ରାଜ୍ୟ

ଏତଲା ପଞ୍ଜୀକରଣ ନକଲେ କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

କଟକ: ଏତଲା ପଞ୍ଜୀକରଣ କ୍ଷେତ୍ରରେ ପୁଲିସ ନିଷ୍କ୍ରିୟତା ପ୍ରସଙ୍ଗକୁ ନେଇ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ କ୍ଷେତ୍ରରେ ରହିଥିବା ନିୟମ ପାଳନ କରୁ ନଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ଯେ ନାଗରିକମାନେ ଥାନାକୁ ଅଭିଯୋଗ ନେଇ ଯାଉଛନ୍ତି। କିନ୍ତୁ ବହୁ ସଂଖ୍ୟାରେ ଏପରି ମାମଲା ଥାନାରେ ପଞ୍ଜୀକରଣ କରାଯାଉ ନାହିଁ। ଏହି ପ୍ରସଙ୍ଗରେ ପୁଲିସ ମହାନିର୍ଦ୍ଦେଶ (ଡିଜି) ଏକ ସବିଶେଷ ସତ୍ୟପାଠ ଦାଖଲ କରିବେ। କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଦ୍ବାରା କ୍ଷୁବ୍ଧ/ଅପମାନିତ ହେଲେ ବା ଫୌଜଦାରୀ ବିବାଦର ସମ୍ମୁଖୀନ ହେଲେ ଲୋକମାନେ ପୁଲିସ ଥାନାକୁ ଯାଇଥା’ନ୍ତି। ଏଭଳି ମାମଲାରେ ପୁଲିସ ପଞ୍ଜୀକରଣ ନ କଲେ ଏହା ସୁପ୍ରିମକୋର୍ଟଙ୍କ ‘ଲଳିତା କୁମାରୀ ବନାମ ୟୁପି ସରକାର’ ରାୟରେ ଉଲ୍ଲେଖ କରାଯାଇଥିବା ନିୟମାବଳୀର ଉଲ୍ଲଂଘନ। ଏଭଳି ସ୍ଥିତିରେ ଲଳିତା କୁମାରୀ ରାୟରେ ପ୍ରଦାନ କରାଯାଇଥିବା ନିୟମାବଳୀ ରାଜ୍ୟର ସବୁ ଥାନାରେ ପ୍ରଦର୍ଶନ କରାଯିବ।

ଉଭୟ ସ୍ଥାନୀୟ ଭାଷା ଓ ଇଂରାଜୀରେ ଏହି ନିୟମାବଳୀ ରାଜ୍ୟର ଥାନା ଗୁଡ଼ିକରେ ପ୍ରଦର୍ଶନ କରାଯିବା ଜରୁରୀ। ପୁଲିସ ଡିଜି ଏହା ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମାବଳୀ ପାଳନ କରୁ ନଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଯେମିତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତାହା ଡିଜି ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଡିସେମ୍ବର ୨୧ ତାରିଖ ସୁଦ୍ଧା ଏ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୨୨କୁ ତାରିଖ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ କେନ୍ଦ୍ରାପଡ଼ା ଏସପି ଓ ପାଟକୁରା ଥାନା ଆଇଆଇସି ମଧ୍ୟ ବ୍ୟକ୍ତିଗତ ଭାବେ ଭର୍ଚୁଆଲ ମୋଡରେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀ ଏ.ସାମଲଙ୍କ ପକ୍ଷରୁ ପାଟକୁରା ଥାନାରେ ଦାଖଲ ଏତଲା ପଞ୍ଜୀକରଣ କରାଯାଇ ନଥିଲା। ପୁଲିସ ନିଷ୍କ୍ରିୟତାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button