ରାଜ୍ୟ

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା: ଆଉ ଏମାନେ ଖସିଯିବେ? – Ibnodisha

[ad_1]

ଡିଆଇଜି ବ୍ରିଜେଶ ବଦଳିଲେ, ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହେଲାନି

କଟକ: ଅନୁଗୁଳର ମହିଳା ଗୃହରକ୍ଷୀ ସୈରିଦ୍ରୀ ସାହୁଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିବା ପରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ତଥା ୨୦୦୯ ବ୍ୟାଚ୍‌ ଆଇପିଏସ୍‌ ବ୍ରିଜେଶ ରାୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ର ଆଇପିଏସ୍‌ ତଥା ସ୍ବତନ୍ତ୍ର ଟାସ୍କଫୋର୍ସ ଦାୟିତ୍ବରେ ଥିବା ଆଇଜି ଜୟନାରାୟଣ ପଙ୍କଜଙ୍କୁ ଏହି ରେଞ୍ଜର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ହେଲେ ଏହି ଘଟଣାକୁ ୧୮ ଦିନ ବିତିଥି‌ଲେ ବି ଅଭିଯୁକ୍ତଙ୍କ ବି‌ରୋଧ‌ରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାହା ଏବେ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି। ଏପରିକି ଏହି ଘଟଣାରେ ଏଯାଏ ପୁଲିସ ବ୍ରିଜେଶଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିନି କିମ୍ବା ତାଙ୍କୁ ପଚରାଉଚରା ଲାଗି ସାହସ କୁଳେଇ ପାରିନାହିଁ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନ ତା’ ବାଟରେ ଯିବ ବୋଲି ବାରମ୍ବାର କହୁଥିବା ବେଳେ ପୁଲିସ ଆଇପିଏସ୍‌ଙ୍କ ପତ୍ନୀଙ୍କ ପାଖେ ପହଞ୍ଚି ନ ପାରିବା ତଥା ବିଭାଗର ଜଣେ ମହିଳା ଗୃହରକ୍ଷୀଙ୍କୁ ନ୍ୟାୟ ନ ମିଳିବା ଘଟଣା ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ହେଲାଣି।

ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ଏବଂ ଚାକିରି ହରାଇବା ଧମକରେ ଭୟଭୀତ ହୋଇ ହୋମଗାର୍ଡ ଟ୍ରେନ ଲାଇନରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ସେଥିରେ ଦୁଇଟି ଯାକ ଗୋଡ଼ ହରାଇବା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା ପରିପ୍ରେକ୍ଷୀରେ ରାଜନୈତିକ ଦଳ ମଧ୍ୟ ସରକାରଙ୍କୁ ଘେରିବା ଆରମ୍ଭ କଲେଣି। ଆଜି ଏହି ଘଟଣା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ଉଭୟ ବିଜେପି ଓ କଂଗ୍ରେସ ଦଳ ଏହି ଘଟଣାରେ ରାଜ୍ୟ ସରକାର ଓ ଓଡ଼ିଶାର ପୁଲିସ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଡିଆଇଜିଙ୍କ ବଦଳି କରିଦେ‌ଇ ପ୍ରସଙ୍ଗକୁ ଏଡାଇ ଦେବାର ଉଦ୍ୟମ କରିବା ପରିବର୍ତ୍ତେ ନିର୍ଯାତନା ଦେଇଥିବା ମୁଖ୍ୟ ଅଭିଯୁକ୍ତ ଡିଆଇଜିଙ୍କ ପତ୍ନୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧ‌ରେ ମାମଲା ରୁଜୁ କରିବା ଲାଗି ସେମାନେ ଦୃଢ଼ ମତ ରଖିଛନ୍ତି।

କଟକର ଅଶ୍ବିନୀ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୈରିଦ୍ରୀଙ୍କୁ ଭେଟିବା ପାଇଁ ଆଜି ବିଜେପି ରାଜ୍ୟ ଉପସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବ‌ରେ ଏକ ପ୍ରତିନିଧି ମଣ୍ଡଳୀ ଯାଇଥିଲେ। କିନ୍ତୁ ପୀଡ଼ିତାଙ୍କୁ ଭେଟିବାର ସୁଯୋଗ ଦିଆଯାଇ ନଥିଲା। ଅଶ୍ବିନୀ ହସ୍ପିଟାଲ ଚାରି ପଟେ କଡ଼ା ପୁଲିସ ବ୍ୟବସ୍ଥା କରି ଦିଆଯାଇଥିଲା। ପରେ ଏହି ପ୍ରତିନିଧି ଦଳ ରାଜ୍ୟ ପୁଲିସ ମୁଖ୍ୟାଳୟ ଯାଇ ପୁଲିସ ଡିଜିଙ୍କୁ ଭେଟିବା ସହିତ ଡିଆଇଜିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁ‌ଷ୍ଠାନ ଓ ତାଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଥିଲେ। ରାଜ୍ୟ ପୁଲିସରେ ହୋମଗାର୍ଡମାନଙ୍କୁ ସେମାନଙ୍କ ଡ୍ୟୁଟି ବଦଳରେ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଏହାର ନିନ୍ଦା କରିବା ସହିତ ଏ ପରମ୍ପରାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ। ସେପଟେ ଏହି ଘଟଣାରେ କଂଗ୍ରେସର ରାଜ୍ୟ ମୁଖପାତ୍ର ନିଶିକାନ୍ତ ମିଶ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି। କାହିଁକି ଏଯାଏ ପୁଲିସ ମାମଲା ରୁଜୁ କରିନାହିଁ, ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ରାଣୀ‌ଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କ ସହିତ ଘଟିଥିବା ଏହି ଘଟଣା ସଂପର୍କରେ ଗତ ୧୩ ତାରିଖ ଦିନ ସେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଏହି ଘଟଣାରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଆଜି ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି। ଜାତୀୟ ମାନବାଧିକାର କମିସନରେ ସାମାଜିକ କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତା ହୋମଗାର୍ଡ଼ଙ୍କୁ କ୍ଷତିପୂରଣ ଦାବିରେ ଏହି ମାମଲା ରୁଜୁ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button