IBN ଓଡ଼ିଶା ବ୍ୟୁରୋ

ସତ କହୁଛି: ଜହ୍ନ ତୁ କେଉଁ ଧର୍ମର?

ରିବ ଲୋକ ଜଣେ କିଛି ଅଟା, ଚାଉଳ ଓ ତେଲ ସଉଦା କରି ଦୋକାନୀକୁ ହିସାବ କରିବାକୁ କହିଲା। ଦୋକାନୀଜଣକ ହିସାବ କରି ତାକୁ ଶହେ ଟଙ୍କା ମାଗିବାରୁ ସେ ନବେ ଟଙ୍କା ଦେଇ ଆଉ ବାକି ଦଶ ଟଙ୍କା ତା’ ପାଖରେ ନାହିଁ ବୋଲି କହିଲା। ଦୋକାନୀ ଜଣକ ବିରକ୍ତ ହୋଇ କଛି ସଉଦା ବାହାର କରିବାକୁ ଗଲାବେଳେ ଗରିବ ଜଣକ ସେ ନିଜେ ଓ ତା’ ପିଲା ଛୁଆ ଦୁଇ ଦିନ ହେଲା ଖାଇନାହାନ୍ତି ବୋଲି କହି ସଉଦା ବାହାର ନ କରିବାକୁ ଅନୁରୋଧ କଲା।

