ରାଜ୍ୟ

ଶିକ୍ଷକଶୂନ୍ୟ ଜମେଶ୍ବର ବିଦ୍ୟାପୀଠ: ୧୨ରୁ ୧୨ ଶିକ୍ଷକ ପଦ ଖାଲି

ଆଠଗଡ଼: ବିନା ଶିକ୍ଷକରେ ଚାଲିଛି ହାଇସ୍କୁଲ୍। ମାସେ କି ଦୁଇମାସ ନୁହେଁ ୧୬ ମାସ ହେଲା ଏଭଳି ସ୍ଥିତି ଲାଗିରହିଛି। କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ର ରାଧାକିଶୋରପୁରସ୍ଥିତ ଜମେଶ୍ବର ବିଦ୍ୟାପୀଠରେ ୧୨୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏହି ଉଚ୍ଚବିଦ୍ୟାଳୟ ଶିକ୍ଷକଶୂନ୍ୟ ହେବା ଗଣଶିକ୍ଷା ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଛିଡ଼ା କରିଛି।

ଆଖପାଖ ସ୍କୁଲରୁ ଶିକ୍ଷକ/ଶିକ୍ଷୟିତ୍ରୀ ପାଳି କରି ଆସି ଏଠାରେ ପାଠ ପଢ଼ାଉଥିବା ଜଣାପଡ଼ିଛି।

୧୨ରୁ ୧୨ ଶିକ୍ଷକ ପଦ ଖାଲି
ଅନ୍ୟ ସ୍କୁଲ୍ରୁ ପାଳିକରି ଆସୁଛନ୍ତି ଶିକ୍ଷକ

୧୯୮୩ ମସିହାରେ ପ୍ରତିଷ୍ଠା ହୋଇଥିବା ରାଧାକିଶୋରପୁରସ୍ଥିତ ଜମେଶ୍ବର ବିଦ୍ୟାପୀଠ ଏକ ପୂର୍ଣ୍ଣ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ। ବର୍ତ୍ତମାନ ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୬୩ ଓ ଦଶମ ଶ୍ରେଣୀରେ ୫୮ ଏହିପରି ମୋଟ ୧୨୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁନ୍ତି। ବିଦ୍ୟାଳୟରେ ୧୨ଟି ଶିକ୍ଷକ ପଦ, ଗୋଟିଏ କିରାଣି ପଦ ଓ ତିନିଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ରହିଛି। କିଛି ବର୍ଷ ହେଲା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅବସର ଗ୍ରହଣ କରିବା କିମ୍ବା ବଦଳି ହେବା ପରେ ଏଠାରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନି। ୨୦୨୩ ଜୁଲାଇରେ ଜଣେ ବିଜ୍ଞାନ ଶିକ୍ଷକଙ୍କ ଅବସର ପରେ ବିଦ୍ୟାପୀଠରେ କୌଣସି ସ୍ଥାୟୀ ଶିକ୍ଷକ ନାହାନ୍ତି। ଫଳରେ କଣ୍ଡରେଇସ୍ଥିତ ଶ୍ୟାମସୁନ୍ଦର ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସାହୁଙ୍କୁ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ସେହିପରି ଗୁରୁଡ଼ିଝାଟିଆ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସୋମବାର, ମଙ୍ଗଳବାର, ବୁଧବାର ଏବଂ ଖୁଣ୍ଟୁଣୀ ଓ ବାଳି ଉଚ୍ଚବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକ ଗୁରୁବାର, ଶୁକ୍ରବାର ଓ ଶନିବାର ଶିକ୍ଷାଦାନ ପାଇଁ ଆସୁଛନ୍ତି। ପାଳି କରି ଜଣେ ଲେଖାଏଁ ଶିକ୍ଷକ ଆସୁଥିବାରୁ କିପରି ଦୁଇଟି ଶ୍ରେଣୀରେ ଶିକ୍ଷାଦାନ କରାଯାଉଛି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ କିରାଣିଙ୍କ ଅବସର ପରେ ନୂତନ ନିଯୁକ୍ତି ହୋଇ ନ ଥିଲା ବେଳେ ତିନିଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ବିଦ୍ୟାଳୟ ଚାଲିଛି।

Related Articles

Leave a Reply

Your email address will not be published. Required fields are marked *

Back to top button