ରାଜ୍ୟ

କାର୍ତ୍ତିକ ପରେ ମେଘନାଦ ପାଚେରିର ପୂର୍ଣ୍ଣାଙ୍ଗ ମରାମତି, ସରିଲା ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ମଧ୍ୟରେ ବୈଠକ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରିରେ ଫାଟକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଓ ଆଲୋଚୋନା । ମେଘନାଦ ପାଚେରିର ସୁରକ୍ଷାରେ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ନେଇ ଜଗନ୍ନାଥପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ମେଘନାଦ ପାଚେରି ରକ୍ଷଣାବେକ୍ଷଣରେ ଅବହେଳା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି ।

ମରାମତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ‘ଏଏସଆଇ’ ଅଧିକାରୀଙ୍କ ସହ ଆଲୋଚୋନା କରିଛନ୍ତି । ଧର୍ମମାସ କାର୍ତ୍ତିକ ଶେଷ ହେବା ପରେ ପାଚେରିର ପୂର୍ଣ୍ଣାଙ୍ଗ ମରାମତି କାମ ଆରମ୍ଭ ହେବାକୁ ଏଥିରେ ନିଷ୍ପତ୍ତି ହୋଇଛି । ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ‘ଏଏସଆଇ’ ମିଳିତ ଭାବେ ପାଚେରି ଓ ମନ୍ଦିର ବେଢା ମଧ୍ୟରେ ଥିବା ଡ୍ରେନେଜର ମିଳିତ ମରାମତି କରିବେ ।

କାର୍ତ୍ତିକ ପରେ ବ୍ୟାପକ ଆକାରରେ ପୂର୍ଣ୍ଣାଙ୍ଗ ମରାମତି:-

ଗତକାଲି (ବୁଧବାର) ଅପରାହ୍ନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି,”ମେଘନାଦ ପାଚେରିର ସୁରକ୍ଷା ପାଇଁ ଆମେ ଏକ ବୈଠକ କରିଛୁ । ‘ଏଏସଆଇ’ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ମେଘନାଦ ପାଚେରିର ମରାମତି ଓ ସୁରକ୍ଷା ନେଇ ବିସ୍ତୃତ ଭାବେ ଆଲୋଚୋନା କରାଯାଇଛି । ମେଘନାଦ ପାଚେରି ଦେଇ ପାଣି ଲିକ୍ କରୁଥିବା ବେଳେ ଏହାକୁ କିଭଳି ରୋକି ହେବ ଏବଂ ମରାମତି ହେବ ସେ ନେଇ ସବିଶେଷ ଆଲୋଚନା ହୋଇଥଲା । ଆନନ୍ଦ ବଜାରରେ ଥିବା ଡ୍ରେନର ମରାମତି କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରଯାଉଛି । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଡ୍ରେନ୍‌ କରାଯିବ । ତେବେ ମେଘନାଦ ପାଚେରିରେ ଯେଉଁ ଫାଟ ସୃଷ୍ଟି ହେଇଛି, ତାହାର ମରାମତି ଏ ‘ଏଏସଆଇ’ କରିବ ପାଇଁ ଆଲୋଚୋନା ହୋଇଛି । କାର୍ତ୍ତିକ ମାସ ପରେ ମେଘନାଦ ପାଚେରିର ସମ୍ପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟ ବୃହତ୍ତ ଆକାରରେ ଆରମ୍ଭ କରାଯିବ । ଶ୍ରୀମନ୍ଦିର ଚାରିପାଖରେ ମେଘନାଦ ପାଚେରିରେ ଯେଉଁଠି ବି ଛିଦ୍ର ହୋଇଛି ତାହାର ପୂର୍ଣ୍ଣାଙ୍ଗ ମରାମତି ‘ଏଏସଆଇ’ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ କରିବେ ।

ଡ୍ରେନେଜ୍‌ ଓ ପଥର ରିପ୍ଲେସମେଣ୍ଟ କାମ ହେବ:-

ମୁଖ୍ୟ ପ୍ରଶାସକ ପାଢୀ ଆହୁରି ମଧ୍ୟ କହିଛନ୍ତି, ”ଯଦି କେଉଁଠି ପଥର ପରିବର୍ତ୍ତନ କରିବା ଅଛି, ତାହା ‘ଏଏସଆଇ’ କରିବ । ତେବେ ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରର ମରାମତି ଓ ସଂରକ୍ଷଣ ପାଇଁ ମଧ୍ୟ ଆମେ ‘ଏଏସଆଇ’ ସହିତ ଆଲୋଚୋନା ମଧ୍ୟ କରିଛୁ । ଶ୍ରୀମନ୍ଦିରର କେମିକାଲ ପ୍ରିଜରଭେସନ କାର୍ଯ୍ୟ ନେଇ ଆମ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ ରିପୋର୍ଟ୍ ଦେଲା ପରେ ଯାହା କିଛି ପଦକ୍ଷେପ ନେବୁ ।

ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ସମ୍ପର୍କରେ କୌଣସି ତଥ୍ୟ ମିଳିନି:-

ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ଥିବା ନେଇ ‘ଏନଜିଆରଆଇ’ ରିପୋର୍ଟ ଆମର ହସ୍ତଗତ ହୋଇନାହିଁ । ଏହା ଉପରେ ମତାମତ ଦେବା ଠିକ ହେବ ନାହିଁ । ଆମକୁ ‘ଜିପିଆରଏସ’ ସର୍ଭେ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ତେବେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ନଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଥିବା ବେଳେ ଏହା ଉପରେ ମୁଁ କୌଣସି ମତାମତ ଦେବି ନାହିଁ । ”

Related Articles

Leave a Reply

Your email address will not be published. Required fields are marked *

Back to top button