ରାଜ୍ୟ

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହେଲେ ଭାଲୁ ଆକ୍ରମଣରେ ଛଟପଟ ବୃଦ୍ଧ

ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଗାଁକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଭାଲୁ ଆକ୍ରମଣରେ ଗୁରୁତର ଜଣେ ବୃଦ୍ଧ ୨ କିମି କାଠର ଏକ ଭାରରେ ବୁହା ହେଲେ। ତା’ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ପଠାଯାଇଛି। ଆଜି ବି ରାସ୍ତା ନ ଥିବାରୁ ରୋଗୀ ଏପରି ଛଟପଟ ହେଉଥିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ସେଲ୍କୋବୁରୁ ଗ୍ରାମର ଗୁରା ମୁଣ୍ଡା ଗତକାଲି ନିକଟସ୍ଥ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିଲେ । ହଠାତ୍ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା। ଗୁରା ମୁଣ୍ଡା ଜୋରରେ ଚିତ୍କାର କରିବାରୁ ଭାଲୁ ସେଠାରୁ ପଳାଇଥିଲା ଓ ଗ୍ରାମ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଗ୍ରାମବାସୀ ଗୁରୁତର ଗୁରା ମୁଣ୍ଡାଙ୍କୁ ମେଡିକାଲ ପଠାଇବା ନିମନ୍ତେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଗ୍ରାମକୁ ରାସ୍ତା ନ ଥିବାରୁ ଦୁଇ କିଲୋମିଟର ବେନ୍ଦ୍ରିଲୋଡା ପାଖରେ ଅଟକିଥିଲା ଆମ୍ବୁଲାନ୍ସ ।

ଶେଷରେ କାଠର ଏକ ଭାର ତିଆରି କରି ଗ୍ରାମ ଲୋକେ ଗୁରା ମୁଣ୍ଡାଙ୍କୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ବଣାଇଁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ତେବେ ଆଜି ବି ବହୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଲୋକେ ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ଦାବି ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button