ରାଜ୍ୟ

ବିପିୟୁଟି ଟେକ୍ କାର୍ଣ୍ଣିଭାଲ୍‌ ଉଦ୍‌ଘାଟିତ; ଦକ୍ଷତାଭିତ୍ତିକ ହବ୍ ପା‌ଲଟିଛି ଓଡ଼ିଶା: ରାଜ୍ୟପାଳ

ଭୁବନେଶ୍ବର: ଆମେ ବୈଷୟିକ ଜ୍ଞାନ ଆଧାରିତ ଯୁଗ ଦେଇ ଗତି କରୁଛେ। ଏବେ ଯାହାଙ୍କ ପାଖରେ ବୈଷୟିକ ଜ୍ଞାନ ଅଛି ସେ ନିଜର ପ୍ରତିଭାକୁ ବିକଶିତ କରିବା ସହ ସୃଷ୍ଟି ହେଉଥିବା ଆହ୍ୱାନକୁ ସୁଯୋଗରେ ପରିଣତ କରିପାରିବେ ବୋଲି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଆୟୋଜିତ ଟେକ୍ କାର୍ଣ୍ଣିଭାଲ୍କୁ ଉଦ୍ଘାଟନ କରି ରାଜ୍ୟପାଳ ରଘୁବର ଦାସ କହିଛନ୍ତି।

ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ଆଜିର ଦୁନିଆରେ ଟେକ୍ନୋଲୋଜି ପ୍ରତ୍ୟେକ କ୍ଷେତ୍ରରେ ନୂଆ ରୂପ ନେଉଛି। ତେଣୁ ବୈଷୟିକ କ୍ଷେତ୍ରରେ ଦ୍ରୁତ ଭିତ୍ତିଭୂମି ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିପିୟୁଟି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯୁବପିଢ଼ିଙ୍କ ମଧ୍ୟରେ ଅଭିନବତା ଓ ଉତ୍କର୍ଷର ସଂସ୍କୃତି ବୃଦ୍ଧି କରୁଛି। ବୈଷୟିକ, ସାଂସ୍କୃତିକ ଓ କ୍ରୀଡ଼ାଠାରୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ହାଇ-ଇଭେଣ୍ଟକୁ ନେଇ କରାଯାଉଥିବା ଟେକ୍ କାର୍ଣ୍ଣିଭାଲ୍ କେବଳ ପ୍ରତିଭା ଓ ଜ୍ଞାନର ଉତ୍ସବ ନୁହେଁ। ବରଂ ଓଡ଼ିଶାର ଯୁବକମାନଙ୍କ ଅଗ୍ରଗାମୀ ଚିନ୍ତାର ପ୍ରତିଫଳନ।

ଯେଉଁମାନେ କି ଟେକ୍ନୋଲୋଜି ମାଧ୍ୟମରେ ଆମର ଭବିଷ୍ୟତ ଗଠନ ପାଇଁ ଆଗକୁ ବଢ଼ୁଛନ୍ତି। ଏହାମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ପ୍ରତିଯୋଗିତାମୂଳକ ବୈଷୟିକ ଦକ୍ଷତାର ବିକାଶ କରିବା ସହ ଦଳଗତ କାର୍ଯ୍ୟ ଓ ଚିନ୍ତାଧାରା ଭଳି ଅତ୍ୟାବଶ୍ୟକ କୌଶଳର ବିକାଶ କରିବେ। ପ୍ରତିଯୋଗିତାମୂଳକ ଦୁନିଆରେ ସଫଳ ହେବାକୁ ଲକ୍ଷ୍ୟ ରଖିଥିବା କୌଣସି ଉଦ୍ୟୋଗୀ କିମ୍ବା ପ୍ରଯୁକ୍ତିବିଦ୍ୟା ଆଗ୍ରହୀଙ୍କ ପାଇଁ ନେତୃତ୍ୱ ନେବାରେ ଏହି କାର୍ଣ୍ଣିଭାଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶା ଏକ ଦକ୍ଷତା ଭିତ୍ତିକ ହବ୍ ପାଲଟିଛି। ଯୁବପିଢ଼ିଙ୍କୁ ଦକ୍ଷ କରିବା, ସେମାନଙ୍କୁ ନିଯୁକ୍ତି ଦେବା ତଥା ଓଡ଼ିଶାକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସେ କହିଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୈଷୟିକ ଶିକ୍ଷା ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଟେକ୍ କାର୍ଣ୍ଣିଭାଲ୍ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିପିୟୁଟି ଓ କେନ୍ଦ୍ର ସରକାରଙ୍କ ଏନ୍ଆରଡିସି ମଧ୍ୟରେ ଏକ ରାଜିନାମା ସ୍ବାକ୍ଷର ସହ ବିପିୟୁଟି ନ୍ୟୁଜ୍ ଲେଟର୍ ଉନ୍ମୋଚିତ ହୋଇଥିଲା। ବିପିୟୁଟି କୁଳସଚିବ ନିଶିପୁନମ୍ ମିଞ୍ଜ୍ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button