ଦୋକାନୀ ଜଣକ ତା’ର କୌଣସି କାକୁତିମିନତି ନ ଶୁଣି ଦଶ ଟଙ୍କାର ସଉଦା ବାହାର କରିନେଲେ ଓ ନବେ ଟଙ୍କା ରଖି ବାକି ତକ ସଉଦା ତାକୁ ଧରେଇ ଦେଲେ।
ଲୋକଟି ମନ ଦୁଃଖରେ ଫେରୁଥିବା ବେଳେ ଦୋକାନୀ ତାକୁ ରହିବାକୁ କହିଲେ ଓ ପାଖରେ ଥିବା ତାଙ୍କ ପୁଅକୁ ଘରକୁ ଯାଇ ପାଞ୍ଚଛଅ ଜଣଙ୍କ ପାଇଁ ରନ୍ଧା ଖାଦ୍ୟ ଆଣି ତାକୁ ଦେଇଦେବାକୁ କହିଲେ। ପୁଅ ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ ପଚାରିଲା, “ବାପା, ତୁମେ ଦଶଟି ଟଙ୍କା ତା’ପାଖରେ ନ ଥିଲା ବୋଲି ସଉଦା ବାହାର କରିଦେଲ ଅଥଚ ବର୍ତ୍ତମାନ ପ୍ରାୟ ଶହେ ଦୁଇଶହ ଟଙ୍କାର ରନ୍ଧା ଖାଦ୍ୟ ଆଣି ତାକୁ ଦେବାକୁ କହୁଛ; ଏହା କେଉଁ ବେପାର ବୁଦ୍ଧି ମୋତେ ଟିକେ ବୁଝେଇ ଦେବ କି?” ପୁଅର ଏ ପ୍ରଶ୍ନ ଶୁଣି ବ୍ୟବସାୟୀ ଜଣକ କହିଲେ, “ପୁଅରେ, ମୁଁ ବ୍ୟବସାୟରେ ଧର୍ମ କରେ ନାହିଁ କି ଧର୍ମରେ ବ୍ୟବସାୟ କରେ ନାହିଁ କାରଣ ବ୍ୟବସାୟର ଧର୍ମ ଓ ଧର୍ମରେ ବ୍ୟବସାୟ ଉଭୟ ହାନିକାରକ ହୋଇଥାଏ।”
ବନ୍ଧୁଗଣ, ଅଧୁନା ଭାରତବର୍ଷରେ ରାଜନୀତି ଏକ ବ୍ୟବସାୟରେ ପରିଣତ ହୋଇଯାଇଛି ଏବଂ ଏହି ରାଜନୀତିରେ ଧର୍ମ ଓ ଧର୍ମରେ ରାଜନୀତି ପ୍ରବେଶ କରି ସମଗ୍ର ଭାରତବର୍ଷରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ରାଜନୀତିରେ ଧର୍ମ କେବଳ ମନୁଷ୍ୟକୁ ନୁହେଁ, ଜଣେ କବିଙ୍କ ଭାଷାରେ ପଶୁ, ପକ୍ଷୀ, ଫୁଲ, ଫଳ ଓ ଏପରିକି ରଙ୍ଗମାନଙ୍କୁ ମଧ୍ୟ ଅଲଗା ଅଲଗା କରିଦେଇଛି। ଗାଈ ହିନ୍ଦୁ ହୋଇଯାଇଛି ତ ଛେଳି ମୁସଲମାନ ହୋଇ ଯାଇଛି, ନଡ଼ିଆ ହିନ୍ଦୁ ହୋଇଯାଇଛି ତ ଖଜୁର ମୁସଲମାନ ହୋଇଯାଇଛି, ମନ୍ଦାର ଫୁଲ ହିନ୍ଦୁ ହୋଇଯାଇଛି ଓ ମଲ୍ଲି ଫୁଲ ମୁସଲମାନ ହୋଇଯାଇଛି ଏବଂ ଗୈରିକ ରଙ୍ଗ ହିନ୍ଦୁ ହୋଇଯାଇଛି ତ ସବୁଜ ରଙ୍ଗ ମୁସଲମାନ ହୋଇଯାଇଛି। ଜାତୀୟ ପତାକାରେ ଉଭୟ ରଙ୍ଗ ଏକତ୍ର ଥିବାବେଳେ ଜାତୀୟ ଚେତନାରେ ଏହା ବିଭାଜିତ ହୋଇ ଚତୁଃଦିଗରେ ପରସ୍ପର ପ୍ରତି ଏକ ଘୃଣାର ବାତାବରଣ ସୃଷ୍ଟି କରୁଛି।
ଗାଈ ହେଉ କି ଛେଳି ହେଉ, ନଡ଼ିଆ ହେଉକି ଖଜୁର ହେଉ, ମନ୍ଦାର ହେଉକି ମଲ୍ଲି ହେଉ କିମ୍ବା ଗେରୁଆ ହେଉ କି ସବୁଜ ହେଉ, ଏସବୁ ମନୁଷ୍ୟର ସୃଷ୍ଟି ନୁହେଁ। ଏସବୁ ବିଶ୍ୱନିୟନ୍ତା ଭଗବାନଙ୍କ ସୃଷ୍ଟି। ଏଗୁଡ଼ିକୁ ଏହିପରି ଭାଗଭାଗ କରିଦେବା ଭଗବାନଙ୍କ ସୃଷ୍ଟିକୁ ପ୍ରଶ୍ନ କରିବା ସହିତ ସମାନ। ଏହା ହିଁ ଧର୍ମର ରାଜନୀତି ଯାହା ଏମାନଙ୍କୁ ଧର୍ମାନୁଯାୟୀ ଭାଗଭାଗ କରି ପରସ୍ପର ପ୍ରତି ହିଂସା ଓ ବିଦ୍ୱେଶ ସୃଷ୍ଟି କରିଥାଏ ଏବଂ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଗୋଳିଆ ପାଣିରୁ ଫାଇଦା ଉଠାଇବା ପାଇଁ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥାଏ।
ସୂର୍ଯ୍ୟକିରଣରେ ସାତଟି ରଙ୍ଗ ଥାଏ, ଯାହାକି ଇନ୍ଦ୍ରଧନୁରେ ଦୃଶ୍ୟମାନ ହୋଇଥାଏ। ପ୍ରତିଟି ରଙ୍ଗ ପୃଥକ୍ ଏବଂ ନିଜର ପ୍ରତିଫଳନ ଓ ତରଙ୍ଗ ଅନୁଯାୟୀ ଆଖିରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଥାଏ। ଏହା ବିଜ୍ଞାନସମ୍ମତ କଥା, ଯେଉଁଥିରେ ଧର୍ମରେ କୌଣସି ସ୍ଥାନ ନାହିଁ କିନ୍ତୁ ମନୁଷ୍ୟ ସମାଜ ଆଜି ଏହି ରଙ୍ଗମାନଙ୍କୁ ନେଇ ରାଜନୀତି କରୁଛି ଓ ଧର୍ମାନୁଯାୟୀ ରଙ୍ଗଗୁଡ଼ିକୁ ବାଣ୍ଟିଦେଉଛି। ଗୋଟିଏ ଗୋଟିଏ ରଙ୍ଗ ଗୋଟିଏ ଗୋଟିଏ ଧର୍ମ ସହିତ ଯୋଡ଼ି ହୋଇଯାଉଛି ଯାହାକୁ ନେଇ ରାଜନୀତି ସରଗରମ ହୋଇ ରହୁଛି।
ଗାଈ ଭିତରେ ଯେଉଁ ଜୀବନ ଅଛି ଛେଳି ଭିତରେ ବି ସେଇ ଜୀବନ ଅଛି। ଧରିତ୍ରୀର ଯେତେ ପଶୁପକ୍ଷୀ, କୀଟପତଙ୍ଗ ଅଛନ୍ତି, ସମସ୍ତଙ୍କ ଭିତରେ ଭଗବାନ ଦତ୍ତ ସେଇ ଗୋଟିଏ ଜୀବନ ରହିଛି। ଶାସ୍ତ୍ର କହୁଛି କୌଣସି ବାଛ ବିଚାର ବିନା ‘ଜୀବେ ଦୟା’ ହେଉଛି ଆମର ପରମ ଧର୍ମ, କିନ୍ତୁ ଏହି ଧର୍ମ ଭିତରେ ଆଜି ରାଜନୀତି ପଶିଯାଇଛି। ପଶୁପକ୍ଷୀମାନେ ମଧ୍ୟ ଧର୍ମାନୁଯାୟୀ ବାଣ୍ଟି ହୋଇ ଯାଇଛନ୍ତି ଏବଂ ଗୋଟିଏ ପଶୁ ଗୋଟିଏ ଧର୍ମରେ ପୂଜା ପାଉଥିବା ବେଳେ ଅନ୍ୟ ଧର୍ମରେ ଘୃଣାର ପାତ୍ର ହୋଇ ଶିକାର ହେଉଛି।
ସୃଷ୍ଟିର ପ୍ରାରମ୍ଭରୁ ବନସ୍ପତି ଜଗତ ବିଶ୍ୱନିୟନ୍ତା ଭଗବାନଙ୍କ ନିୟନ୍ତ୍ରଣରେ ରହିଆସିଛି। ବାୟୁ, ସୂର୍ଯ୍ୟକିରଣ ଓ ପରାଗ ସଙ୍ଗମ ଆଧାରରେ ସୃଷ୍ଟିରେ ସମଗ୍ର ଫୁଲ ଓ ଫଳ ସମ୍ଭବ ହୋଇପାରୁଛି। ଏଥିରେ ଧର୍ମର କୌଣସି ଅବଦାନ ନାହିଁ, କିନ୍ତୁ ମନୁଷ୍ୟ ରାଜନୀତି କରିବାକୁ ଯାଇ ଏମାନଙ୍କୁ ମଧ୍ୟ ଧର୍ମ ଅନୁଯାଇ ବାଣ୍ଟି ଦେଇଛି; ନଡ଼ିଆକୁ ହିନ୍ଦୁ ଓ ଖଜୁରକୁ ମୁସଲମାନ କରିଦେଇଛି। ମନ୍ଦାରକୁ ହିନ୍ଦୁ ଓ ମଲ୍ଲିକୁ ମୁସଲମାନ କରିଦେଇଛି। ସମଗ୍ର ବିଶ୍ୱ ଗୋଟିଏ ପ୍ରକୃତିର ନିୟନ୍ତ୍ରଣରେ ଥିଲେ ମଧ୍ୟ ମନୁଷ୍ୟ ଏହାକୁ ଧର୍ମାନୁଯାୟୀ ଭାଗଭାଗ କରିଦେଇଛି।
ବନ୍ଧୁଗଣ, ଆକାଶରେ ଜହ୍ନ ଉଇଁଛି। ଜହ୍ନର କୌଣସି ଧର୍ମ ନଥାଏ କି ଏହାର କୌଣସି ବାଛ ବିଚାର ନଥାଏ। ଏହା ବିରହୀ ପ୍ରେମିକକୁ ତା’ ପ୍ରେମିକାର ମୁହଁ ଭଳି ଦିଶୁଥାଏ ତ ସାତ ଦିନର ଭୋକିଲା ଭିକାରିକୁ ରୁଟିଟିଏ ପରି ଦିଶିଥାଏ। ଏହାକୁ ମଧ୍ୟ ଧର୍ମ ଅନୁଯାୟୀ ବାଣ୍ଟିବା ପାଇଁ ଚେଷ୍ଟା କରାଯାଇଛି। ଏହା ଉଇଁଲେ କିଏ ଉପବାସ ଆରମ୍ଭ କରୁଛି ତ କିଏ ଉପବାସ ଭଙ୍ଗ କରୁଛି। ତେଣୁ ଗାଲିବ୍ ଆଶ୍ଚର୍ଯ୍ୟ ହୋଇ ଥରେ ଜହ୍ନକୁ ପଚାରିଥିଲେ, “ଏ ଜହ୍ନ ତୁ କେଉଁ ଧର୍ମର, ଇଦ୍ ବି ତୋ’ର ଆଉ କରୱାଚୌଥ ବି ତୋ’ର।”

Related Articles

Leave a Reply

Your email address will not be published. Required fields are marked *

Back to top button