ଦିପାବଳୀ ପରେ ବେହାଲ ଟ୍ୱିନିସିଟି, ଦିଶୁନି ମୁହଁକୁ ମୁହଁ
ଭୁବନେଶ୍ବର: ସରିଛି ଆଲୋକର ପର୍ବ ଦିପାବଳୀ ହେଲେ ଏହାର ପ୍ରଭାବରେ ବେହାଲ ହୋଇପଡିଛି ଟ୍ବିନ୍ ସିଟି । ଦିପାବଳୀରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ମାତ୍ରା ବଢିଛି । ଆଜି ଭୋରରୁ ଟ୍ବିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଗାଡ଼ି ଚଳାଚଳରେ ବାଧା ପରିଲିକ୍ଷିତ ହେଉଛି ।
ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନିଆ ଦୀପାବଳି ପାଳନ ପରେ ଉଭୟ ସହରରେ ଅତି ସଙ୍ଗୀନ ସ୍ଥିତି ସୃଷ୍ଟି ହୋଇଛି । ୫୦ ମିଟର ଆଗକୁ ବି ଦେଖାଯାଉନି ରାସ୍ତା । ଖାଲି ଭୁବନେଶ୍ବର, କଟକ ନୁହଁ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି ।
ସେହିପରି କୁହୁଡିର ଚାଦରରେ ଘୋଡେଇ ହୋଇଛି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର । ଆଜି ଠାରୁ ମଧ୍ୟ ଶୀତର ପ୍ରଥମ ଅନୁଭୂତି ପୁରୀରେ ଦେଖିବାକୁ ମିଳିଛି । ଘନ କୁହୁଡି ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିରକୁ ଢାଙ୍କି ରଖିଥିବା ବେଳେ ନୀଳଚକ୍ର ମଧ୍ୟ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି । ଅତ୍ୟଧିକ ମାତ୍ରାରେ ବାଣ ଫୁଟାଇବା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ।