ହାଇକୋର୍ଟଙ୍କ ନିର୍ଦ୍ଦେଶ: ଅଭିଯୋଗକାରୀଙ୍କୁ ଥାନାରେ କଲମ, କାଗଜ ସହିତ ବସିବା ପାଇଁ ଚଉକିଦେବେ ପୁଲିସ ବାବୁ

କଟକ: ପୁଲିସ ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରାଯିବା ସହିତ ଆବଶ୍ୟକ ସହଯୋଗ ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିଙ୍କୁ ଥାନାରେ କଲମ, କାଗଜ ସହିତ ବସିବା ପାଇଁ ଚଉକି ଦେବାକୁ ହାଇକୋର୍ଟ କହିଛନ୍ତି। ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଦାୟର ମାମଲାର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ରାଜ୍ୟର ସବୁ ଥାନାକୁ ରାୟରେ ଉଲ୍ଲେଖ କରାଯାଇଥିବା ଆଦେଶ ପାଳନ ପାଇଁ ଡିଜି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ ବୋଲି ହାଇକୋର୍ଟ କହିଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ସେଠାରେ ଅବସ୍ଥାପିତ ଥିବା ପୁଲିସ ଅଧିକାରୀ ବାଧ୍ୟତାମୂଳକ ଭାବେ ଗ୍ରହଣ କରିବେ। ଅଭିଯୋଗ ଗ୍ରହଣ ପରେ ସ୍ବୀକୃତିପତ୍ର ପୁଲିସ ଅଧିକାରୀ ପ୍ରଦାନ କରିବେ। ଅଭିଯୋଗର ଫଟୋକପି ଅଭିଯୋଗକାରୀଙ୍କୁ ପ୍ରଦାନ କରାଯିବ। ଅଭିଯୋଗ ସପକ୍ଷରେ କ’ଣ ନିର୍ଦ୍ଦିଷ୍ଟ ନଥିପତ୍ର ଆବଶ୍ୟକ, ସେ ନେଇ ପୁଲିସ ଅଧିକାରୀ ଅଭିଯୋଗକାରୀଙ୍କୁ ପରାମର୍ଶ ଦେବେ। ଥାନାକୁ ଆସୁଥିବା ବ୍ୟକ୍ତିଙ୍କ ପ୍ରତି ସଂପୃକ୍ତ ପୁଲିସ ଅଧିକାରୀ ଭଲ ବ୍ୟବହାର କରିବେ। ଅଭିଯୋଗ ଲେଖିବା ପାଇଁ ଅଭିଯୋଗକାରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ। ଯଦି ଅଭିଯୋଗକାରୀ ନିରକ୍ଷର ହୋଇଥିବେ, ତେବେ ଥାନାର ଦାୟିତ୍ବରେ ଥିବା ଅଧିକାରୀ ତାଙ୍କ କହିବା ଅନୁସାରେ ଅଭିଯୋଗ ଲେଖିବେ। ଏହାପରେ ଅଭିଯୋଗକୁ ପଢ଼ି ଅଭିଯୋଗକାରୀଙ୍କୁ ଶୁଣାଇ ଦିଆଯବ।
ଏହାପରେ ଅଭିଯୋଗକାରୀ ସ୍ବାକ୍ଷର କରିବେ। ବିନା ମୂଲ୍ୟରେ ଏତଲାର ଫଟୋ କପି ଅଭିଯୋଗକାରୀଙ୍କୁ ସଂପୃକ୍ତ ପୁଲିସ ଅଧିକାରୀ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ସଂକ୍ରାନ୍ତରେ ପୁଲିସ ଡିଜି ନିର୍ଦ୍ଦେଶନାମା ମାଧ୍ୟମରେ ସବୁ ଥାନାକୁ ଅବଗତ କରିବେ। ଏ ନେଇ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜେ.ବେହେରାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଭିଯୋଗ ପରେ ମଧ୍ୟ ଅସ୍ତରଙ୍ଗ ଥାନା ପୁଲିସ ତାଙ୍କ ଏତଲା ପଞ୍ଜୀକରଣ କରି ନଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।