ଚିହ୍ନଟ ହେବେ ଦାଦନ ଶ୍ରମିକ: ଗାଁରେ ମିଳିମିଶି କାମ ଯୋଗାଇବେ ସରକାରଙ୍କ ସବୁବିଭାଗ
କାମ ଅନ୍ୱେଷଣରେ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କନଭରଜେନ୍ସ ମୋଡରେ ବା ସମ୍ମିଳିତ ହୋଇ ସେମାନଙ୍କର ଜୀବିକାନିର୍ବାହ ଯୋଜନାକୁ ଗାଁରେ କାର୍ଯ୍ୟକାରୀ କରିବେ । ଲୋକଙ୍କୁ ବର୍ଷକୁ ୨୦୦ରୁ ୩୦୦ଦିନ କାମ ଯୋଗାଇବେ । ଏହାସହିତ କେଉଁ ବ୍ଲକରୁ କେଉଁମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯିବ ।
ରାଜ୍ୟର ବିଜେପି ସରକାର ଦାଦନଜନିତ ବିସ୍ଥାପନ ସମସ୍ୟାର ସମଧାନ ପାଇଁ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ ଗତ ଅକ୍ଟୋବର ୨୮ତାରିଖରେ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଟାସ୍କଫୋର୍ସ ବୈଠକ ପରେ ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ରାଜ୍ୟରେ ଦାଦନ ସମସ୍ୟା ଓ ସେମାନଙ୍କୁ ଜୀବିକାନିର୍ବାହ ପାଇଁ ବିକଳ୍ପ ପନ୍ଥା ଯୋଗାଇବା ଉପରେ ବିସ୍ତୃତ ଆଲୋଚନା ହୋଇଛି ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଂଚାୟତିରାଜ, କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁସମ୍ପଦ, ଜଳସେଚନ, ଜଙ୍ଗଲ ବିଭାଗ ଆଦିର ସହଯୋଗରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜୀବିକାନିର୍ବାହ କାର୍ଯ୍ୟକ୍ରମ ବା ଯୋଜନାକୁ ସମ୍ମିଳିତ ଭାବେ ଗାଁରେ ଯୋଗାଇ ଦିଆଯିବ । ଦାଦନ ଶ୍ରମିକ ଭାବେ ଯାଉଥିବା ସମସ୍ତ ଗାଁରେ ଏହାକୁ କାର୍ଯ୍ୟକାରୀ କରାଯାଇ ଯେପରି ସେମାନଙ୍କୁ ସବୁଦିନିଆ କାମ ମିଳିବ ଓ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ ତା’ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦାଦନ ନଯିବା ପାଇଁ ସେମାନଙ୍କୁ ଅନ୍ତତଃ ବର୍ଷକୁ ୨୦୦ରୁ ୩୦୦ଦିନ କାମ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନକୁ ଏଥିପାଇଁ ତ୍ୱରିତ୍ ପଦକ୍ଷେପ ନେଇ ଦାଦନ ପରିବାର ଓ ଲୋକମାନଙ୍କୁ ଚିହ୍ନଟ କରି ସ୍ଥାୟୀ ରୋଜଗାର ବ୍ୟବସ୍ଥା ଓ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ୩୦ଟି ବ୍ଲକରେ ଅଧିକ ପରିମାଣର ଲୋକେ ଦାଦନ ଖଟିବାକୁ ଅନ୍ୟତ୍ର ଯାଉଥିବା ସର୍ଭେରୁ ଜଣାପଡ଼ିଛି ।
ମୁଖ୍ୟ ସଚିବ ଶ୍ରୀ ଆହୁଜା ବିଭିନ୍ନ ବିଭାଗର ମିଳିତ ପ୍ରୟାସରେ ଗାଁଗୁଡ଼ିକରେ କନଭରଜେନ୍ସି ମୋଡରେ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଯୋଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ କମିଟି ଗଠନ କରାଯାଇ ଦାଦନ ସମସ୍ୟାର ସମାଧାନ ଓ ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ଆଦିର ନିୟମିତ ଅନୁଧ୍ୟାନ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଏକ ଡାଟାବେସ୍ ପ୍ରସ୍ତୁତି ସହ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଚିହ୍ନଟ ପରିବାରକୁ ଆଗାମୀ ୩ମାସ ପାଇଁ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧଛାଡ଼ ସୁବିଧା ଦେବା, ଦାଦନ ସ୍ଥାନାନ୍ତର ରୋକିବା ପାଇଁ ଆଇନର ଅନୁପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଥିବା ଓଡ଼ିଶାର ଲୋକ ଓ ଶ୍ରମିକମାନଙ୍କ ବାସ୍ତବସ୍ଥିତି ଓ ଏହାର କାରଣ ଖୋଜିବାକୁ ଶ୍ରମ ବିଭାଗକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୧୧ଟି ଜିଲ୍ଲା ବିଶେଷକରି ବରଗଡ଼,ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୋନପୁର ଜିଲ୍ଲାର ଲୋକେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ସର୍ଭେରୁ ଜଣାପଡ଼ିଛି । ଆଜିର ଏହି ବୈଠକରେ ଉପରୋକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।