ରାଜ୍ୟ

ସନ୍ଧ୍ୟା ହେଲେ ଥରୁଛି; ଆଉ ତିନି ଦିନ.

ଭୁବନେଶ୍ବର: କାଲୁଆ ପବନ ବା‌ଜିଲେ ଦେହ ଥରି ଉଠୁଛି। ଶୀତବସ୍ତ୍ର ନ ପିନ୍ଧିଲେ ପଦାକୁ ବାହାରି ହେଉନାହିଁ। ସନ୍ଧ୍ୟାରୁ ସହରବାସୀ ଶୀତରେ ଥରୁଛନ୍ତି। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ଲଗାତାର ତିନି ଦିନ ହେଲା ହାଡ଼ଭଙ୍ଗା ଶୀତ ଏମିତି ଭାବେ ରାଜଧାନୀବାସୀଙ୍କୁ ଥରାଉଛି। ରାଜଧାନୀ‌ରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହୁଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଯାଇଛି। ବିଶେଷକରି ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛନ୍ତି। ନିରାଶ୍ରୟମାନେ ରାସ୍ତାକଡ଼ରେ ନିଆଁଜାଳି ଶୀତରୁ ରକ୍ଷା ପାଇବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ସପ୍ତାହକ ତଳେ ରାତି ୧୧ଟା ପରେ ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଥିଲା। ଏବେ ତା’ର ବିପରୀତ ସ୍ଥିତି।

ବସ୍ତି ଅଞ୍ଚଳ କଥା ନକହିବା ଭଲ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ନିଆଁ ଜାଳୁଛନ୍ତି। ଚଚଳିତବର୍ଷ ପ୍ରଥମଥର ପାଇଁ ସହରରେ ଏଭଳି ଥଣ୍ଡା ଅନୁଭୂତ ହୋଇଛି। ଗୁରୁବାର ପର୍ଯ୍ୟନ୍ତ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହୁଥିବା ବେଳେ ଶୁକ୍ରବାରଠାରୁ ତଳକୁ ଖସି ଆଜି ୧୦.୯ ଡିଗ୍ରିରେ ପହଞ୍ଚିଛି। ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା। ଖରା ହେଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନ ଥିଲା। ପୂର୍ବାହ୍ନ ୧୦ଟା ପରେ ସ୍ଥିତି ବଦଳିଥିଲା। ସନ୍ଧ୍ୟାଠାରୁ ପୁଣିଥରେ ପାରଦ ଖସିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଡିସେମ୍ବର ୧୦ରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୨୧.୩ ଡିଗ୍ରି ରହିଥିଲା। ଆଜି ତାହା ୧୦.୯ ଡିଗ୍ରିରେ ପହଞ୍ଚିଛି। ଅର୍ଥାତ୍‌ ସପ୍ତାହକ ମଧ୍ୟରେ ପାରଦ ୧୦.୪ ଡିଗ୍ରି ହ୍ରାସ ପାଇଛି। ଏହି ସମୟରେ ସହରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରହିବା କଥା। ମାତ୍ର ଏବେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୫.୧ ଡିଗ୍ରି ତଳେ ରହିଛି।

ସପ୍ତାହକର ସର୍ବନିମ୍ନ ତାପମାତ୍ରା

ସପ୍ତାହକରେ କମିଲା ୧୦.୪ଂ
ସ୍ବାଭାବିକଠାରୁ ୫.୧ଂ ଅଧିକ

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବର ଓ କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୦.୯ ଓ କଟକରେ ୧୧ ଡିଗ୍ରି ରହିଥିଲା। ସୋମବାର ରାତିରେ ଉଭୟ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଲେଖାଏଁ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ୩ ଦିନ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ୨୦ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୧ ଡିଗ୍ରି ମଧ୍ୟରେ ରହିବ। ୨୧ ତାରିଖ ବେଳକୁ ଆହୁରି କମିବ। ତେଣୁ ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା, ଖଣ୍ଡଗିରି ପ୍ରଭୃତି ଅଞ୍ଚଳରେ ରାତିରେ ପାରଦ ବହୁତ କମ୍‌ ରହୁଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ୧୭ ତାରିଖ ରାତିରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ୧୮ ରାତିରେ ଆଉ ୩ ଡିଗ୍ରି ବୃଦ୍ଧି ପାଇ ୨୦ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୨୧ ତାରିଖ ରାତିରେ ପ୍ରାୟ ୩ ଡିଗ୍ରି କମିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button