ଟ୍ରେଲର ଆଗକୁ ପୂରା ଫିଲ୍ମ ବାକି ଅଛି ବୋଲି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । 5T ଦୁର୍ନୀତି କଥା ଉଠାଇ ପୂର୍ବ ସରକାରକୁ ଟାର୍ଗେଟ୍ କରିଛନ୍ତି ।
ରାଜ୍ୟରେ ଭିଜିଲାନ୍ସ ଫୋରେନ୍ସିକ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରଶ୍ନ ଉଠୁଛି, ଯେଉଁ ବଡ଼ ବଡ଼ ଦୁର୍ନୀତି ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇ କ୍ଷମତାକୁ ଆସିଛି ବିଜେପି, ତାଉପରେ ଆକ୍ସନ୍ କେବେ?
ଏ ସରକାର କେତେବେଳେ ବି ବାନ୍ଧିପାରେ !
ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିକୁ ଅସ୍ତ୍ର କରି ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ସରକାର ଆସିବାର ୧୪୦ ଦିନ ହୋଇଛି । ତେବେ ଦୁର୍ନୀତି ବିରୋଧରେ ଅନେକ ଆକ୍ସନ୍ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ହିତାଧିକାରୀ ଡିବିଟିରେ ଟଙ୍କା ପାଇବାରୁ ଦୁର୍ନୀତି ହୋଇପାରୁନି । ଏହା ଭିତରେ ୬ଜଣ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କଠାରୁ ୨୩୩ଟି ପ୍ଲଟ, ୩୨ କୋଠା, ପ୍ରାୟ ୬କେଜି ସୁନା, ୧୦କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଅନେକ ବଡ ବଡ ଅଧିକାରୀ ବି ଗିରଫ ହୋଇ ଜେଲରେ ଅଛନ୍ତି। ହେଲେ ଏହା କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି ବୋଲି ମୋହନ ମାଝୀ କହିଛନ୍ତି।
5T ଦୁର୍ନୀତି କଥା ଉଠାଇ ଟାର୍ଗେଟ୍
ପୂର୍ବ ସରକାରରେ ୨୪ବର୍ଷ ଧରି ଦୁର୍ନୀତି ଚାଲିଥିଲା । 5T ନାଁ ନେଇ ପୂର୍ବ ବିଜେଡି ସରକାରକୁ ବାଣ ମାରିଛନ୍ତି ମୋହନ ମାଝୀ । ପୂର୍ବରୁ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡାଯିବନି, ସମସ୍ତଙ୍କ ବିରୋଧରେ ତଦନ୍ତ କରାଯିବ । 5T ନାଁରେ ଅଧିକାରୀମାନେ ବ୍ୟାପକ ଟଙ୍କା ହେରଫେର କରିଛନ୍ତି । ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କେବଳ ଭାଷଣ ନା ଆକ୍ସନ୍ ହେବ?
ନିର୍ବାଚନ ବେଳଠୁ ହିଁ ପୂର୍ବ ବିଜେଡି ସରକାରକୁ ଦୁର୍ନୀତି ପ୍ରସଙ୍ଗରେ ଘେରିଆସୁଛି ବିଜେପି । କ୍ଷମତାକୁ ଆସିଲେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଣା ଅଧିକେ ସମସ୍ତ ବିଜେପି ନେତା ନିର୍ବାଚନ ରାଲିରେ କହିଥିଲେ । ଲୋକ ବି ବିଜେପିକୁ ସରକାରରେ ବସାଇଲେ । ସରକାର ଗଠନ ପରେ ବି ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଅନ୍ୟ ମନ୍ତ୍ରୀ, ଦୁର୍ନୀତିକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି । ପ୍ରଥମ ଥର କେନ୍ଦୁଝର ଗସ୍ତରେ ଯାଇ ଖଣି ମାଫିଆଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଏପର୍ଯ୍ୟନ୍ତ କିଛି ଆଖିଦୃଶିଆ ଆକ୍ସନ୍ ହୋଇନି। ବିଜେଡି ସରକାରର ମନ୍ତ୍ରୀ ଓ ଅଧିକାରୀଙ୍କୁ ଟାର୍ଗେଟ୍ ତ କରୁଛି ବିଜେପି । ହେଲେ ପ୍ରଶ୍ନ, କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?
କେବେ ଫସିବେ ବଡ଼ମାଛ?
୬ଜଣ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ କରିବା ସହ ସେମାନଙ୍କ ସଂପତ୍ତି ଜବତକୁ ନେଇ ତଥ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କେବେ ଦୁର୍ନୀତିଗ୍ରସ୍ତ ବଡମାଛ ଜାଲରେ ପଡିବେ? ଭିକେ ପାଣ୍ଡିଆନ ହୁଅନ୍ତୁ କି ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡିର ଅନ୍ୟ ବଡ଼ ନେତା, ଅଭିଯୋଗ ପରେ ଅଭିଯୋଗ ଆଣି ଚାଲିଛି ବିଜେପି। ହେଲେ ସରକାରକୁ ଆସିବାର ୪ମାସ ପରେ ବି କାହିଁକି ଦୁର୍ନୀତିର କଚ୍ଚା ଚିଠା ଖୋଲୁନାହାନ୍ତି ସରକାର? କେଉଁଠି ଅଟକିଛି କଣ୍ଟା ? ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଖୋଲାଖୋଲି କହୁଛନ୍ତି ଦୁର୍ନୀତି କରିଛି ତ ବାନ୍ଧ । ହେଲେ ବି କାହିଁକି ଚୁପ୍ ବସିଛନ୍ତି ରାଜ୍ୟ ସରକାର? 5Tରେ ହୋଇଥିବା କାମରେ ଦୁର୍ନୀତି ହେଉ କି ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ, ଦିନେ ଅଧେ ବିସ୍ଫୋରକ ବୟାନ ଦେଇ କାହିଁକି ଚୁପ୍ ସରକାରର ମନ୍ତ୍ରୀ? ଦୁର୍ନୀତିକୁ ନେଇ କେବଳ କଡା ଆଭିମୁଖ୍ୟ ନୁହେଁ, ଜନତା ଚାହୁଁଛନ୍ତି ଆକ୍ସନ୍ । ତେଣୁ ଟ୍ରେଲର ବହୁତ ହେଲା ଏବେ ଫିଲ୍ମ ଦେଖାନ୍ତୁ ସରକାର ।