ଅପରାଧରାଜ୍ୟ

ପାଇପ୍ ଚୋରି କରି ୫ଗିରଫ

ଯାଜପୁର:ସୁକିନ୍ଦା(IBN ଓଡିଶା):ଯାଜପୁର ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ଅନୁଦାନରେ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମେଘା ଇଞ୍ଜିନିୟରିଂ କମ୍ପାନିର ଆମ୍ପୋଳବା ଓ ବରଡ଼ି କ୍ୟାମ୍ପ୍‌ରୁ ଗତ ୮ ତାରିଖ ଦିନ ୩୦ ଲକ୍ଷ ଟଙ୍କାର ଡିଆଇ ପାଇପ୍‌ ଲୁଟ୍‌ ହୋଇଥିଲା। ଏ ସଂପର୍କରେ ମେଘା କମ୍ପାନି ପକ୍ଷରୁ ସୁନନ୍ଦ ନାଗ ଥାନାରେ ଏତଲା ଦେଇଥିଲେ। ପୁଲିସ ୯ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ମହାରାଷ୍ଟ୍ରର ନାଗପୁର ଥାନା ଇସାକ ତଳନଗରର ବିକାଶ ସମରାଓ ମହାନ୍ଦୁଲେ(୩୬), ଭଣ୍ଡାର ଜିଲ୍ଲା ଆଦ୍ୟାଲ ଥାନା ପିଲାନ୍ଦ୍ରିର ସୁରେନ୍ଦ୍ର ମହେଶ୍ବର ଜନବନ୍ଧୁ(୪୩) ଓ ଅହମ୍ମଦନଗର ସୁନେଇ ଥାନା ଜପାବାଡ଼ିର ଧନେଶ୍ବର ଲକ୍ଷ୍ମଣ ସୋନାର(୩୩) ଏବଂ ଅନ୍ୟ ୨ ଜଣ ହେଲେ ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଥାନା ଜଗନ୍ନାଥପୁର ଗାଁର ସୁନିଲ ଭୁତିଆ(୨୯) ଓ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚହଟା ଗାଁର ଜିତେନ୍ଦ୍ର ମହାନ୍ତି(୩୨)।

ସମସ୍ତ ଅଭିଯୁକ୍ତଙ୍କୁ କେସ ନଂ ୨୮/୨୩ ଓ ଆଇପିସି ଦଫ‌ା ୩୭୯/୩୪ ଆଧାରରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି। ପାଇପ୍‌ ଲୁଟ୍‌ ମାମଲାରେ ପୁଲିସ ପକ୍ଷରୁ ଗତ ୯ ତାରିଖ ଏକ ହାଇଡ୍ରା ଓ ୩ଟି ଟ୍ରକ୍‌ ଜବତ ହୋଇଥିଲା। ଏସବୁ ଯାନ ଏବେ ଥାନା ପରିସରରେ ପୁଲିସ ହେପାଜତରେ ରହିଛି। ମହାରାଷ୍ଟ୍ରର ୩ ଅଭିଯୁକ୍ତ ହେଉଛନ୍ତି ୩ ଟ୍ରକର ଡ୍ରାଇଭର। ସେହିପରି କାମାକ୍ଷାନଗରର ଅଭିଯୁକ୍ତ ସୁନିଲ ହାଇଡ୍ରାର ଡ୍ରାଇଭର। ସେଦିନ ସୁକିନ୍ଦାର ଜଣେ କାର୍ପଟଦାର କଥାରେ ପଡ଼ି ସୁନିଲ କାଳିଆପାଣିରୁ ହାଇଡ୍ରା ଚଳାଇ ସୁକିନ୍ଦା ଆସିଥିଲା। ଜିତେନ୍ଦ୍ର ପାଇପ୍‌ ପିଛା ୫ଶହ ଟଙ୍କା ଲେଖାଏଁ ନେଇ ଏସବୁକୁ ହାଇଡ୍ରା ସହାୟତାରେ ଟ୍ରକ୍‌ରେ ବୋଝେଇ କରିଥାଏ।

ସୁକିନ୍ଦା, ଦାନଗଦି ଓ ଯାଜପୁରରୋଡ଼ର ୩ ଜଣ ପାଇପ୍‌ ଲୁଟ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ‌ହୋଇଛି। ପୂର୍ବରୁ ସମାନ ଢଙ୍ଗରେ ଜାରକା, କୁଆଖିଆ, ପାଣିକୋଇଲି, ଦାନଗଦି ଓ ଧର୍ମଶାଳା ଥାନା ଅଞ୍ଚଳରୁ ଲୁଟ୍‌ ହୋଇଥିବା ପାଇପ୍‌ ମାମଲାରେ ଜିତେନ୍ଦ୍ରର ସଂପୃକ୍ତି ରହିଛି। ପୁଲିସ ଚଢ଼ଉ ସୂଚନା ପାଇ ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଓ ଅନ୍ୟ ୫ଜଣ ସହଯୋଗୀ ରାଜ୍ୟ ବାହାରକୁ ପଳାଇଥିବା ପୁଲିସ କହିଛି। ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଘଟଣାର ପର୍ଦ୍ଦାଫାସ୍ କରାଯିବ ବୋଲି ଥାନା ଅଧିକାରୀ କାବୁଲି ବାରିକ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button