ହୀରାକୁଦ ଜଳ ପରିଚାଳନା ବୈଠକ ଆଜି
ସମ୍ବଲପୁର: ଛତିଶଗଡ଼ ସରକାର କଲମା ବ୍ୟାରେଜ୍ରୁ ଜଳ ଛାଡ଼ିବା ଉପରେ ଅଙ୍କୁଶ ଲଗାଇବା ପରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇଛି। କଲମା ବ୍ୟାରେଜ୍ର ୬୬ଟି ଗେଟ୍ ମଧ୍ୟରୁ ମାତ୍ର ୩ଟି ଗେଟ୍ ଖୋଲା ରହିଥିବା ବେଳେ ବାକି ୬୩ଟି ଗେଟ୍ ବନ୍ଦ ରହିଛି। ହୀରାକୁଦ ଜଳ ପରିଚାଳନା ପାଇଁ ଆସନ୍ତାକାଲି ଭୁବନେଶ୍ବରରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି।
ବୈଠକରେ ଜଳସଂପଦ ବିଭାଗର ସଚିବଙ୍କ ସହିତ ହୀରାକୁଦ ବନ୍ଧର ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକଙ୍କ ସହିତ ଓଏଚ୍ପିସିର ବରିଷ୍ଠ ପଦାଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜଳସେଚନ, ଶିଳ୍ପକୁ ଜଳଯୋଗାଣ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ କେତେ ପାଣି ବ୍ୟବହାର କରାଯିବ, ସେ ସଂପର୍କରେ ବୈଠକରେ ମୁଖ୍ୟତଃ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ବିଦ୍ୟୁତ୍ ଉତ୍ପାଦନ ପାଇଁ ଅଧିକ ପାଣି ବ୍ୟବହାର ଦୃଷ୍ଟିରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଥିଲା। ଗତ ମାସ ୨୨ ତାରିଖ ସୁଦ୍ଧା ମାତ୍ର ୧୬ ଦିନ ମଧ୍ୟରେ ୩.୨୩ ଫୁଟ ଜଳସ୍ତର ହ୍ରାସ ପାଇଥିଲା। ଓଏଚ୍ପିସି ଅଧିକ ବିଦ୍ୟୁତ୍ ଉତ୍ପାଦନକୁ ଗୁରୁତ୍ବ ଦେଉଥିବାରୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ପାଣିର ସଦୁପଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ମର୍ମରେ ହୀରାକୁଦ ବନ୍ଧର ମୁଖ୍ୟଯନ୍ତ୍ରୀ ଓଏଚ୍ପିସିକୁ ଏକ ଚିଠି ଲେଖିଥିଲେ। ଚିଠି ପାଇବା ପରେ ଓଏଚ୍ପିସି କମ୍ ପାଣି ଟାଣିବା ସହିତ ବିଦ୍ୟୁତ ଉତ୍ପାଦନ ହ୍ରାସ କରିଥିଲା। ତେବେ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ଅକ୍ଟୋବରରେ ଯେତିକି ପାଣି ବ୍ୟବହାର କରାଗଲା, ସେଭଳି ହେଲେ ଆଗାମୀ ରବି ଫସଲ ନିମନ୍ତେ ଚାଷ ଜମିକୁ ପାଣି ଯୋଗାଇବା ବି କଷ୍ଟକର ହୋଇପଡ଼ିବ। ଗତ ଅକ୍ଟୋବର ୬ ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷସ୍ତର ଅର୍ଥାତ ୬୩୦ ଫୁଟ୍ ରହିଥିଲା। ମାତ୍ର ୨୨ ଅକ୍ଟୋବରରେ ଜଳସ୍ତର ୬୨୬.୭୭ ଫୁଟ୍କୁ ଖସି ଆସିଥିବା ବେଳେ ଆଜି ନଭେମ୍ବର ୪ ତାରିଖ ସକାଳ ୮ଟା ସୁଦ୍ଧା ଜଳସ୍ତର ୬୨୬.୨୬ ଫୁଟ ରହିଥିଲା।