ରାଜ୍ୟ

‘ଓଡ଼ିଶାରେ ଶିକ୍ଷକଙ୍କ ନିଯୁକ୍ତି କେବଳ ଶିକ୍ଷାବିତ୍‌ ହିଁ କରିବେ’

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଯାଇଛି । ବୈଠକରେ ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖାଲି ପଡିରହିଥିବା ଅଧ୍ୟାପକ ପଦବୀ ଗୁଡିକ ଯେପରି ଅତି ଶୀଘ୍ରରୁ ଶୀଘ୍ର ପୂରଣ ହୋଇପାରିବ ସେହି ଦିଗରେ ପଦକ୍ଷେପ ନେବା ପାଇଁ ମତପ୍ରକାଶ କରିଥିଲେ ।

ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ୨୦୨୦ ମସିହାରେ ଓଡ଼ିଶାରେ ପୂର୍ବ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଗୁଡିକର ସାୟତ୍ତ୍ୱତା କ୍ଷୁର୍ଣ୍ଣ ହୋଇଛି । କୁଳପତି ଚୟନ ଠାରୁ ଆରମ୍ଭ କରି ସିନେଟ୍ ଉଚ୍ଛେଦ ଏବଂ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅଧ୍ୟାପକ ନିଯୁକ୍ତି ଆଦି ବ୍ୟବସ୍ଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମକୁ ଉଲଂଘନ କରୁଛି ଏବଂ ଏହାଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଏହିସବୁ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର ଏହି ୧୦୦ ଦିନ ମଧ୍ୟରେ ନୀତିଗତ ଭାବେ ନିଷ୍ପତି ନେଇଛନ୍ତି ।

ଏହା ସହ ବିଶ୍ୱବିଦ୍ୟାଳୟମାନଙ୍କୁ ସ୍ୱାୟତ୍ତତା ପ୍ରଦାନ କରାଯିବା ସହ ଖାଲି ପଡ଼ି ରହିଥିବା ଶିକ୍ଷକ ପଦବୀ ଗୁଡିକୁ ଶିକ୍ଷାବିତ୍‌ ମାନଙ୍କ ଦ୍ୱାରା ଗଠିତ କମିଟିର ନିଷ୍ପତ୍ତି ମାଧ୍ୟମରେ ଯେପରି ଯଥାଶୀଘ୍ର ପୂରଣ କରାଯିବ ସେଦିଗରେ ସରକାରଙ୍କ ତରଫରୁ ଯଥୋଚିତ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତପ୍ରକଶ କରିଥିଲେ ।

ଆଜିର ଏହି ବୈଠକରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ ।

ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବ ସରକାରଙ୍କ ଦ୍ୱାରା ଅଣା ଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button