ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା; ଜୟପୁରରେ ଆଜି ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ
ଜୟପୁର: ସିଟି ଓ ଜିଏସଟି ଚଢ଼ାଉ ପରେ ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା । ଆଜି ଜୟପୁରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର୍ ଅଫ୍ କମର୍ସ । ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି ।
ଆଜି ପାଳିତ ହେଉଥିବା ଏହି ବନ୍ଦ ଡାକରାରେ ଜୟପୁର ସହରର ସମସ୍ତ ଛୋଟ, ବଡ଼ ଦୋକାନ ବନ୍ଦ ରହିବ ।
ଏହି ବନ୍ଦରୁ ସ୍କୁଲ, କଲେଜ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି । ସେହିପରି ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହେବ ନାହିଁ ।
କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ଜୟପୁର ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଧନତେରାସ ଥିବା ବେଳେ ସେହି ଦିନ ରାଜ୍ୟ ବିଭିନ୍ନ ସୁନା ଦୋକାନରେ ସିଟି ଓ ଜିଏସ୍ଟି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଜୟପୁରରେ ପି. ହରପ୍ରସାଦଙ୍କ ଦୋକାନ ନ୍ୟୁ ବାସେବୀ ଜ୍ୱେଲର୍ସରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଫଳରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା । ଚଢାଉ ପରଠାରୁ ପି. ହରିପ୍ରସାଦ ଚାପଗ୍ରସ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।