IBN ଓଡ଼ିଶା ବ୍ୟୁରୋ

‘ମୋମୋ’ ଖାଇବା ହେଲା କାଳ, ଜଣେ ମୃତ, ୧୫ ଅସୁସ୍ଥ

‘ମୋମୋ’। ଏହି ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ପାଟିରୁ ଲାଲ ବୋହି ଆସେ। ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ମୋମୋ ଖାଇବାକୁ ଭଲ ପାଆନ୍ତି। କହାକୁ ଷ୍ଟିମ୍ ମୋମୋ ଭଲ ଲାଗେ ତ ଆଉ କାହାକୁ ଫ୍ରାଏ ମୋମୋ। ସେହିପରି ଆଉ କିଏ ତନ୍ତୁରି ମୋମୋ ଖାଆନ୍ତି। ଗ୍ରାହକଙ୍କ ଚାହିଦାକୁ ନଜରରେ ବଜାରରେ ଭଳି କି ଭଳି ଭେରାଇଟିର ମୋମୋ ବିକ୍ରି ହୁଏ।

ତେବେ ଏହି ମୋମୋ ଖାଇବା ଏବେ କିଛି ଜଣଙ୍କୁ ମହଙ୍ଗା ପଡ଼ିଛି। ମୋମୋ ଖାଇ ଚାଲି ଯାଇଛି ଜଣଙ୍କ ଜୀବନ। ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

ହାଇଦ୍ରାବାଦର ବଞ୍ଜାରା ହିଲ୍ସର ରାସ୍ତା କଡ଼ରେ ଥିବା ଖାଦ୍ୟ ଷ୍ଟଲରେ ମୋମୋ ଖାଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରାୟ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ଏନେଇ କିଛି ପୀଡିତ ବଞ୍ଜାରା ହିଲ୍ସ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ, ଶୁକ୍ରବାର ଦିନ ଗୋଟିଏ ହିଁ ଷ୍ଟଲରୁ କିଛି ଲୋକ ମୋମୋ ଖାଇଥିଲେ। ତେବେ ମୋମୋ ଖାଇବାର ଘଣ୍ଟାକ ପରେ ଏମାନଙ୍କୁ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ଓ ଝାଡ଼ା ହୋଇଥିଲା। ଏହାପରେ ବଞ୍ଜାର ହିସ୍ଲ ସ୍ଥିତ ବିଭିନ୍ନ ହସ୍ପିଟାଲରେ ଏମାନେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ରେଶମା ବେଗମ ନାମକ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ନିଜାମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଲିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ କହିବା ମୁତାବକ, ଚିନ୍ତାଲ ବସ୍ତିରେ ଥିବା ‘ଦିଲ୍ଲୀ ମୋମୋ’ ଷ୍ଟଲରୁ ସମସ୍ତ ୧୫ ଜଣ ବ୍ୟକ୍ତି ମୋମୋ ଖାଇଥିଲେ। ମୋମୋ ଖାଇବା ସହ ମେୟୋନିଜ୍ ଓ ଚଟନି ମଧ୍ୟ ଖାଇଥିଲେ। ଏଥିଲାଗି ଖାଦ୍ୟରେ ବିଷ କ୍ରିୟା ହୋଇଥିବା ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଏହି ମାମଲରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ପୁଲିସ ଉକ୍ତ ଫୁଡ୍ ଷ୍ଟଲ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ସିଭିକ୍ ଏଜେନ୍ସିମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବଞ୍ଜାରା ହିସ୍ଲ ନିକଟରେ ଥିବା ଅନ୍ୟ ଫୁଡ୍ ଷ୍ଟଲରୁ ମୋମୋର ନମୂନା ସଂଗ୍ରହ କରାଯାଇଛି। ଏହି ପରିପ୍ରେକ୍ଷୀରେ, ଅନ୍ୟାନ୍ୟ ଖାଦ୍ୟ ଷ୍ଟଲଗୁଡିକର ଅନୁସନ୍ଧାନ ଏବଂ ତଦାରଖ ପାଇଁ ସିଭିକ୍ ଏଜେନ୍ସିମାନଙ୍କୁ ଅନୁରୋଧ କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button